ବାରିପଦା କାଇକୁ ଜିଆଇ ଟ୍ୟାଗ୍ ପ୍ରସ୍ତୁତି
ବାରିପଦା (ଆପ୍ର): ମୟୂରଭଞ୍ଜର କାଇ ପିମ୍ପୁଡ଼ିକୁ ମିଳିବ ଜିଆଇ ଟ୍ୟାଗ୍ । ଏ ନେଇ ସବୁଜ ସଙ୍କେତ ମିଳିସାରିଛି ଆସନ୍ତା ଡିସେମ୍ବର ୬ରେ ଭୁବନେଶ୍ୱରରେ ଚୂଡ଼ାନ୍ତ ପ୍ରକ୍ରିୟା ଅନୁଷ୍ଠିତ ହେବ । ଯେଉଁଥିରେ ମୟୂରଭଞ୍ଜର ୫ ଜଣ କାଇ ପିମ୍ପୁଡି ଗବେଷକ ଯୋଗ ଦେବେ ।
ରାଜ୍ୟ ସରକାରଙ୍କ ନିଦେ୍ର୍ଦଶ ପରେ ଓୟୁଏଟି ବୈଜ୍ଞାନିକ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରାଳୟକୁ ଏ ସଂକ୍ରାନ୍ତରେ ଚିଠି ଲେଖିଥିଲେ । କାଇ ପିମ୍ପୁଡ଼ିକୁ କିଏ ନାଲି ପିମ୍ପୁଡ଼ି ତ କିଏ କୁରକୁଟି କହିଥା’ନ୍ତି ଏବଂ ଇଂରାଜୀରେ ଏହାକୁ ରେଡ୍ ଆଣ୍ଟ ବୋଲି କୁହାଯାଏ । ଔଷଧୀୟ ଗୁଣ ଯୋଗୁଁ କାଇ ପିମ୍ପୁଡ଼ି ଉପରେ ଏବେ ବି ଗବେଷଣା ଜାରି ରହିଛି । ମୁଖ୍ୟତଃ ଜଙ୍ଗଲରେ ବଡ଼ବଡ଼ ଗଛ ଶାଳ, କୁସୁମ, ମହୁଲ, ଜାମୁ, ଆମ୍ବ ଆଦି ମିଠା ଓ ଫଳନ୍ତି ଗଛରେ ଏମାନେ ବସା ବାନ୍ଧି ରହିଥାଆନ୍ତି । କୁହାଯାଏ, ଛଅ ଶହ ଖ୍ରୀଷ୍ଟାବ୍ଦରେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ଅଠର ଦେଉଳରେ ବାଥୁଡି ସଂପ୍ରଦାୟ ବସବାସ କରୁଥିବାବେଳେ କାଇ ପିମ୍ପୁଡ଼ିକୁ ଖାଦ୍ୟ ଭାବେ ବ୍ୟବହାର ଆରମ୍ଭ କରିଥିଲେ । ପରେ ଏହାକୁ ଔଷଧ ଭାବେ ବ୍ୟବହାର କରାଗଲା । ଏବେ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଓୟୁଏଟିକୁ ଡେମୋନ୍ଷ୍ଟ୍ରେସନ ରିପୋର୍ଟ ମାଗିବା ପରେ କାଇ ପିମ୍ପୁଡ଼ିକୁ ଜିଆଇ ମାନ୍ୟତା ମିଳିବା ଆଶା ଉଜ୍ୱଳ ହୋଇଛି ।
ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ଅଠର ଦେଉଳରେ ବାଥୁଡି ସଂପ୍ରଦାୟ ବସବାସ କରୁଥିବା ବେଳେ ସେହି ଦିନଠାରୁ ଆଜି ଯାଏଁ କାଇ ପିମ୍ପୁଡ଼ିକୁ ଖାଦ୍ୟ ଓ ଔଷଧ ଭାବେ ବ୍ୟବହାର କରିବା ଶିଖିଥିଲେ ବୋଲି ଗବେଷକ ଇଂ. ନୟାଧର ପଢିଆଲ କହୁଛନ୍ତି । କାଇ ପିମ୍ପୁଡ଼ିର ବସାକୁ ଦୃଷ୍ଟିରେ ରଖି ପାଣିପାଗର ଭବିଷ୍ୟବାଣୀ କରାଯାଉଥିଲା । ଜଙ୍ଗଲରେ କାଇ ପିମ୍ପୁଡ଼ି ଅଧିକ ଅଛନ୍ତି ଅର୍ଥାତ୍ ମାଟି ଉର୍ବର ସହ ମାଟି ତଳେ ପାଣି ରହିଛି ବୋଲି ଲୋକେ ନିଶ୍ଚିତ ହେଉଥିଲେ । ମୟୂରଭଞ୍ଜ ଆଦିବାସୀଙ୍କ ଜୀବନଶୈଳୀ ସହ କାଈ ପିମ୍ପୁଡ଼ିର ସମ୍ପର୍କ ପୁରୁଣା ଆଉ ଏବେ ଏହାକୁ ଜିଆଇ ମାନ୍ୟତା ମିଳିବାକୁ ଯାଉଥିବାରୁ ସରକାରଙ୍କ ପାଖରେ ଦାବି ରଖି ଆସୁଥିବା ଶ୍ରୀ ପଢ଼ିଆଲ ଖୁସିବ୍ୟକ୍ତ କରିଛନ୍ତି ।