ପୁରୀରେ କୁଲତା ସମାଜ ପାଇଁ ଧର୍ମଶାଳା
ଭୁବନେଶ୍ୱର (ବୁ୍ୟରୋ): ନୃସିଂହନାଥ ପୀଠର ଉନ୍ନତୀକରଣ ପଦକ୍ଷେପ ନିଆଯାଇଥିବା ହେତୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୁଲତା ସମାଜର ସଦସ୍ୟମାନେ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶା କୁଲତା ସମାଜର ଏକ ପ୍ରତିନିଧି ଦଳ ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ବିଭିନ୍ନ ଦାବି ବିଷୟରେ ଆଲୋଚନା କରିଥିଲେ । ପ୍ରଥମେ ସେମାନଙ୍କ କୁଳ ଦେବତା ନୃସିଂହନାଥଙ୍କ ପୀଠର ଉନ୍ନତି ନିମନ୍ତେ ୫ଟି ଉପକ୍ରମରେ ନିଆଯାଇଥିବା ରୂପାନ୍ତରଣ କାର୍ଯ୍ୟକ୍ରମ ପାଇଁ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।
କୁଲତା ସମାଜ ବହୁଳ ଗ୍ରାମ ଗୁଡ଼ିକରେ ଜଗନ୍ନାଥ ମନ୍ଦିର ସ୍ଥାପନ, ପରିଚାଳନା, ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଏହି ସମାଜ ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି । ପୁରୀ ନିକଟସ୍ଥ ରାମଚଣ୍ଡୀ ମନ୍ଦିର ମଧ୍ୟ କୁଲତା ସମାଜର ଏକ ପ୍ରସିଦ୍ଧ ଧର୍ମପୀଠ । କୁଲତା ସମାଜର ଲକ୍ଷ ଲକ୍ଷ ଭକ୍ତ ପ୍ରତିବର୍ଷ ପୁରୀଧାମକୁ ଯାଇଥାନ୍ତି । ତେଣୁ ପୁରୀରେ କୁଲତା ସମାଜକୁ ଧର୍ମଶାଳା ନିମନ୍ତେ ଏକ ଏକର ଜମି ଓ ଆର୍ଥିକ ଅନୁଦାନ ଯୋଗାଇ ଦେବା ପାଇଁ ସେମାନେ ଅନୁରୋଧ କରିଥିଲେ । ଏହାଦ୍ୱାରା କୁଲତା ସମାଜର ଭକ୍ତମାନେ ସୁବିଧାରେ ପୁରୀଧାମରେ ରହିବା ସହ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ମଧ୍ୟ ସୁରୁଖୁରୁରେ ଆୟୋଜନ କରିପାରିବେ । ପୁରୀରେ ସପ୍ତାହକ ମଧ୍ୟରେ ଜମି ଚିହ୍ନଟ ପାଇଁ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏହାସହ ସରକାରଙ୍କ ତରଫରୁ ଧର୍ମଶାଳା ପାଇଁ ସହାୟତା ଯୋଗାଇ ଦେବାକୁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବର୍ଷକ ମଧ୍ୟରେ ଧର୍ମଶାଳା ଯେପରି ସମ୍ପୂର୍ଣ୍ଣ ହୋଇପାରିବ, ସେ ଦିଗରେ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିଦେ୍ର୍ଦଶ ଦେଇଛନ୍ତି । ସେମାନଙ୍କ ଦାବି ପ୍ରତି ସହାନୁଭୂତିଶୀଳ ମନୋଭାବ ପାଇଁ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । ଏହି ପ୍ରତିନିଧି ଦଳରେ ବୌଦ୍ଧ, ସୋନପୁର, ସମ୍ବଲପୁର ଓ ବ୍ରଜରାଜନଗର ଅଞ୍ଚଳର କୁଲତା ସମାଜର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଥିଲେ ।