ଜାପାନକୁ ସ୍ତବ୍ଧ କଲା କୋଷ୍ଟା ରିକା
ଫିଫା ବିଶ୍ୱକପ୍ ୨୦୨୨
ଅଲ୍ ରୟାନ୍, ୨୭ା୧୧ (ଏଜେନ୍ସି): କିଶର ଫୁଲର୍ଙ୍କ ବିଳମ୍ବିତ ଗୋଲ୍ ବଳରେ କୋଷ୍ଟା ରିକା ରବିବାର ଅହମଦ ବିନ୍ ଅଲୀ ଷ୍ଟାଡିୟମ୍ରେ ଫିଫା ବିଶ୍ୱକପ୍ ୨୦୨୨ର ଗ୍ରୁପ୍-ଇ ମ୍ୟାଚ୍ରେ ଜାପାନକୁ ୧-୦ରେ ପରାସ୍ତ କରିଛି । ଏହି ପରାଜୟ ଫଳରେ ଜାପାନର ଅନ୍ତିମ-୧୬ରେ ପ୍ରବେଶ ନେଇ ଆଶଙ୍କା ଦେଖାଦେଇଛି । ଫୁଲର୍ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
କୋଷ୍ଟା ରିକାର ଏହି ବିଜୟ ଗ୍ରୁପ୍ରେ ଚାରି ଥର ବିଜେତା ଜର୍ମାନୀକୁ ଲାଇଫ୍ଲାଇନ୍ ପ୍ରଦାନ କରିଛି, ଯିଏକି ନିଜ ପ୍ରଥମ ମ୍ୟାଚ୍ରେ ଜାପାନ ଠାରୁ ୧-୨ରେ ବିପର୍ଯ୍ୟୟର ଶିକାର ହୋଇଥିଲା । ଫୁଲର୍ଙ୍କ ୮୧ତମ ମିନିଟ୍ ପ୍ରୟାସ ମ୍ୟାଚ୍ରେ କୋଷ୍ଟା ରିକାର ଟାର୍ଗେଟ୍କୁ ପ୍ରଥମ ସଟ୍ ଥିଲା । ଏହା ଷ୍ଟାଡିୟମ୍ରେ ଜାପାନୀ ପ୍ରଶଂସକଙ୍କୁ ସ୍ତବ୍ଧ କରିଥିଲା ।
ନିଜ ପ୍ରଥମ ମ୍ୟାଚ୍ରେ ସ୍ପେନ୍ ଠାରୁ ୦-୭ରେ ହାରିଥିବା କୋଷ୍ଟାରିକା ଏବେ ସ୍ପେନ୍, ଜାପାନ ସହିତ ସମାନ ୩ ପଏଣ୍ଟ ପାଇଛି ଏବଂ ତା’ର ଅନ୍ତିମ-୧୬ରେ ପହଞ୍ଚିବାର ସୁଯୋଗ ରହିଛି । ତେବେ ପଏଣ୍ଟ ତାଲିକାରେ ସ୍ପେନ୍ (ପ୍ରଥମ) ଓ ଜାପାନ (ଦ୍ୱିତୀୟ), କୋଷ୍ଟାରିକା (ତୃତୀୟ) ଠାରୁ ଉପରେ ରହିଛନ୍ତି ।
କୋଷ୍ଟା ରିକା ଓ ଜାପାନ ମଧ୍ୟରେ ୮୦ ମିନିଟ୍ ଯାଏଁ ଗୋଲ୍ ପାଇଁ ସଂଘର୍ଷ ଚାଲିଥିଲା । ତେବେ ୮୧ତମ ମିନିଟ୍ରେ କୋଷ୍ଟାରିକାର ଫୁଲର୍ ମ୍ୟାଚ୍ର ଏକମାତ୍ର ଗୋଲ୍ ଥିଲା । ଜାପାନର ମିଡ୍ଫିଲ୍ଡର ଭୁଲ୍ରେ କୋଷ୍ଟା ରିକାର ତେଜେଦାଙ୍କୁ ବଲ୍ ଦେଇଥିଲେ, ଯିଏକି ଫୁଲର୍ଙ୍କୁ ପାସ୍ ଦେଇଥିଲେ । ଫୁଲର୍ ଚମକ୍ପ୍ରଦ ଫିନିଶ୍ କରିଥିଲେ । ବଲ୍ ଗୋଲ୍କିପର୍ଙ୍କ ଉପର ଦେଇ ନେଟ୍ରେ ପହଞ୍ଚିଥିଲା ।
ଦେଖିବାକୁ ଗଲେ ଜାପାନୀ ଟିମ୍ ପୂରା ମ୍ୟାଚ୍ରେ କୋଷ୍ଟା ରିକା ଉପରେ ଆଧିପତ୍ୟ ବିସ୍ତାର କରିଥିଲା । ଜାପାନ୍ ଗୋଲ୍ ଆଡ଼କୁ ୧୩ ସଟ୍ ମାରିଥିବା ବେଳେ ୩ ଟାର୍ଗେଟ୍କୁ ଯାଇଥିଲା । ଅନ୍ୟପଟେ, କୋଷ୍ଟା ରିକା ଗୋଲ୍ ଆଡ଼କୁ ୪ ସଟ୍ ମାରିଥିଲେ । ସେଥିମଧ୍ୟରୁ ଗୋଟିଏ ଟାର୍ଗେଟ୍କୁ ଯାଇଥିଲା ଏବଂ ତାହା ଗୋଲ୍ରେ ପରିଣତ ହୋଇଥିଲା ।
ପୂରା ମ୍ୟାଚ୍ରେ ଜାପାନ ପାଖରେ ୫୭ ପ୍ରତିଶତ ସମୟ ବଲ୍ ରହିଥିବା ବେଳେ କୋଷ୍ଟା ରିକା ପାଖରେ ୪୩ ପ୍ରତିଶତ ସମୟ ରହିଥିଲା । ଏହା ସହିତ ଜାପାନ ୫ କର୍ଣ୍ଣର ନେଇଥିବା ବେଳେ କୋଷ୍ଟା ରିକାକୁ ଗୋଟିଏ ବି କର୍ଣ୍ଣର ନେବାକୁ ସୁଯୋଗ ଦେଇ ନ ଥିଲା । ଜାପାନ ସବୁଥିରେ ଆଗରେ ଥିଲେହେଁ ମ୍ୟାଚ୍ ଜିତିପାରି ନ ଥିଲା ।
ଜାପାନ ଟିମ୍ରେ କେତେକ ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇଥିଲା; ହେଲେ ଏହାର କୌଣସି ସୁଫଳ ମିଳି ନ ଥିଲା । ମ୍ୟାଚ୍ରେ ଜାପାନ ୨୨ ଫାଉଲ୍ ମାରିଥିବା ବେଳେ କୋଷ୍ଟା ରିକା ୯ ଫାଉଲ୍ ମାରିଥିଲା । ଉଭୟ ଟିମ୍କୁ ସମାନ ୩ ଲେଖାଏଁ ୟେଲୋ କାର୍ଡ ମିଳିଥିଲା ।