ଚାଷୀ ପ୍ରସଙ୍ଗରେ କଟିଲା ମୂଲତବୀ ପ୍ରସ୍ତାବ
ବିରତ ରହିଲା ବିଜେପି
ଭୁବନେଶ୍ୱର, ୨୬ା୧୧ (ବୁ୍ୟରୋ): ବିଧାନସଭାର ତୃତୀୟ ଦିନରେ ପୁଣି ଉଠିଛି ଚାଷୀ ପ୍ରସଙ୍ଗ । ଚାଷୀଙ୍କୁ ଫସଲବୀମା ବିଳମ୍ବକୁ ନେଇ ସବୁ ଦଳ ଗତ ୨ ଦିନ ହେବ ଗୃହରେ ହଟ୍ଟଗୋଳ କରୁଥିବାବେଳେ ଶନିବାର ଶୂନ୍ୟକାଳରେ କଂଗ୍ରେସ ପକ୍ଷରୁ ମୂଲତବୀ ପ୍ରସ୍ତାବ ‘ରାଜ୍ୟରେ ଚାଷୀମାନେ ଶୋଷଣର ଶୀକାର, ଧାନବିକ୍ରୀରେ ବ୍ୟାପକ ଅବ୍ୟବସ୍ଥା ସହ ଇନ୍ପୁଟ୍ ସବ୍ସିଡ୍ ଓ ବୀମାରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି’ ଶୀର୍ଷକକୁ ନେଇ ସରଗରମ ଆଲୋଚନା ହୋଇଛି ।
କଂଗ୍ରେସ ଓ ବିଜେଡି ଏହି ଆଲୋଚନାରେ ଅଂଶ ଗ୍ରହଣ କରିଥିବାବେଳେ ମୁଖ୍ୟ ବିରୋଧୀ ଦଳ ବିଜେପି ଆଲୋଚନାରୁ ନିଜକୁ ବିରତ ରଖିଛି । ବିଧାନସଭା ଚାଲୁଥିବାବେଳେ ଶାସକ ଦଳ ବିଜେଡିର ଅଧିକାଂଶ ସଦସ୍ୟ ଓ ମନ୍ତ୍ରୀ ଗୃହରେ ଅନୁପସ୍ଥିତ ଅଛନ୍ତି । ଏହା ଅସାମ୍ବିଧାନିକ ଓ ଅଗଣତାନ୍ତ୍ରୀକ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନଚରଣ ମାଝୀ ଏହି ଅବସରରେ ପ୍ରକାଶ କରିଛନ୍ତି ।
ଶାସକ ଦଳର ବିଧାୟକ ଓ ମନ୍ତ୍ରୀଙ୍କ ଅନୁପସ୍ଥିତି ପାଇଁ ବିରୋଧୀ ଦଳ ଆଲୋଚନାରେ ଅଂଶଗ୍ରହଣ ନ କରି ବାଚସ୍ପତିଙ୍କ ସିଟ୍ ସମ୍ମୁଖରେ ଧାରଣା ଦେଇଥିବା ନଜରକୁ ଆସିଛି । ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଓ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଜେପି ସଦସ୍ୟଙ୍କୁ ମନାଇବାକୁ ବହୁ ଉଦ୍ୟମ କରିବା ସତ୍ତ୍ୱ ଉଦ୍ୟମ ବିଫଳ ହୋଇଥିବା ଦେଖିବାକୁ ମିଳିଛି ।
ଏହି ସ୍ଥିତିରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ସମସ୍ତ ଦଳ ଚାଷୀଙ୍କୁ ସମର୍ଥନ କରୁଛନ୍ତି ତେବେ ଚାଷୀଙ୍କ ଅସୁବିଧା କେଉଁଠି ରହିଲା । ସମସ୍ତେ ଯଦି ରାଜି ଗୋଟେ ଦିନରେ ଆଇନ ପ୍ରଣୟନ କରାଯାଉ, ଯିଏ ଦୋଷୀ ତାକୁ ଦଣ୍ଡ ଦିଆଯାଉ । ଚାଷୀ ସମସ୍ୟା ସମାଧାନ ହୋଇଯିବ । ସେ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରି କହିଛନ୍ତି, ଉଭୟ ଦଳ ଚାଷୀଙ୍କ ସହ ଖେଳ ଖେଳୁଛନ୍ତି, ଗୃହର ନେତା ଗୃହ ଆସନ୍ତି ନାହିଁ । ଆଲୋଚନା ହେଉ, ଆଇନ ଆସୁ, ନଚେତ୍ ଖାଲି ପଦ୍ମପୁର ଲାଗି ରାଜନୀତି କଲେ ଚାଷୀ ଲାଭବାନ ହେବନି । ଗୃହ ବନ୍ଦ ରଖିବା ଉଚିତ୍ ନୁହେଁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ସେହିପରି ବିଜେପି ଚାଷୀ ଅଧିକାର ପାଇଁ ଦାବି କରୁଛି । କିନ୍ତୁ ଶୁକ୍ରବାର ସେ ମୁଲତବୀ ପ୍ରସ୍ତାବ ଆଣିଲେ ନାହିଁ । ସେପଟେ ଶାସକ ଦଳ ମଧ୍ୟ ନୀରବ ରହିବା ସହ ବିରୋଧୀ ଦଳ ଭୂମିକା ସମ୍ପାଦନ କଲା । ଏମ୍ଏସ୍ପି ବୃଦ୍ଧି ପାଇଁ କେନ୍ଦ୍ରକୁ କୁହାଯାଇଥିଲା, କେନ୍ଦ୍ର ସହ ତ ଆପଣଙ୍କର ଭଲ ସମ୍ପର୍କ, ଗୋଟେ ଫୋନ୍ କଲରେ ରାଜ୍ୟସଭା ଟିକେଟ ଦେଇ ଦଉଛ । ଏମ୍ଏସ୍ପି ନେଇ ଆପଣ ଫୋନ୍ କଲେ ନି କାହିଁକି । କେନ୍ଦ୍ର ନ ଦେଲେ ରାଜ୍ୟ ସରକାର ଏମ୍ଏସ୍ପି ୨୯୩୦ କାହିଁକି ଲାଗୁ କଲେନି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ମିଶ୍ର । ସେହିପରି କଂଗ୍ରେସ ଚାଷୀଙ୍କ ସମସ୍ୟା ନେଇ ଗୃହରେ ମୂଲତବୀ ପ୍ରସ୍ତାବ ରଖିଛି, ତେଣୁ ଏଥିରେ ଅଂଶଗ୍ରହଣ କରିବା ସଦସ୍ୟଙ୍କ କାମ । ହେଲେ ବିଜେପି ବିଧାୟକମାନେ ପ୍ରସଙ୍ଗରେ ଭାଗ ନ ନେବା ନିନ୍ଦାର ବିଷୟ । ଚାଷୀଙ୍କ ପ୍ରତି ଥିବା ବିଜେପିର ଦରଦ ଏଥିରୁ ସ୍ପଷ୍ଟ ବୋଲି ସେ କହିଛନ୍ତି ।
ଠିକ୍ ସେହିପରି ଚାଷୀ ପ୍ରସଙ୍ଗରେ ଦିଆଯାଇଥିବା ମୁଲତବୀ ନୋଟିସ ଆଲୋଚନାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ପଦ୍ମପୁର ଉପନିର୍ବାଚନ ପାଇଁ ଇନପୁଟ ସବସିଡି ଘୋଷଣା କଲେ ରାଜ୍ୟ ସରକାର । ଏତେ ବିଳମ୍ବରେ କାହିଁକି ସରକାରଙ୍କୁ ଇନପୁଟ ସବସିଡି କଥା ମନେ ପଡ଼ିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେହିପରି ଫସଲ ବୀମା ଯୋଜନାରେ କେନ୍ଦ୍ରକୁ ସମାଲୋଚନା କରି ସାଲୁଜା କହିଛନ୍ତି, ଜୁଲାଇ ୩୧ ସୁଦ୍ଧା ଚାଷୀମାନେ ଟଙ୍କା ପାଇବା କଥା । ମାତ୍ର ଏ ପର୍ଯ୍ୟନ୍ତ କାହିଁକି ଚାଷୀ ପାଇଲେ ନାହିଁ । ଯୋଜନାରେ ଉଭୟ କେନ୍ଦ୍ର ଓ ରାଜ୍ୟର ସେୟାର ସମାନ ରହିଛି । ତେଣୁ କାହିଁକି ଯୋଜନାର ନାମ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରହିବ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ହଜାର ହଜାର କୋଟି ଟଙ୍କାର ସ୍କାମ ହୋଇଛି । ପଦ୍ମପୁର ଭୋଟବେଳେ ପ୍ରଧାନମନ୍ତ୍ରୀ ଫସଲ ଟଙ୍କା ଦିଆଗଲା । ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ହେଉଛି । କଟନିଛଟନିର ଶିକାର ହେଉଛନ୍ତି ଚାଷୀ । ଛତିଶଗଡ଼ରେ ଧାନ ମୂଲ୍ୟ ୨୫୦୦ ଟଙ୍କା ହୋଇଥିବାରୁ ଓଡ଼ିଶାର ଧାନ ଛତିଶଗଡ଼କୁ ଚାଲି ଯାଉଛି । ଘୋଷଣା ସତ୍ତ୍ୱେ ଏଠି ଚାଷୀ ବୋନସ୍ ବି ଦିଆଯାଉନି ବୋଲି ସାଲୁଜା ଅଭିଯୋଗ କରିଛନ୍ତି ।
ସେହିପରି ଶାସକ ଦଳ ସଦସ୍ୟ ରାଜକିଶୋର ଦାସ ପ୍ରସଙ୍ଗରେ ମତ ରଖି କହିଛନ୍ତି, ଉଲଟା ଚୋର କୋଥ୍ୱାଲ୍କୋ ଡାଣ୍ଟେ । କଂଗ୍ରେସ ପକ୍ଷରୁ ଯେଉଁ ମୂଲତବୀ ପ୍ରସ୍ତାବ ଆସିଛି ତା ଉପରେ ସେ ନିଜେ ଟିକେ ବିଚାର କରିବା ଜରୁରୀ ଥିଲା । ସ୍ୱାଧୀନତା ପରର ୭ ଦଶନ୍ଧୀ ଦଳ ଦେଶକୁ ଶାସନ କରିଛି । ତେବେ ଚାଷୀଙ୍କ ପାଇଁ ସେ କରୁଥିଲା କ’ଣ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି । ଶେଷରେ ମୂଲତବୀ ପ୍ରସ୍ତାବରେ ମନ୍ତ୍ରୀ ପ୍ରଦୀପ ଅମାତ ମତାମତ ପ୍ରଦାନ କରି କହିଥିଲେ, କେତେକ ପଞ୍ଚାୟତରେ ଫସଲକଟା ପରୀକ୍ଷଣ ମାଧ୍ୟମରେ ଅମଳ ଆକଳନ ବାବଦରେ ବୀମାକମ୍ପାନୀମାନେ ଆପତ୍ତି ଉଠାଇଥିଲେ । ଏଥିପାଇଁ ବୀମା କ୍ଷତିପୂରଣ ରାଶୀ ପ୍ରଦାନ ବିଳମ୍ବିତ ହୋଇଥିଲା ।
କେନ୍ଦ୍ର ସରକାରଙ୍କ ଟେକ୍ନିକାଲ ଆଡଯାଇଜରି କମିଟି ଏସବୁ ବୀମା କମ୍ପାନୀର ଆବେଦନକୁ ବିଚାରକୁ ନେଇ ୧୮୯ ବୀମା (ପଞ୍ଚାୟତ ଓ ସହରାଞ୍ଚଳ) ନିମନ୍ତେ ଅମଳ ପୁନଃଧାର୍ଯ୍ୟ କରି ବୀମା କମ୍ପାନୀ ଓ ରାଜ୍ୟ ସରକାରଙ୍କୁ ଜଣାଇଥିଲେ । ସେହି ଅନୁସାରେ ଏବେ ବୀମା କମ୍ପାନୀମାନେ କ୍ଷତିପୂରଣ ପ୍ରଦାନ କରୁଛନ୍ତି । ଏଯାବତ୍ ମୋଟ ୩୦.୨୮ ଲକ୍ଷ ଆବେଦନପତ୍ର ବାବଦରେ ୧୧୧୩.୬୫ କୋଟି ଟଙ୍କା ବୀମାରାଶୀ ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି୧୨ ଜିଲ୍ଲାର ୬୪ ବ୍ଲକ୍ର ୬୩୮୮ ଗାଁ ଓ ୧୫ ପ୍ରେରାଞ୍ଚଳର ୮୭ ୱାର୍ଡର ମୋଟ ୨.୬୩ ଲକ୍ଷ ହେକ୍ଟର ଚାଷ ଜମିର ୩୩% ରୁ ଅଧିକ ଭାଗ ଖରିଫ ଋତୁ ୨୦୨୧ରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ମରୁଡ଼ି ହୋଇଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି ।