ପ୍ରଚାର ମଙ୍ଗ ଧରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭ା୧୧ (ବୁ୍ୟରୋ): ଜମୁଛି ପଦ୍ମପୁର ପ୍ରଚାର ମୈଦାନ । ମତଦାନ ସମୟ ଯେତିକି ପାଖଉଛି, ସେତିକି ବଢୁଛି ରାଜନୈତିକ ଉଷ୍ଣତା । ମତଦାନକୁ ଆଉ ମାତ୍ର ୭ ଦିନ ବାକି ଥିବାବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦିନ ରାତି ଏକ କରିଦେଇଛନ୍ତି ସବୁ ଦଳର ପ୍ରାର୍ଥୀ ଓ ନେତା । ପଦ୍ମପୁରରେ ଚାଷୀଙ୍କ ସମର୍ଥନ ସବୁ ଦଳ ପାଇଁ ମୁଖ୍ୟ ଆକର୍ଷଣ ହୋଇଥିବାବେଳେ ବିଜେପି ପକ୍ଷରୁ ରବିବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ପ୍ରଚାର ମଙ୍ଗ ଧରିଛନ୍ତି । ଦଳ ପକ୍ଷରୁ ପାଇକମାଳରେ ଦଳ ପକ୍ଷରୁ ଏକ ସ୍ୱତନ୍ତ୍ର ସଭା ଆୟୋଜନ କରାଯାଇଥିବାବେଳେ ଏମାନେ ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ।
ସେହିପରି ପାଇକମାଳରେ ଶକ୍ତି ପ୍ରଦର୍ଶନ କରିଛି ବିଜେଡି । ବିଜେଡି ପ୍ରାର୍ଥିନୀ ବର୍ଷା ସିଂହ ବରିହାଙ୍କ ମାରାଥନ୍ କ୍ୟାମ୍ପେନ ଚାଲିଥିବାବେଳେ ରବିବାର ବିଜେଡି ପକ୍ଷରୁ ମେଗା ରୋଡ୍ ସୋ’ ଆୟୋଜନ କରାଯାଇଛି । ଆଶୀର୍ବାଦ ପାଇଁ ସେ ଆବେଗଭରା ନିବେଦନ କରୁଛନ୍ତି । ଭୋଟରଙ୍କୁ ଭେଟିବାବେଳେ ସେ ବେଶ୍ ଭାବପ୍ରବଣ ହୋଇପଡ଼ୁଛନ୍ତି । ପଦ୍ମପୁର ବିକାଶ ଧାରାକୁ ଆଗକୁ ନେବା ପାଇଁ ତାଙ୍କୁ ଆଶୀର୍ବାଦ କରିବାକୁ ବର୍ଷା ଅନୁରୋଧ କରିଛନ୍ତି । ଦଳୀୟ କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ସୂଚନା ଦେଇ ବରିଷ୍ଠ ନେତା କଳିକେଶ ସିଂହ ଦେଓ କହିଛନ୍ତି, ବିଜେପିର କୌଣସି ଋଣନୀତି ପଦ୍ମପୁରରେ କାମ ଦେବ ନାହିଁ । ଆଗକୁ ମୁଖ୍ୟମନ୍ତ୍ରୀ ଖୋଦ୍ ନିର୍ବାଚନୀ ପ୍ରଚାରର ମଙ୍ଗ ଧରିବେ । ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗ ଦେବେ କିମ୍ବା ଏଠାକୁ ଆସି ପ୍ରଚାର କରିବେ, ନିଷ୍ପତ୍ତି ହୋଇନାହିଁ ।
ଏନେଇ ଦିନେ ୨ ଦିନରେ ଦଳ ପକ୍ଷରୁ ପ୍ରକାଶ କରାଯିବ ବୋଲି ଶ୍ରୀ ସିଂ ଦେଓ କହିଛନ୍ତି ।
ସେହିଭଳି ପଦ୍ମପୁର ଉପନିର୍ବାଚନ ତାରିଖ ପାଖେଇ ଆସିବାରୁ କଂଗ୍ରେସ ମଧ୍ୟ ଜୋରଦାର ପ୍ରଚାର କରିଛି । ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଘରକୁ ଘର ବୁଲି ପ୍ରଚାର କରୁଥିବାବେଳେ ତାଙ୍କ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନା ମଧ୍ୟ ପ୍ରଚାର ଜାରି ରଖିଥିବା ନଜରକୁ ଆସିଛି । ଏହି ସ୍ଥିତିରେ ସବୁଠୁ ରୋମାଞ୍ଚକର ସ୍ଥିତି ରାଜଧାନୀରେ ଦେଖିବାକୁ ମିଳୁଛି । ପ୍ରତ୍ୟେକ ଦିନ ନିର୍ବାଚନ ଆଚରଣ ବିଧି ଉଲଂଘନ ହେଉଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହେଉଛି । ରବିବାର ମଧ୍ୟ ବିଜେପି ଓ ବିଜେଡି ସିଇଓଙ୍କ ନିକଟରେ ଫେରାଦ ହୋଇଛନ୍ତି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନାଁରେ ବିଜେଡି ଅଭିଯୋଗ ଆଣିଥିବାବେଳେ ବିଜେଡିର ମନ୍ତ୍ରୀମାନେ ପଦ୍ମପୁରରେ ଗୁଣ୍ଡାଗର୍ଦ୍ଦି କରୁଥିବା ବିଜେପି ଅଭିଯୋଗ ଆଣିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *