ଆକାଶଦୀପଙ୍କ ହାଟ୍ରିକ୍ ସତ୍ତ୍ୱେ ଭାରତର ପରାଜୟ
ଅଷ୍ଟ୍ରେଲିଆ ବିପକ୍ଷ ହକି ଟେଷ୍ଟ
ଆଡିଲେଡ୍, ୨୬ା୧୧ (ଏଜେନ୍ସି): ଆକାଶଦୀପ ସିଂହଙ୍କ ହାଟ୍ରିକ୍ ଅର୍ଜନ ସତ୍ତ୍ୱେ ଭାରତୀୟ ଟିମ୍ ଶନିବାର ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ହକି ଟେଷ୍ଟରେ ଅଷ୍ଟ୍ରେଲିଆ ଠାରୁ ୪-୫ରେ ପରାଜିତ ହୋଇଛି । ରବିବାର ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ ।
ଭାରତ ପକ୍ଷରୁ ଆକାଶଦୀପ ସିଂହ (୧୦ମ, ୨୭ତମ ଓ ୫୯ତମ ମିନିଟ୍) ତିନି ଗୋଲ୍ ସ୍କୋର୍ କରିଥିବା ବେଳେ ଅଧିନାୟକ ହରମନପ୍ରୀତ ସିଂହ (୩୧ତମ) ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଲକଲାନ୍ ଶାର୍ପ (୫ମ), ନାଥନ୍ ଏଫରାଉମ୍ସ (୨୧ତମ), ଟମ୍ କ୍ରେଗ୍ (୪୧ତମ) ଫିଲ୍ଡ ଗୋଲ୍ ଦେଇଥିବା ବେଳେ ବ୍ଲାକ୍ ଗୋଭର୍ସ (୫୭ତମ, ୬୦ତମ) ପେନାଲ୍ଟି କର୍ଣ୍ଣରରୁ ସ୍କୋର୍ କରିଥିଲେ ।
ଅଷ୍ଟ୍ରେଲିଆ ଆକ୍ରମଣାତ୍ମକ ଭଙ୍ଗୀରେ ମ୍ୟାଚ୍ ଆରମ୍ଭ କରି ପଞ୍ଚମ ମିନିଟ୍ରେ ଅଗ୍ରଣୀ ହାସଲ କରିଥିଲା । ଶାର୍ପ ଭାରତୀୟ ଗୋଲ୍କିପର୍ ପିଆର୍ ଶ୍ରୀଜେଶଙ୍କୁ ଚକମା ଦେଇ ସଅଳ ଡେଡ୍ଲକ୍ ଭାଙ୍ଗିଥିଲେ । କିଛି ସମୟ ମଧ୍ୟରେ ଭାରତ ପକ୍ଷରୁ ଅମିତ ରୋହିଦାସ ଲେଫ୍ଟ ଫ୍ଲାଙ୍କ୍ରୁ ଏକ ସୁନ୍ଦର ମୁଭ୍ କରିଥିଲେ; ହେଲେ ସର୍କଲ୍ ଭିତରେ ଅଷ୍ଟ୍ରେଲୀୟ ରକ୍ଷଣପନ୍ଥୀ ଏହି ପ୍ରୟାସକୁ ବିଫଳ କରିଦେଇଥିଲେ ।
ହାର୍ଦ୍ଦିକ ସିଂହ ଏକ ଚମକ୍ପ୍ରଦ ସୁଯୋଗ ସୃଷ୍ଟି କରିବା ପରେ ଆକାଶଦୀପ ୧୦ମ ମିନିଟ୍ରେ ଭାରତ ପକ୍ଷରୁ ଗୋଲ୍ ପରିଶୋଧ କରିଥିଲେ । ଦ୍ୱିତୀୟାର୍ଦ୍ଧର ଷଷ୍ଠ ମିନିଟ୍ରେ ଅଷ୍ଟ୍ରେଲିଆ ଭାରତୀୟ ଦୁର୍ବଳ ଡିଫେନ୍ସର ଫାଇଦା ଉଠାଇ ପୁନର୍ବାର ଅଗ୍ରଣୀ ହୋଇଥିଲା । ଏଫରାଉମ୍ସଙ୍କ ଏକ ଡିଫ୍ଲେକ୍ସନ୍ରୁ ସ୍କୋର୍ ହୋଇଥିଲା । ଆକାଶଦୀପ ୨୭ତମ ମିନିଟ୍ରେ ରିଭର୍ସ ହିଟ୍ରୁ ସ୍କୋର୍ କରି ପୁଣି ଥରେ ସ୍କୋର୍କୁ ବରାବର ସ୍ଥିତିକୁ ଆଣିଥିଲେ ।
ମଧ୍ୟାନ୍ତର ବେଳକୁ ଅଷ୍ଟ୍ରେଲିଆ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା; ହେଲେ ଭାରତର ଦ୍ୱିତୀୟ ଗୋଲ୍କିପର୍ କ୍ରିଷନ୍ ବାହାଦୁର ପାଠକ ଏହି ସଙ୍କଟକୁ ଏଡ଼ାଇ ଦେଇଥିଲେ । ମଧ୍ୟାନ୍ତର ସୁଦ୍ଧା ସ୍କୋର୍ଲାଇନ୍ ୨-୨ ରହିଥିଲା ।
ପାଶ୍ୱର୍ ପରିବର୍ତ୍ତନର ଏକ ମିନିଟ୍ ପରେ ହରମନପ୍ରୀତ ପେନାଲ୍ଟି କର୍ଣ୍ଣରରୁ ସ୍କୋର୍ କରି ଟିମ୍କୁ ପ୍ରଥମ ଥର ଅଗ୍ରଣୀ କରାଇଥିଲେ । ଏହାପରେ ଭାରତ କ୍ରମାଗତ ପିସି ପାଇଥିଲେହେଁ କୌଣସିଟି କାମରେ ଆସି ନ ଥିଲା । ୪୧ତମ ମିନିଟ୍ରେ ଅଷ୍ଟ୍ରେଲିଆ ଆଉ ଏକ ପିସି ପାଇଥିଲା ଏବଂ କ୍ରେଗ୍ ରିବାଉଣ୍ଡରୁ ସ୍କୋର୍ କରିଥିଲେ । ସ୍କୋର୍ ୩-୩ ସ୍ଥିତିକୁ ଆସିଯାଇଥିଲା ।
ଚତୁର୍ଥ କ୍ୱାର୍ଟରରେ ଜୋର୍ଦାର ଲଢ଼େଇ ଦେଖିବାକୁ ମିଳିଥିଲା । ଶେଷ ପାଞ୍ଚ ମିନିଟ୍ରେ ଜରମନପ୍ରୀତ ସିଂହଙ୍କୁ ଗ୍ରୀନ୍ କାର୍ଡ ପ୍ରଦର୍ଶନ କରାଯାଇଥିଲା । ଏହା ଫଳରେ ଟିମ୍ ବଳକ ସମୟ ୧୦ ଖେଳାଳିଙ୍କୁ ନେଇ ଖେଳିଥିଲା ।
ଅଷ୍ଟ୍ରେଲିଆ ଏହି ସୁଯୋଗର ଫାଇଦା ଉଠାଇ ଆଉ ଏକ ପିସି ପାଇଥିଲା, ଯେଉଁଥିରୁ ଗୋଭର୍ସ ୫୭ତମ ମିନିଟ୍ରେ ଶକ୍ତିଶାଳୀ ଫ୍ଲିକ୍ କରି ସ୍କୋର୍ କରିଥିଲେ । ଏହାର ଦୁଇ ମିନିଟ୍ ପରେ ଆକାଶଦୀପ ସ୍କୋର୍କୁ ବରାବର କରିଥିଲେ । ଏହାପରେ ଅଷ୍ଟ୍ରେଲିଆ ଆଉ ଦୁଇଟି ପିସି ପାଇଥିଲା । ଦ୍ୱିତୀୟ ପ୍ରୟାସରେ ଗୋଭର୍ସ ଗୋଲ୍ କରି ଟିମ୍କୁ ଜିତାଇଥିଲେ ।