ପୂର୍ବତନ ବିଧାୟକଙ୍କ ବହିଷ୍କାର ଦାବିରେ ବିକ୍ଷୋଭ

ପଦାରେ ପଡ଼ିଲା ଚିଲିକା ବିଜେଡିର ଗୋଷ୍ଠୀ କନ୍ଦଳ
ବାଲୁଗାଁ (ଆପ୍ର): ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ଚିଲିକା ନିର୍ବାଚନମଣ୍ଡଳୀରେ ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ଦ୍ୱନ୍ଦ୍ୱ ଦେଖିବାକୁ ମିଳୁ ନ ଥିବା ବେଳେ ଶାସକ ବିଜେଡିରେ ଦିନକୁ ଦିନ ଗୋଷ୍ଠୀ କନ୍ଦଳ ଉଗ୍ରରୂପ ନେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ପୂର୍ବାହ୍ନରେ ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁଙ୍କ ବିରୋଧରେ ଦଳୀୟ ନେତାମାନେ ରଣହୁଙ୍କାର ଦେଇ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି । ଏଥିସହିତ ଦଳ ବିରୋଧୀ କାର୍ଯ୍ୟ କରୁଥିବା ନେଇ ଦଳରୁ ବହିଷ୍କାର କରିବା ପାଇଁ ଉପସ୍ଥିତ କର୍ମୀମାନେ ଦାବି କରିଛନ୍ତି ।
ସୂଚନାଥାଉକି ଗତ ୨୩ରେ ଚିଲିକା ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁ ବିଜେଡି କାର୍ଯ୍ୟାଳୟରେ ଏକ କର୍ମୀ ସମ୍ମିଳନୀ କରିଥିଲେ । ଉକ୍ତ କର୍ମୀ ସମ୍ମିଳନୀ ଜରିଆରେ ଚିଲିକା ବିଧାୟକ, ଜିଲ୍ଲା ପରିଷଦ ଉପସଭାପତି, ସାଂସଦ ପ୍ରତିନିଧି ଏବଂ ଅନ୍ୟ ଦଳୀୟ ନେତାଙ୍କ ବିରୋଧରେ ବିସ୍ଫୋରକ ବୟାନ ଦେଇଥିବା ବେଳେ ରାଜ୍ୟ ରାଜନୀତିରେ ଭୁକମ୍ପନ ସୃଷ୍ଟି ହୋଇଥିଲା । ଏପରିକି ସିଧାସଳଖ ଭାବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେ୍ଦବଙ୍କୁ ଦୁର୍ନୀତିଗ୍ରସ୍ତ ବିଧାୟକ କହିବା ସହ ତାଙ୍କୁ ୫ ପ୍ରତିଶତ ପିସି ନ ଦେଲେ କୌଣସି କାମ ହେଉନଥିବା କହିଥିଲେ । ଅନୁରୂପ ଭାବେ ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା ଏବଂ ସାଂସଦ ପ୍ରତିନିଧି ମାନସ ପ୍ରଧାନଙ୍କ ବିରୋଧରେ ମଧ୍ୟ ଅନେକ ସାଙ୍ଘାତିକ ଅଭିଯୋଗ ଆଣିଥିଲେ । ଏହାର ଜବାବରେ ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣାଙ୍କ ନେତୃତ୍ୱରେ ଆଜି ଏକ ପ୍ରତିବାଦ ଶୋଭାଯାତ୍ରା ବାଲୁଗାଁରେ ଅନୁଷ୍ଠିତ ହୋଇଥିଲା । ଶୋଭାଯାତ୍ରାରେ ବିଜେଡିର ଶତାଧିକ କର୍ମୀ ସ୍ଥାନୀୟ ମା’ ଉତ୍ତରାୟଣୀ ମନ୍ଦିର ନିକଟରୁ ବାହାରି ଗାନ୍ଧୀ ଛକ ପର୍ଯ୍ୟନ୍ତ ଯାଇଥିଲେ । ଏଥିସହିତ ଗାନ୍ଧି ଛକ ଠାରେ ରଘୁନାଥ ସାହୁଙ୍କୁ ବିଜେଡିରୁ ବହିଷ୍କାର ଦାବିରେ ତାଙ୍କର କୁଶ ପୁତ୍ତଳିକା ମଧ୍ୟ ଦାହ କରାଯାଇଥିଲା । ସାଂସଦ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ, ବିଧାୟକ ପ୍ରତିନିଧି ମନୋଜ ପ୍ରଧାନ, ଉତ୍ପଳ ପାଇକରାୟ, ସାଂସଦ ପ୍ରତିନିଧି ଯଦୁ ପ୍ରଧାନ, ପ୍ରଭାସ ସୁନ୍ଦରାୟ ମଧ୍ୟ ପୂର୍ବତନ ବିଧାୟକଙ୍କ ଉପରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ପ୍ରବଳ ବର୍ଷିଥିଲେ । ଉକ୍ତ ପ୍ରତିବାଦ ଶୋଭାଯାତ୍ରାରେ କିଛି ତୁଙ୍ଗ ବିଜେଡି ନେତା ଉପସ୍ଥିତ ଥିବାବେଳେ ଏଠାରେ ବାଲୁଗାଁ ଓ ବାଣପୁର ଏନଏସି ଅଧ୍ୟକ୍ଷଙ୍କ ଅନୁପସ୍ଥିତି ଚର୍ଚ୍ଚାର ବିଷୟ ପାଲଟିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *