ଜଜ୍ଙ୍କୁ ଛୁରି ଦେଖାଇଲା ଦୁର୍ବୃତ୍ତ
ବ୍ରହ୍ମପୁର, ୨୮ା୧୧ (ବୁ୍ୟରୋ): ବ୍ରହ୍ମପୁର କୋର୍ଟ ପରିସରରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ଏସ୍ଡିଜେଏମ୍ ପ୍ରଜ୍ଞା ପରମିତା ପ୍ରତିହାରୀଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ ହୋଇଛି ।
କୋର୍ଟ ପରିସରରେ ଏକ ମାମଲାର ବିଚାର ବେଳେ ଅଭିଯୁକ୍ତ ଏସ୍ଡିଜେଏମ୍ଙ୍କୁ ଆକ୍ରମଣ ଉଦ୍ୟମ କରିବା ବେଳେ ସେଠାରେ ଥିବା ଝାଡୁଦାର ଓ ଏସ୍ଡିଜେଏମ୍ଙ୍କ ପିଅନ୍ ତାଙ୍କୁ ଅଟକାଇ ଥିଲେ । ଅଭିଯୁକ୍ତ ବଡ଼ବଜାର ଥାନା ଅଧୀନ ପୁରୁଣା ବ୍ରହ୍ମପୁର ଅଞ୍ଚଳର ଭଗବାନ ସାହୁ(୫୧)କୁ କୋର୍ଟ ପରିସରରେ ଥିବା ଆଇନ୍ଜୀବୀମାନେ କାବୁକରି ପୁଲିସ ଜିମା ଦେଇଥିଲେ । ବ୍ରହ୍ମପୁର ଏସ୍ପି ଡ.ଶ୍ରବଣା ବିବେକ ଏମ୍ କୋର୍ଟରେ ପହଞ୍ଚô ଏସ୍ଡିଜେଏମ୍ଙ୍କ ସହ ଆଲୋଚନା କରିଥିଲେ ।
ଭଗବାନ ନାମରେ ପୂର୍ବରୁ ବଡ଼ବଜାର ଥାନାରେ ୩ଟି ଓ ବୈଦ୍ୟନାଥପୁର ଥାନାରେ ବହୁ ସଙ୍ଗୀନ ମାମଲା ଥିବା ଏସ୍ପିଙ୍କ କହିଛନ୍ତି । ପୂର୍ବରୁ ସେ ଜେଲ୍ ମଧ୍ୟ ଯାଇଥିଲା । ସୋମବାର ସେ କାହିଁକି କୋର୍ଟକୁ ଆସିଥିଲା ଓ ଏଭଳି ଘଟଣା ଭିଆଇବାର କାରଣ ସଂପର୍କରେ ତଦନ୍ତ ଚାଲିଥିବା ପୁଲିସ୍ ସୂତ୍ରରୁ ଜଣାଯାଇଛି । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଆକ୍ରମଣ ପାଇଁ ବ୍ୟବହାର କରିଥିବା ଛୁରୀକୁ ମଧ୍ୟ ପୁଲିସ୍ ଜବତ କରିଛି ।
ଏସ୍ଡିଜେଏମ୍ଙ୍କ କୋର୍ଟରେ ସୁରକ୍ଷା ବ୍ୟବସ୍ଥା ପାଇଁ ଆଗାମୀ ଦିନରେ ଜଜ୍ ଓ ଆଇନଜୀବୀଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସ୍ପି ସୂଚନା ଦେଇଛନ୍ତି ।
ଆକ୍ରମଣ ଘଟଣାକୁ ଗଞ୍ଜାମ ଓକିଲ ସଂଘ ନିନ୍ଦା କରିଥିବାବେଳେ ଅଭିଯୁକ୍ତର ଓକାଲତନାମା କୌଣସି ଆଇନଜୀବୀ ଦାଖଲ କରିବେ ନାହିଁ ବୋଲି ସଂଘର ସମ୍ପାଦକ ସୁଶୀଲ କୁମାର ତି୍ରପାଠୀ କହିଛନ୍ତି ।