ରେଡ୍ ସକାଳେ ଆଇଟି, ସନ୍ଧ୍ୟାରେ ଜିଏସ୍ଟି

ଭୁବନେଶ୍ୱର/ପଦ୍ମପୁର, ୨୮ା୧୧(ବୁ୍ୟରୋ): ପଦ୍ମପୁରରେ ଆୟକର ବିଭାଗର ଚଢାଉ ପରେ ବିଜେପି ନେତାଙ୍କ ଦୋକାନ ଉପରେ ଜିଏସଟି ଚଢାଉ ହୋଇଛି । ଟିକସ ଫାଙ୍କିବା ଅଭିଯୋଗରେ ପଦ୍ମପୁର ସହରର ବିଜେପି ନେତାଙ୍କ ଦୋକାନ ଉପରେ ଜିଏସଟି ବିଭାଗ ଚଢାଉ କରିଛି । ଲୁଗା ଦୋକାନ ସହ ମୋଟ ୭ ସ୍ଥାନରେ ଜିଏସ୍ଟି ରେଡ୍ ହୋଇଛି । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତାସ ପ୍ରକାଶ ପାଇବା ସହ ବ୍ୟବସାୟୀମାନେ ଜିଏସ୍ଟି ଟିମ୍କୁ ପ୍ରବଳ ବିରୋଧ କରିଛନ୍ତି । ପୁଲିସ୍ ସୁରକ୍ଷାରେ ଜିଏସ୍ଟି ଟିମ୍ ଫେରିଥିବାବେଳେ ମଙ୍ଗଳବାର ବଣିଜ ସଂଘ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି । ପଦ୍ମପୁର ବଣିକ ସଂଘର ସଭାପତି ପ୍ରତାପ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଜିଏସଟି ରେଡ୍ କରାଯିବା ସମ୍ପୂର୍ଣ୍ଣ ଭାବେ ବେଆଇନ । ରାଜନୈତିକ ଆକ୍ରୋଶ ରଖି ଏଭଳି ହଇରାଣ କରାଯାଉଛି । ରାଜନୀତି ସହ ବ୍ୟବସାୟୀଙ୍କର କୌଣସି ସମ୍ପର୍କ ନାହିଁ । କିନ୍ତୁ ଅନୈତିକ ଭାବେ ଜିଏସଟି ରେଡ୍ କରାଯିବାକୁ କଦାପି ବରଦାସ୍ତ କରାଯିବ ନାହିଁ । ଆସନ୍ତାକାଲି ପଦ୍ମପୁର ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବ । ତେବେ ଗାଡ଼ି ମୋଟର ଚଳାଚଳ ସ୍ୱାଭାବିକ ରହିବ ବୋଲି ସେ କହିଛନ୍ତି । ମିଳିଥିବା ସୂଚନା ଅନୁସାରେ, ସକାଳେ ପଦ୍ମପୁରର ୩ ବ୍ୟବସାୟୀଙ୍କ ବାସଭବନରେ ଆଇଟି ରେଡ୍ କରାଯିବା ପରେ ସନ୍ଧ୍ୟାରେ ନିର୍ବାଚନ ମଣ୍ଡଳୀର ୭ ସ୍ଥାନରେ ସମ୍ବଲପୁର ଜିଏସଟି ଟିମ୍ ଚଢ଼ଉ କରିଛି ।
ଉପ ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଆୟକର ବିଭାଗ ସକ୍ରିୟ ହେବା ଏବଂ ରେଡ୍ କରିବା ଘଟଣାକୁ ନେଇ ରାଜନୀତି ତେଜିବାରେ ଲାଗିଛି । ପଦ୍ମପୁର ହନୁମାନପଡ଼ାରେ ଥିବା ମହମ୍ମଦ ସାଜିଦ, ସାହୁପଡ଼ାରେ ମାନଭଞ୍ଜନ ସାହୁ ଓ ଶାସ୍ତ୍ରୀଛକରେ ଥିବା ଗଜୁ ଅଗ୍ରୱାଲଙ୍କ ଘରେ ଘରେ ଆୟକର ବିଭାଗ ରେଡ କରିଛି । ଆଇଟି ରେଡ ଚାଲିଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛି ବିଜେପି । କଳାବଜାରୀ କରିଥିବା ଲୋକଙ୍କ ଘରେ ରେଡ ହେଉଛି ବୋଲି ବିଜେପି କହିଛନ୍ତି । ଅନ୍ୟପଟେ ଭୟଭୀତ କରିବାକୁ ରେଡ କରାଯାଉଛି ବୋଲି ବିଜେଡି ବିଧାୟକ ସୁଶାନ୍ତ ସିଂ କହିଛନ୍ତି । ସେପଟେ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ସୁରକ୍ଷା ବଢ଼ାଯାଉ ବୋଲି ବିଜେଡି ସିଇଓଙ୍କୁ ଭେଟି ଦାବି କରିଛି । ସୁଶାନ୍ତ ସିଂଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବିଜେପି ନେତା । ଏବେ ସେ ପଦମପୁର ଉପନିର୍ବାଚନ ପାଇଁ ବିଜେପିର ଷ୍ଟାର ପ୍ରଚାରକ ସାଜିଛନ୍ତି । ବିଜେପିର ଦୁଇ ନେତା ୨୦୧୮ ମସିହାରେ ବିଜେପୁର ବାଇପୋଲ ବେଳେ ସୁଶାନ୍ତ ସିଂଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏବେ ସୁଶାନ୍ତଙ୍କୁ ଆକ୍ରମଣ ପାଇଁ ଯୋଜନା କରୁଥିବା ସୂଚନା ମିଳିଛି । ପଦମପୁରରେ ହାରିବା ଭୟରେ ହିଂସାକୁ ଆପଣାଉଛି ବିଜେପି ବୋଲି ବିଜେଡି କହିଛି । ସେହିପରି ବିଜେପି ମଧ୍ୟ ସିଇଓଙ୍କୁ ଭେଟି ନିଜ ଦାବି ଜଣାଇଛି । ବିଜୁ ଜନତା ଦଳ ଶାସନ କଳର ଅପବ୍ୟବହାର କରି ନିର୍ବାଚନ ବୈତରଣୀ ପାରି ହେବାକୁ ଅନବରତ ପ୍ରଚେଷ୍ଟା ଜାରି ରଖିଛି । ପୁଲିସ ଓ ପ୍ରଶାସନକୁ ମଧ୍ୟ ବ୍ୟବହାର କରି ହିଂସାକାଣ୍ଡ ଭିଆଇବାକୁ ପଛାଉନାହିଁ । ଉପନିର୍ବାଚନ ଜିତିବା ଲାଳଶାରେ ଦଳ ହିଂସ୍ର ପାଲଟିଛି । ବିଜେଡିର ନେତା ଓ ମନ୍ତ୍ରୀଙ୍କ କାରଣରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଲୋକେ ଅସୁରକ୍ଷିତ । ଗତ ୨୭ତାରିଖ ଦିନ କେନ୍ଦ୍ରମନ୍ତ୍ରୀ ପ୍ରଚାର କରୁଥିବାବେଳେ ଜଣେ କାର୍ଯ୍ୟରତ ପୁଲିସ କର୍ମଚାରୀ ଲୁଚି ଲୁଚି ଭିଡିଓ ସୁଟିଂ କରୁଥିଲେ । ଏତିକି ବେଳେ କେନ୍ଦ୍ରମନ୍ତ୍ରୀଙ୍କ ସୁରକ୍ଷାକର୍ମୀ ଓ ବିଜେପି କର୍ମୀ ପଚାରିବାରୁ ପୁଲିସ ଜଣକ ମୋବାଇଲ ଓ ଆଇକାର୍ଡ ଫିଙ୍ଗି ଛୁ ମାରିଥିଲେ । ଏହାପରେ କେନ୍ଦ୍ରମନ୍ତ୍ରୀଙ୍କ ସୁରକ୍ଷା କର୍ମୀମାନେ ଆଇକାର୍ଡକୁ ଯାଞ୍ଚ କରି ଜାଣିଥିଲେ ଯେ, ସେ ଜଣେ ସିଆଇଡି ଅଫିସର । ତାଙ୍କ ଆଇକାର୍ଡରେ ଭୋଜରାଜ ଦାଶଙ୍କ ନାମ ଲେଖା ହୋଇଥିଲା । ଶ୍ରୀ ଦାଶ ଅନୈତିକ କାର୍ଯ୍ୟ ପାଇଁ ବିଜେପିର ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ସିଇଓଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *