ଶିକ୍ଷକ, ଡାକ୍ତର, ଓକିଲ ଭଗବାନତୁଲ୍ୟ
ଦେଶବ୍ୟାପୀ ୭୪ତମ ସମ୍ବିଧାନ ଦିବସ ପାଳିତ
ନୂଆଦିଲ୍ଲୀ(ଏଜେନ୍ସି): ଦେଶବ୍ୟାପୀ ୭୪ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ୧୯୪୯ରେ ଦେଶର ସମ୍ବିଧାନ ପ୍ରଣୟନ କରାଯାଇଥିବା ବେଳେ ଇତି ମଧ୍ୟରେ ୭୪ ବର୍ଷ ଅତିବାହିତ ହୋଇଛି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସିଜେଆଇ ଡିୱାଇ ଚନ୍ଦ୍ରଚୂଡ ଏବଂ ଆଇନ୍ ମନ୍ତ୍ରୀ ପ୍ରମୁଖ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସମ୍ବିଧାନ ଦିବସ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବକ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ନିଜ ଅଭିଭାଷଣ ରଖିଛନ୍ତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ସେ ଏକ କ୍ଷୁଦ୍ର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତେଣୁ ସେ ଗ୍ରାମୀଣ ଲୋକଙ୍କ ଆଚାର, ବିଚାର ସହ ବେଶ୍ ଭଲଭାବେ ଜଡ଼ିତ । ତାଙ୍କ ଦେଖିବାରେ ଗ୍ରାମୀଣ ଲୋକେ ଶିକ୍ଷକ, ଡାକ୍ତର ଏବଂ ଓକିଲ ତଥା ବିଚାରପତିଙ୍କୁ ଭଗବାନ ମାନୁଥିଲେ । ଗ୍ରାମୀଣ ଲୋକେ ଏମାନଙ୍କୁ ଭଗବାନ ବୋଲି ଏଥିପାଇଁ ମାନୁଥିଲେ କାରଣ ସେମାନେ ଭାବୁଥିଲେ ଏହିମାନେ ହିଁ ସେମାନଙ୍କୁ ସବୁବିପଦରୁ ମୁକ୍ତି ଦେଇପାରିବେ । ତେବେ ବର୍ତ୍ତମାନ ସମୟରେ ଏଥିରେ ଅନେକ ଅନ୍ତର ଆସିଥିବା ସେ କହିଛନ୍ତି । ରାଷ୍ଟ୍ରପତି କାର୍ଯ୍ୟାପାଳିକା, ନ୍ୟାୟପାଳିକା ଏବଂ ବିଧାୟକ ଭଳି ସାମ୍ବିଧାନିକ ବ୍ୟବସ୍ଥାକୁ ସାଧାରଣ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା କମ୍ କରିବା ପାଇଁ ପ୍ରଭାବୀ ଢ଼ଙ୍ଗରେ ସମାଧାନ ତନ୍ତ୍ର (ଉପାୟ) ବିକଶିତ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଜଟିଳ ଶାସନ ତଥା ନ୍ୟାୟ ବ୍ୟବସ୍ଥା ଦ୍ୱାରା ସାଧାରଣ ଲୋକ ଯେପରି ଛନ୍ଦି ହୋଇ ଅଣନିଶ୍ୱାସୀ ହୋଇନପଡେ ସେଥିପ୍ରତି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି । ପୁଲିସ୍ବ୍ୟବସ୍ଥା ଠାରୁ ଆରମ୍ଭ କରି ନ୍ୟାୟପାଳିକା ପର୍ଯ୍ୟନ୍ତ, ଆଇନ୍ ଗତ ଭାବେ ଦେଶବାସୀଙ୍କୁ ନ୍ୟାୟ ପ୍ରଦାନ ଦିଗରେ ଯତ୍ନବାନ୍ ହେବାକୁ ରାଷ୍ଟ୍ରପତି କହିଛନ୍ତି । ତେବେ ବର୍ତ୍ତମାନ ସମୟରେ ଭାରତରେ ମହିଳା ସମ୍ବିଧାନ ନିର୍ମାଣରେ ଭାଗ ନେଉଥିବା ନେଇ ରାଷ୍ଟ୍ରପତି ଖୁସିବ୍ୟକ୍ତ କରିଛନ୍ତି ।