ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଆସିକା ଓକିଲ ସଂଘ
ଜୋର୍ ଧରିଲା ଋଷିକୁଲ୍ୟା ଜିଲ୍ଲା ଗଠନ ଦାବି
ଆସିକା (ଆପ୍ର): ବରଗଡ଼ ଜିଲ୍ଲାର ପଦ୍ମପୁରକୁ ନୂଆ ଜିଲ୍ଲା ଗଠନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନୂତନ ଜିଲ୍ଲା ଗଠନ ପାଇଁ ଦାବି ଦିନକୁ ଦିନ ଜୋର୍ ଧରିବାରେ ଲାଗିଛି । ଆସିକା, କବିସୂର୍ଯ୍ୟନଗର, ଧରାକୋଟ, ଶେରଗଡ଼, ସାନଖେମୁଣ୍ଡି, ହିଞ୍ଜିଳିକାଟୁ, ସୋରଡ଼ା ଓ ପୋଲସରା ଅଞ୍ଚଳରେ ଥିବା ୫ ଏନଏସି, ୧୮୦ ପଞ୍ଚାୟତ, ୧୧୩୪ ଗ୍ରାମକୁ ନେଇ ଋଷିକୁଲ୍ୟା ଜିଲ୍ଲା ଗଠନ ଦିଗରେ ପଦକ୍ଷେପ ନେବାକୁ ଆସିକା ଓକିଲ ସଂଘ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି । ଏହାର ନକଲ ରାଜ୍ୟ ବିପର୍ଯ୍ୟୟ ଓ ପ୍ରଶମନ ମନ୍ତ୍ରୀ, ଗଞ୍ଜାମ ଜିଲ୍ଲାପାଳ, ରାଜସ୍ୱ କମିଶନର୍, ଆସିକା ସାଂସଦ ଓ ବିଧାୟିକାଙ୍କ ନିକଟକୁ ପ୍ରେରଣ କରାଯାଇଛି । ଋଷିକୁଲ୍ୟା ଜିଲ୍ଲା ଗଠନ ପାଇଁ ଦୀର୍ଘ ବର୍ଷ ହେଲା ଆସିକା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବି ହୋଇଆସୁଛି । ଅତୀତରେ ଋଷିକୁଲ୍ୟା ଜିଲ୍ଲା ଗଠନ ଦାବି କରି ଆସିକା ଓକିଲ ସଂଘ ପକ୍ଷରୁ ବହୁବାଦ ଆସିକା ବନ୍ଦ ଡାକରା ହୋଇଥିଲେ ମଧ୍ୟ ସମସ୍ତ ପ୍ରକାର ଭିତ୍ତିଭୂମି ଥିବା ସତ୍ତ୍ୱେ ଋଷିକୁଲ୍ୟା ଜିଲ୍ଲା ଗଠନ ଦିଗରେ ପଦକ୍ଷେପ ନିଆହେଉ ନ ଯୋଗୁଁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ଆସିକାରେ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ, ଡାକ ଅଧିକ୍ଷକଙ୍କ କାର୍ଯ୍ୟାଳୟ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ଙ୍କ ଅଦାଲତ, ଆସିକା ଉପଖଣ୍ଡ ଚିକିତ୍ସାଳୟ, ଆସିକା ସମବାୟ ଚିନିଶିଳ୍ପ ଲିଃ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବହୁ ଗୁରୁତ୍ୱପୁ୍ର୍ଣ୍ଣ କାର୍ଯ୍ୟାଳୟ ରହିଛି । ରାଜ୍ୟ ସରକାର ଆସିକା, କବିସୂର୍ଯ୍ୟନଗର, ଧରାକୋଟ, ଶେରଗଡ଼, ସାନଖେମୁଣ୍ଡି, ହିଞ୍ଜିଳିକାଟୁ, ସୋରଡ଼ା ଓ ପୋଲସରା ଇତ୍ୟାଦି ଅଞ୍ଚଳକୁ ନେଇ ଋଷିକୁଲ୍ୟା ଜିଲ୍ଲା ଗଠନ କରିବା ସହ ଭୌଗଳିକ ଦୃଷ୍ଟିକୋଣରୁ ସମସ୍ତ ଭିତ୍ତିଭୂମି ଥିବା ଆସିକାରେ ଏହା ମୁଖ୍ୟାଳୟ ରଖିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢଦାବି ହେଉଛି ।