ବିଜେପି କଥାରେ ତାଳମେଳ ନାହିଁ

ଭୁବନେଶ୍ୱର (ବୁ୍ୟରୋ): ପଦ୍ମପୁର ରେଳଲାଇନ୍‌ ପ୍ରତିଷ୍ଠା ଓ ଫସଲ ବୀମାକୁ ନେଇ ବିଜେପି ନେତାମାନେ କେତେବେଳେ କ’ଣ କହୁଛନ୍ତି ତାହା ସ୍ପଷ୍ଟ ହେଉନାହିଁ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ନରେନ୍ଦ୍ର ସିଂ ତୋମାରଙ୍କ ମନ୍ତବ୍ୟର ଜବାବରେ ଏହା କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ସମସ୍ତେ ଜାଣନ୍ତି ନୂତନ ରେଳଲାଇନ ପ୍ରତିଷ୍ଠା ଦାୟିତ୍ୱ ରାଜ୍ୟର ନୁହେଁ, କେନ୍ଦ୍ରର । ୨୦୧୮ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଥିଲେ ପଦ୍ମପୁର ରେଳଲାଇନକୁ କେନ୍ଦ୍ର ଅନୁମୋଦନ କରିଛି । ୨୦୧୯ରେ ରେଳ ମନ୍ତ୍ରଣାଳୟ କହିଛି, ସେମାନଙ୍କ ଦ୍ୱାରା କରାଯାଇଥିବା ସର୍ଭେ ପରେ ଏହି ଲାଇନ ଲାଭଦାୟକ ନୁହେଁ ଏବଂ ଏହି ପ୍ରକଳ୍ପକୁ ସଂରକ୍ଷିତ କରାଗଲା । ଆଜି କୁହାଯାଉଛି ଯେ ଓଡିଶା ସରକାର ଜମି ଯୋଗାଇ ଦିଅନ୍ତୁ ଏବଂ ତା’ପରେ କେନ୍ଦ୍ର ରେଳଲାଇନ ସ୍ଥାପନ କରିବ । ଏଥିରୁ ଜଣାପଡୁଛି ଯେ ବିଜେପି କେତେବେଳେ କ’ଣ କହୁଛି ତାହା ସ୍ପଷ୍ଟ ନୁହେଁ ।
କେନ୍ଦ୍ର ଆମକୁ ଗୋଟିଏ କାଗଜ ଦେଖାଇ ଦେଉ ଯେଉଁଥିରେ ସେମାନେ ପଦ୍ମପୁର ରେଳଲାଇନ ପାଇଁ ଓଡିଶା ସରକାରଙ୍କୁ ଜମି ମାଗିଛନ୍ତି । କେନ୍ଦ୍ର କୌଣସି କାଗଜ ଦେଖାଇ ପାରିବ ନାହିଁ କାରଣ ଚାରି ବର୍ଷ ମଧ୍ୟରେ ଜମି ମାଗି ନାହାଁନ୍ତି । ଚାରିବର୍ଷ ଅର୍ଥାତ ୨୦୧୮ ମସିହାରେ ବିଜେପିର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପଦ୍ମପୁର ରେଳଲାଇନକୁ ମଞ୍ଜୁର କରାଯାଇଛି ବୋଲି ଘୋଷଣା କରିବା ପରଠାରୁ । ଯଦିଓ ରେଳ ପ୍ରକଳ୍ପ ପାଇଁ ଜମି ଏବଂ ପାଣ୍ଠି ଯୋଗାଇବା ହେଉଛି କେନ୍ଦ୍ରର ଦାୟିତ୍ୱ ତଥାପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡିଶା ସରକାର ସ୍ୱେଚ୍ଛାକୃତ ଭାବେ ସୀମା ବାହାରକୁ ଯାଇ ୩୦୦ କୋଟି ଟଙ୍କା ସହ ଏହି ରେଳ ପ୍ରକଳ୍ପ ପାଇଁ ମାଗଣା ଜମି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଏହା ସତ୍ତ୍ୱେ କେନ୍ଦ୍ର ଏହି ପ୍ରକଳ୍ପ ଆରମ୍ଭ କରିନାହିଁ । କାରଣ ଏହା ଓଡିଶାରେ ଅନେକ ପ୍ରକଳ୍ପ ଆରମ୍ଭ କରିନାହିଁ ଯେଉଁଠାରେ ରାଜ୍ୟ ଦ୍ୱାରା ମାଗଣା ଜମି ଏବଂ ପାଣ୍ଠି ଯୋଗାଇ ଦିଆଯାଇଛି । ବିଜେପି ପଦ୍ମପୁରର ଲୋକଙ୍କୁ ବିଭ୍ରାନ୍ତ ଓ ବାଟବଣା କରିବା ବନ୍ଦ କରିବାକୁ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ଫସଲ ବୀମାକ୍ଷେତ୍ରରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଭ୍ରମିତ କରୁଛନ୍ତି । ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାର ନାମ ସୂଚାଉଛି ଯେ ତାହା ହେଉଛି ଏକ କେନ୍ଦ୍ରୀୟ ଯୋଜନା । ଯେହେତୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ହେଉଛି କେନ୍ଦ୍ରସରକାରଙ୍କ ଦାୟିତ୍ୱ, ଫସଲ ବୀମା ମଧ୍ୟ ଏକ କେନ୍ଦ୍ର ସରକାରୀ ଯୋଜନା ଏବଂ ଏହା ମଧ୍ୟ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ଅଟେ । ଫସଲ ବୀମା ଯୋଗାଇବା ଦାୟିତ୍ୱ କେନ୍ଦ୍ର ଉପରେ ରହିଛି । ଯେତେବେଳେ ପଦ୍ମପୁରର କୃଷକମାନେ ବିଜେପି ପ୍ରାର୍ଥୀଙ୍କୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିବାକୁ ବାରଣ କଲେ ସେତେବେଳେ ବିଜେପି ଚିନ୍ତିତ ହୋଇପଡିଥିଲା ଏବଂ କେନ୍ଦ୍ରରୁ ଫସଲ ବୀମା ଦାବି କରୁଥିବା ଚାଷୀଙ୍କ କ୍ରୋଧର ସମ୍ମୁଖୀନ ହେଲା । ଏହାପରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ରସରକାର ଫସଲ ବୀମା ମଞ୍ଜୁର କରିଥିଲେ । ଆମେ ପରାମର୍ଶ ଦେଉଛୁ ଯେ କେନ୍ଦ୍ରସରକାର ଫସଲ ବୀମାକୁ ଭଲ ଭାବରେ କାର୍ଯ୍ୟକାରୀ କରନ୍ତୁ ଏବଂ ପଦ୍ମପୁରର ଚାଷୀଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ସେହିପରି ବିଜେଡି ବରିଷ୍ଠ ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, ଦୁଇ କେନ୍ଦ୍ରମନ୍ତ୍ରୀ ଏଭଳି ବୟାନ ଦେବା ଦୁର୍ଭାଗ୍ୟଜନକ । କେନ୍ଦ୍ର କୃଷିମନ୍ତ୍ରୀ ଏମଏସପି ବୃଦ୍ଧି ନେଇ ଘୋଷଣା କରିବେ କି? ସେହଭଳି ବିଜେଡି ବିଧାୟକ ଶାରଦା ନାୟକ ବିଜେପିକୁ ଟାର୍ଗେଟ କରିବା ସହ କହିଛନ୍ତି, ପଦ୍ମପୁରକୁ ରେଳ ଲାଇନ କୁଆଡେ ଗଲା? ଜମି ଅଧିଗ୍ରହଣ ପାଇଁ ଆବଶ୍ୟକୀୟ ଅର୍ଥ କେନ୍ଦ୍ର ଦେବା କଥା, ରାଜ୍ୟର ଦାୟିତ୍ୱ ଅଫିସର ନିଯୁକ୍ତ କରି ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଆଗକୁ ନେବ । କିନ୍ତୁ ପଦ୍ମପୁର ରେଳ ପ୍ରକଳ୍ପ ବାବଦରେ କେନ୍ଦ୍ର ବଜେଟରେ କେଉଁଠି ଉଲ୍ଲେଖ ଅଛି ତାହା ଦେଖାଇପାରିବେ କି । ମିଛ କହି ଲୋକଙ୍କୁ ଭୁଆଁ ବୁଲାଇବାରୁ କ୍ଷାନ୍ତ ରୁହନ୍ତୁ ବୋଲି ସେ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *