ଆଲୁମିନିୟମ୍, ଷ୍ଟିଲ୍ କ୍ୟାପିଟାଲ୍ ହେବ ରାଜ୍ୟ
ଓଡ଼ିଶା ନିର୍ମାଣ କନକ୍ଲେଭ୍ ୨ଠ୨୨
ଭୁବନେଶ୍ୱର, ୨୬ା୧୧ (ବୁ୍ୟରୋ): କନକ ନୁ୍ୟଜର ଓଡ଼ିଶା ନିର୍ମାଣ କନକ୍ଲେଭ୍ ୨୦୨୨ ଶନିବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କାର୍ଯ୍ୟକ୍ରମର ଉଦ୍ଘାଟନ୍ ହୋଇଥିଲା । ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗ ଦେଇ କହିଥିଲେ, ନିରନ୍ତର ବିକାଶ ହିଁ ଆମ ସରକାରର ମୂଳମନ୍ତ୍ର, ରୂପାନ୍ତରଣର ଯାତ୍ରାରେ ସମସ୍ତଙ୍କୁ ସାମିଲ କରି ଆଗକୁ ବଢିବା ଆମ ଲକ୍ଷ୍ୟ । ଗତ କିଛି ବର୍ଷ ହେବ ପ୍ରତିଟି କ୍ଷେତ୍ରର ରୂପାନ୍ତରଣ ସହ ଓଡ଼ିଶା ଆଗକୁ ବଢୁଛି ।
ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅନୁକରଣୀୟ । ସମସ୍ତଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା, ମିଶନ ଶକ୍ତି ଜରିଆରେ ମହିଳା ସଶକ୍ତୀକରଣ, ବିଶ୍ୱସ୍ତରୀୟ କ୍ରୀଡା ଭିତ୍ତିଭୂମି, ସ୍ମାର୍ଟ ସ୍କୁଲ ଜରିଆରେ ଓଡ଼ିଶା ଏବେ ଉଦାହରଣ ସାଜିଛି । ୧୦ ବର୍ଷ ପୂର୍ବେ ଓଡ଼ିଶାର ସ୍ଥିତି କିଛି ଭିନ୍ନ ଥିଲା । ବର୍ତ୍ତମାନ ସ୍ଥିତି ବଦଳିଯାଇଛି । ଆମ ସରକାର ଚ୍ୟାଲେଞ୍ଜ ଗ୍ରହଣ କରିବାକୁ କେବେ ପଛଘୁଞ୍ଚା ଦିଏନାହିଁ । ଓଡ଼ିଶାର ରୂପାନ୍ତରଣରେ ପ୍ରତିଟି ଓଡ଼ିଆଙ୍କ ଭାଗିଦାରୀର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ପ୍ରକାଶ କରିଛନ୍ତି ।
ସେହିପରି ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୫ଜି ସେବା ଆରମ୍ଭ ହେବ ଏବଂ ଓଡ଼ିଶା ଆସିବ ବନେ୍ଦ ଭାରତ ଏକ୍ସପ୍ରେସ୍ । ଏଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ତଥା ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ନିର୍ମାଣ କନକ୍ଲେଭ୍-୨୨ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି, ବିଶ୍ୱରେ କୋଣ ଅନୁକୋଣରେ କାମ କରୁଥିବା ଓଡ଼ିଆମାନେ ନିଜ କାର୍ଯ୍ୟରେ ସବୁବେଳେ ଶ୍ରେଷ୍ଠ ପ୍ରଦର୍ଶନ କରିଥାନ୍ତି । ଆଲୁମିନିୟମ ଓ ଷ୍ଟିଲ କ୍ୟାପିଟାଲ ହୋଇପାରିବ ଓଡ଼ିଶା । ଶକ୍ତି ଉତ୍ପାଦନରେ ଓଡ଼ିଶା ଯଥେଷ୍ଟ ଆଗରେ । ଦକ୍ଷ ମାନବ ସମ୍ବଳ ଓଡ଼ିଶାକୁ ଇଲେକଟ୍ରୋନିକ୍ସ କ୍ଷେତ୍ରରେ ମଧ୍ୟ ଏକ ନମ୍ବର କରିପାରିବ ।
ଆଲୁମିନିୟମ୍ରେ ବିଶ୍ୱର ରାଜଧାନୀ ହୋଇପାରିବ ଓଡ଼ିଶା । ଏହା ସହ ଷ୍ଟିଲରେ ମଧ୍ୟ ଦେଶର ରାଜଧାନୀ ଓଡ଼ିଶା ହୋଇପାରିବ । ସାରା ଦେଶରେ ଶକ୍ତିର ଚାହିଦା ରହିଛି । ଆଗକୁ ମଧ୍ୟ ଆହୁରି ଚାହିଦା ବଢିବ । ଓଡ଼ିଶାରେ ଶକ୍ତି ଉତ୍ପାଦନ କରି ସାରା ଦେଶକୁ ଦେଇପାରିବା । ଆମେ ଯଦି ସଠିକ୍ ଯୋଜନାରେ କାମ କରିବା ତେବେ ଶକ୍ତି କ୍ଷେତ୍ରରେ ମଧ୍ୟ ଓଡ଼ିଶା ଦେଶର ରାଜଧାନୀ ହୋଇପାରିବ । ଏହା ସହ ଇଲେକ୍ଟ୍ରୋନିକ୍ସ ମ୍ୟାନୁଫାକ୍ଚରିଂର କ୍ୟାପିଟାଲ ମଧ୍ୟ ଓଡ଼ିଶା ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ।
ଓଡ଼ିଶା ନିର୍ମାଣରେ ଟେକ୍ନୋଲୋଜିର ଭୂମିକାକୁ ମତ ରଖି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ପ୍ରାକୃତିକ ସମ୍ପଦ ଓ ବିସ୍ତୀର୍ଣ୍ଣ ବେଳାଭୂମି ସହ ଓଡ଼ିଆ ଲୋକ ହିଁ ଓଡ଼ିଶାର ଶକ୍ତି । ୨୦୧୪ ପୂର୍ବରୁ ରେଲୱେର ବିକାଶ ପାଇଁ ଓଡ଼ିଶାକୁ ଆସୁଥିଲା ବାର୍ଷିକ ୮୩୮ କୋଟି ଟଙ୍କା । ମୋଦି ସରକାରରେ ଏହି ଅନୁଦାନ ୪ ଗୁଣାରୁ ଅଧିକ ବଢିଛି । ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାକୁ ୯୭୩୪ କୋଟି ଟଙ୍କା ରେଲୱେ ଅନୁଦାନ ମିଳିଛି ।
ଓଡ଼ିଶା ପାଇଁ ୫୫୨୧୯ କୋଟି ଟଙ୍କାର ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ୩୧ ମାର୍ଚ୍ଚ ପରେ ଏବେ ସୁଦ୍ଧା ୪ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । କଂଗ୍ରେସ ସମୟରେ ବର୍ଷକୁ ୨୫ରୁ ୨୬ କିଲୋମିଟର ରେଳ ଲାଇନ ସମ୍ପୂର୍ଣ୍ଣ ହେଉଥିଲା । ଗତବର୍ଷ ଓଡ଼ିଶାରେ ୧୮୦ କିଲୋମିଟରର ନୂଆ ରେଳ ଲାଇନ ନିର୍ମାଣ ହୋଇଛି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୫୫୦ କିଲୋମିଟରର ନୂଆ ରେଳ ଲାଇନ କାର୍ଯ୍ୟ ଓଡ଼ିଶାରେ ଶେଷ ହେବ ।
ସେହିପରି କେନ୍ଦ୍ର କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କହିଛନ୍ତି ଯେ, ରାଜ୍ୟରୁ ଯାଇଥିବା ଲୋକ ପ୍ରତିନିଧିଙ୍କ ପ୍ରଶ୍ନକୁ ସଂସଦରେ ଶାସନରେ ଥିବା ସମ୍ପୃକ୍ତ ମନ୍ତ୍ରୀ ଭଲ ଭାବେ ଶୁଣିବା ସହ ସେ ବାଦରେ ଉଚିତ ଉତ୍ତର ରଖୁଛନ୍ତି । ଏହାସହ ତାକୁ ପୂରଣ କରିବାକୁ ଚେଷ୍ଟା କରନ୍ତି । ହେଲେ ଏଥିପାଇଁ ତାଙ୍କୁ ବିଭିନ୍ନ ପର୍ଯ୍ୟାୟ ଅନୁସରଣ କରିବାକୁ ପଡେ । ବିକାଶ ପାଇଁ ଡବଲ ଇଞ୍ଜିନ୍ ସରକାର ସବୁଠୁ ଭଲ । ଉଭୟ ରାଜ୍ୟ ଓ କେନ୍ଦ୍ରରେ ଗୋଟିଏ ଦଳର ସରକାର ରହିଲେ ରାଜ୍ୟର ଭଲ ବିକାଶ ହୋଇପାରିବ ବୋଲି ସେ କହିଛନ୍ତି ।
ଶେଷରେ କନକ୍ଲେଭରେ ଯୋଗଦେଇ ଚଳଚ୍ଚିତ୍ର ଦମନର ସଫଳତା କଥା କହିଛନ୍ତି ଅଭିନେତା ବାବୁସାନ ମହାନ୍ତି । ଓଡିଆ ଚଳଚ୍ଚିତ୍ର ଧାରା ବଦଳାଇବା ତାଙ୍କ ପାଇଁ କେତେ କେତେ କଷ୍ଟକର ହୋଇ ପଡିଥିଲା ସେ କଥା ଓଡିଶା ନିର୍ମାଣ କନକ୍ଲେଭ ମଞ୍ଚରେ ଉଠାଇଥିଲେ ବାବୁସାନ । ଗୋଟେ ସମୟରେ ମୋତେ ମୋ ଫିଲ୍ମ ଭଲ ଲାଗୁ ନ ଥିଲା । ଭଲ ସବଜେକ୍ଟ, ଭଲ କଣ୍ଟେଣ୍ଟକୁ ଅପେକ୍ଷା କରିଥିଲି । ଭଲ ଫିଲ୍ମର ଫର୍ମୁଲା ସମସ୍ତଙ୍କ ସହଯୋଗ ରହିବା । ଫିଲ୍ମ ଦମନରେ ସମସ୍ତଙ୍କ ସହଯୋଗ ରହିବାରୁ ସଫଳ ହେଲା । ମାଲକାନଗିରିରେ ସୁଟିଂ ବେଳେ ଭଲ ଅନୁଭୂତି ଥିଲା । ଫିଲ୍ମର କାହାଣୀ ଭଳ ଅଛି ବୋଲି ଓଡିଆ ଫିଲ୍ମରେ ବିପ୍ଲବ ଆସିଲା । ପରିବର୍ତ୍ତନ ଆଣିବା ସହଜ ନଥିଲା । ଦମନ ଆମ ସମସ୍ତଙ୍କୁ ଦିଶା ଦେଖାଇଲା ବୋଲି ବାବୁ କହିଛନ୍ତି ।