ପଦ୍ମପୁରରେ ଫୁଟିବ ପଦ୍ମ

ରାଜ୍ୟ ସରକାରଙ୍କୁ ୨ କେନ୍ଦ୍ରମନ୍ତ୍ରୀଙ୍କ ଆକ୍ଷେପ
ଭୁବନେଶ୍ୱର/ପଦ୍ମପୁର, ୨୭ା୧୧ (ବୁ୍ୟରୋ): ବରଗଡରୁ ନୂଆପଡା ଭାୟା ପଦମପୁର ରେଳ ପ୍ରକଳ୍ପକୁ କେନ୍ଦ୍ର ସରକାର ଅନୁମୋଦନ ଦେଇ ସାରିଛନ୍ତି । ସେଥିପାଇଁ ଅର୍ଥର କୌଣସି ଅଭାବ ନାହିଁ । କାମ ଅଟକିଛି ରାଜ୍ୟ ସରକାରଙ୍କ ପାଖରେ । ରାଜ୍ୟ ସରକାର ଜମି ଦେଲେ ରେଳ ପ୍ରକଳ୍ପ ନିର୍ମାଣ କାମ ଆରମ୍ଭ ହେବ । ଯଦି ରାଜ୍ୟ ସରକାର କାଲି ଜମି ଦେବେ ତାହେଲେ ପରଦିନ ରେଳ ଲାଇନ ପ୍ରକଳ୍ପର କାମ ଆରମ୍ଭ ହେବ । ରାଜ୍ୟ ସରକାର ଯଦି ଜମି ନ ଦେବେ କାମ କେମିତି ଆରମ୍ଭ ହେବ । ପଦ୍ମପୁରକୁ ରେଳସେବା ଅଞ୍ଚଳବାସୀଙ୍କ ଅଧିକାର ବୋଲି ରବିବାର ପଦ୍ମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର ସମୟରେ କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ।
କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ବିଜେପିର ପ୍ରାର୍ଥୀ ହୋଇଥିବା ପ୍ରଦୀପ ପୁରୋହିତ ପଦ୍ମପୁରର ହକ୍, ବିକାଶ ପାଇଁ ସଂଗ୍ରାମ କରିଆସିଛନ୍ତି । ଏଠିକାର ଚାଷିଙ୍କ ପାଇଁ, କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ସେ ସବୁବେଳେ ସଂଗ୍ରାମ କରି ଆସିଛନ୍ତି । ପ୍ରଦୀପ ପୁରୋହିତ ଏଠୁ ନିର୍ବାଚିତ ହୋଇକି ଗଲେ ସେ ହିଁ ରାଜ୍ୟ ସରକାରଙ୍କ ଉପରେ ବିଧାନସଭାରେ ଚାପ ପକାଇ ଜମି ଦେବା ପାଇଁ ରାଜ୍ୟ ସରକାରଙ୍କୁ ବାଧ୍ୟ କରିପାରିବେ । ଆସନ୍ତା ୫ ତାରିଖରେ ପଦ୍ମପୁରବାସୀ ପଦ୍ମଫୁଲ ଚିହ୍ନରେ ଭୋଟ ଦେଇ ବିଜେପିକୁ ଜିତାଇବେ ବୋଲି ମୋର ଭରସା ଅଛି ବୋଲି କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ।
ସେହିପରି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ରାଜ୍ୟ ସରକାର ବୀମା କମ୍ପାନୀଙ୍କର ଚୟନ କରନ୍ତି, ସେମାନଙ୍କର ସହ ଚୁକ୍ତି କରନ୍ତି । ଫସଲ କ୍ଷୟକ୍ଷତି ରିପୋର୍ଟ ବି ରାଜ୍ୟ ସରକାର କରିଥାନ୍ତି । ସାରା ଦେଶରେ ଫସଲବୀମା ଯୋଜନାରେ ଚାଷୀମାନେ କ୍ଷୟକ୍ଷତି ପାଇଁ ବୀମା ରାଶି ପାଇପାରୁଛନ୍ତି । ହେଲେ ଓଡିଶାରେ କାହିଁକି ମିଳିପାରୁନଥିଲା । କାରଣ ଏଠାରେ ରାଜ୍ୟ ସରକାର ବୀମା କମ୍ପାନୀଙ୍କ ସହ ମିଶି ଚାଷୀଙ୍କ ସ୍ୱାର୍ଥ୍ୟ ବିରୋଧରେ କାମ କରୁଥିଲେ । କେନ୍ଦ୍ର ସରକାରଙ୍କର ହସ୍ତକ୍ଷେପ ପରେ ଚାଷୀଙ୍କ ବୀମା ରାଶିକୁ ବୀମା କମ୍ପାନୀ ଚାଷୀଙ୍କୁ ଦେଲେ । ଓଡିଶାରେ ବରଗଡ ଜିଲ୍ଲାରେ ସବୁଠାରୁ ବେଶି ଧାନ ଉପ୍ତାଦନ ହୁଏ । କେନ୍ଦ୍ରରେ ଥିବା ମୋଦିଙ୍କର ବିଜେପି ସରକାର ଧାନ କ୍ୱିଣ୍ଟାଲ ପିଛା ୨୦୪୦ ଟଙ୍କା ଦିଅନ୍ତି । ହେଲେ ଏଠାରେ ଚାଷୀମାନେ ଧାନ ମଣ୍ଡିରେ ବିକି ପାରନ୍ତି ନାହିଁ । ଯାହା ଫଳରେ ଚାଷୀ ଧାନକୁ ବାହାରେ କ୍ୱିଣ୍ଟାଲ ପିଛା ୧୦୦୦ ଟଙ୍କା କମରେ ବିକ୍ରି କରେ । ରାଜ୍ୟରେ ଥିବା ସରକାର ଚାଷୀଙ୍କୁ ସବୁବେଳେ ପ୍ରତାରଣା କରିଆସିଛି ବୋଲି କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ତୋମାର କହିଛନ୍ତି ।
ପ୍ରଦୀପ ପୁରୋହିତ ହେଉଛନ୍ତି ଚାଷୀଙ୍କର ନେତା । ଚାଷୀଙ୍କ ଅଧିକାର ପାଇଁ ସେ ସବୁବେଳେ ସ୍ୱର ଉଠାଇ ଆସିଛନ୍ତି । ଏହି ଉପନିର୍ବାଚନରେ ଚାଷୀଙ୍କ ସ୍ୱର ଉଠାଇବା ପାଇଁ ପ୍ରଦୀପ ପୁରୋହିତଙ୍କୁ ଭୋଟ ଦେବା ପାଇଁ ସେ ଅନୁରୋଧ କରିଛନ୍ତି । ପଦମପୁର ନିର୍ବାଚନ ମଣ୍ଡଳୀର ପଦମପୁର ଓ ପାଇକମାଳରେ ଦୁଇଟି ନିର୍ବାଚନରେ ସଭାକୁ ଉଦବୋଧନ ଦେଇ କେନ୍ଦ୍ର ରେଳମନ୍ତ୍ରୀ ଓ କେନ୍ଦ୍ର କୃଷିମନ୍ତ୍ରୀ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ତାଙ୍କ ସହ ଏହି ନିର୍ବାଚନ ସଭାରେ ରାଜ୍ୟ ସଭାପତି ସମୀର ମହାନ୍ତି, ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ, ବରଗଡ ସାଂସଦ ସୁରେଶ ପୂଜାରି, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, ବରିଷ୍ଠ ନେତା କନକ ବର୍ଦ୍ଦନ ସିଂହଦେଓ, ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର, ବିଧାୟକ ମୁକେଶ ମାହାଲିଙ୍ଗ, ନାଉରି ନାୟକ, କୁସୁମ ଟେଟେ, ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ପୃଥ୍ୱିରାଜ ହରିଚନ୍ଦନ, ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *