ବୈଶିଙ୍ଗା ହସ୍ପିଟାଲକୁ ସିଏଚ୍ସି ମାନ୍ୟତା ଦାବି
ବୈଶିଙ୍ଗା (ଆପ୍ର): ୧୮ ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ବୈଶିଙ୍ଗା ହସ୍ପିଟାଲକୁ ସିଏଚସି ମାନ୍ୟତା ନିମନ୍ତେ ଦୀର୍ଘଦିନରୁ ଦାବି ହେବା ସତ୍ତ୍ୱେ ସରକାର ଏଥିପ୍ରତି ଅଣଦେଖା କରୁଥିବା ଦୃଢ଼ ଅଭିଯୋଗ ହୋଇଛି । ହସ୍ପିଟାଲ ଉପରେ ପାଖାପାଖି ୨୨ ପଞ୍ଚାୟତର ବାସିନ୍ଦା ନିର୍ଭରଶୀଳ ଥିବା ସତ୍ତ୍ୱେ ଆବଶ୍ୟକୀୟ ଭିତ୍ତିଭୂମି ଅଭାବ ଏବଂ ଡାକ୍ତର ଅଭାବ ଯୋଗୁଁ ରୋଗୀଙ୍କୁ ନାହିଁ ନଥିବା ଅସୁବିଧା ଭୋଗିବାକୁ ପଡ଼ୁଛି । ପରିସ୍ଥିତି ଏପରି ହୁଏ ଯେ, ରୋଗୀଙ୍କୁ ଏଠାରୁ ୪୦ କିଲୋମିଟର ଦୂର ବାରିପଦା ମୁଖ୍ୟ ଚିକତ୍ସାଳୟ ପହଞ୍ଚôବାକୁ ପଡ଼େ । ସେହିପରି ହୃଦ୍ରୋଗୀଙ୍କ କଷ୍ଟ ନ କହିଲେ ଭଲ । ଇସିଜି ସୁବିଧା ଉପଲବ୍ଧ ନଥିବା ହେତୁ ହୃଦ୍ରୋଗୀଙ୍କ ରୋଗ ନିରୂପଣ ହୋଇପାରୁନାହିଁ ଏବଂ ଡାକ୍ତର କେବଳ ସନେ୍ଦହ କରି ବାଲେଶ୍ୱର ହସ୍ପିଟାଲକୁ ରେଫର କରୁଛନ୍ତି । ୨ବର୍ଷ ପୂର୍ବେ ସ୍ୱାସ୍ଥ୍ୟମନ୍ତ୍ରୀ ବୈଶିଙ୍ଗା ହସ୍ପିଟାଲ୍ ପରିଦର୍ଶନ କରିବା ସମୟରେ ମନ୍ତ୍ରୀଙ୍କ ସାମ୍ନାରେ ମେଡିକାଲ୍ ସମସ୍ୟା ଉପସ୍ଥାପନା କରିଥିଲେ । ଖାଲି ଏତିକି ନୁହେଁ ସମସ୍ୟା ସମ୍ପର୍କରେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପରେ ବି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି ।
ପ୍ରତି ବିଧାନସଭା ଅଧିବେଶନରେ ବୈଶିଙ୍ଗା ହସ୍ପିଟାଲ୍କୁ ସିଏଚସି ମାନ୍ୟତା ପାଇଁ ବଡ଼ସାହି ବିଧାୟକ ସନାତନ ବିଜୁଳି ପ୍ରଶ୍ନ ଉଠାଇଥାନ୍ତି ଓ ସିଡିଓଙ୍କ ନିକଟରୁ ଭିଜିବିଲିଟି ରିପୋର୍ଟ ଆସିବା ପରେ ଏଦିଗରେ ପଦକ୍ଷେପ ନେବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ପ୍ରତିଶ୍ରୁତି ଦେଇଥିବା ପ୍ରକାଶ କରିଛନ୍ତି ବିଧାୟକ । ତେବେ ଭିଜିବିଲିଟି ରିପୋର୍ଟ ଆସିବାର ବର୍ଷେ ପରେ ବି ସିଏଚସି ମାନ୍ୟତା କେବଳ ପ୍ରତିଶ୍ରୁତିରେ ହିଁ ରହିଛି । ଏଥିଯୋଗୁ ବିଧାନସଭାର ପ୍ରଶ୍ନକାଳ ସମୟରେ ସେ ତାଙ୍କ କ୍ଷୋଭ ବଖାଣିଥିଲେ । ମୟୁରଭଞ୍ଜ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଭୌଗଳିକ ଦୃଷ୍ଟି କୋଣରୁ ଅନ୍ୟ ଜିଲ୍ଲାଠାରୁ ବୃହତ୍ତର ଓ ମୟୁରଭଞ୍ଜ ଜିଲ୍ଲାରେ ତିନୋଟି ସବଡିଭିଜନ ହସ୍ପିଟାଲ ଅଛି । ଏଣୁ ବେତନଟୀ ସିଏଚସିକୁ ସବଡ଼ିଭିଜନ ହସ୍ପିଟାଲ ମାନ୍ୟତା ନିମନ୍ତେ ମଧ୍ୟ ଶ୍ରୀ ବିଜୁଳି ଚଳିତ ବିଧାନସଭା ଦାବି ଉଠାଇଛନ୍ତି । ପ୍ରକାଶଥାଉକି ବଡ଼ସାହି ନିର୍ବାଚନମଣ୍ଡଳୀରେ ଗୋଟିଏ ମାତ୍ର ସ୍ତ୍ରୀ ଏବଂ ପ୍ରସୂତି ବିଭାଗର ଡାକ୍ତର ଭାବେ ଏକମାତ୍ର ଡାକ୍ତର ଡା ସୁକାନ୍ତ ପାତ୍ର କାର୍ଯ୍ୟରତ ଥିବା ବେଳେ ତାଙ୍କୁ ମଧ୍ୟ ବଦଳି ନିର୍ଦେଶ ଆସିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଧାୟକ ପ୍ରତିକ୍ରିୟା ଦେଇଛନ୍ତି ।