ଧୂଳି ଉଡ଼ି ଭାତହାଣ୍ଡିରେ ଜମୁଛି

ରାସ୍ତା ନିର୍ମାଣରେ ଲୋକେ ହନ୍ତସନ୍ତ
ଯୋଡ଼ା (ଆପ୍ର): ଯୋଡା ସହର ମଧ୍ୟରେ ଫ୍ଲାଏଓଭର ନିର୍ମାଣକାରୀ ସଂସ୍ଥା ପକ୍ଷରୁ ରାସ୍ତା ନିର୍ମାଣ କରାଯାଉଥିବା ବେଳେ କଚା ଓ ଖାଲ ଢିପ ରାସ୍ତାରୁ ପ୍ରବଳ ଧୂଳି ଉଡୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏଥିଯୋଗୁ ଲୋକେ ଯାତାୟାତରେ ସମସ୍ୟା ଭୋଗୁଥିବା ବେଳେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ନଜିର ରହିଛି । ଏଣୁ ରାସ୍ତାରେ ପାଣି ସିଞ୍ଚନ କରି କାର୍ଯ୍ୟ କରିବାକୁ କୁହାଯାଉଥିଲେ ବି ନିର୍ମାଣକାରୀ ସଂସ୍ଥା ଏଥିରେ ଖିଲାପ କରୁଥିବା ୮ନଂ ୱାର୍ଡ ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି । ଏହାକୁ ବିରୋଧ କରି ସ୍ଥାନୀୟ ୱାର୍ଡର ମହିଳା ଓ ପୁରୁଷମାନେ ଏକଜୁଟ ହୋଇ ଧରଣୀଧର ଛକ ଠାରେ ରାସ୍ତା ଅବରୋଧ କରିଥିଲେ । ଫଳରେ ଶହ ଶହ ଖଣିଜ ବୋଝେଇ ଟ୍ରକ୍ ରାସ୍ତାରେ ଅଟକି ରହିଥିବା ବେଳେ ନିର୍ମାଣକାରୀ ସଂସ୍ଥାର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରେ ପାଣି ସିଞ୍ଚନର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।
ମିଳିଥିବା ସୂଚନା ଅନୁଯାୟୀ ବାରମ୍ବାର ରାସ୍ତାରେ ଜଳ ସିଞ୍ଚନ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଫ୍ଲାଏଓଭର ରାସ୍ତା ନିର୍ମାଣ କରୁଥିବା ଚେଭରୋକ୍ସ ନାମକ ଠିକା ସଂସ୍ଥା କର୍ଣ୍ଣପାତ କରୁନଥିଲା । ରାସ୍ତା ନିର୍ମାଣ ହେତୁ ଅଞ୍ଚଳବାସୀଙ୍କ ଘରଦ୍ୱାରରେ ଧୂଳି ଭର୍ତ୍ତି ପଡ଼ିବା ସହ ରାସ୍ତା କଡରେ ରହୁଥିବା ଅଞ୍ଚଳବାସୀ ଅଣନିଶ୍ୱାସୀ ହେଉଛନ୍ତି । ଅଞ୍ଚଳର ରାଜେଶ ପାତ୍ର, ଦୀପକ ପାତ୍ରଙ୍କ ସମେତ ବହୁ ମହିଳା ଓ ପୁରୁଷ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ତଳେ ନିର୍ମାଣ ହୋଇଥିବା ଅସ୍ଥାୟୀ ମାଟି ରାସ୍ତାରେ ଅସଂଖ୍ୟ ଖଣିଜ ବୋଝେଇ ଭାରୀଯାନ ଚଳାଚଳ କରୁଥିବାରୁ ସୂକ୍ଷ୍ମ ଧୁଳିକଣା ପ୍ରବଳ ମାତ୍ରାରେ ଉଡି ଅଞ୍ଚଳରେ ଏକ ଧୁଳିର ଆସ୍ତରଣ ସୃଷ୍ଟି କରୁଛି । ଏମିତିକି ଦୁଇଚକିଆ ଯାନର ଚାଳକମାନେ ସମ୍ମୁଖ ଭାଗକୁ ସଠିକ୍ ଭାବେ ଦେଖି ନପାରି ଦୁର୍ଘଟଣାର ଶିକାର ହେଉଛନ୍ତି । ଖାଲି ଏତିକି ନୁହେଁ ରୋଷେଇ ଘରେ ଥିବା ଭାତହାଣ୍ଡି ଉପରେ ଧୂଳିର ନାଲି ଆସନ୍ତରଣ ପଡ଼ିଯାଉଥିବା ଦେଖିବାକୁ ମିଳୁଛି । ଅଞ୍ଚଳବାସୀ ପୌରପାଳିକା, ଠିକା ସଂସ୍ଥା ଚେଭରୋକ୍ସ କମ୍ପାନୀ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପ୍ରତିକାର କରାଯାଉ ନାହିଁ । ଏଣୁ ଶନିବାର ଲୋକେ ରାସ୍ତା ଅବରୋଧ କରିବାକୁ ବାଧ୍ୟ ହୋଇଥିଲେ । ଠିକା ସଂସ୍ଥାର ମାନବ ସମ୍ବଳ ଅଧିକାରୀ ଭାଗିରଥି ପଣ୍ଡା ପହଞ୍ଚି ଦିନକୁ ୩ ଥର ପାଣି ଟ୍ୟାଙ୍କର ଯୋଗେ ଜଳ ଛିଞ୍ଚନର ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *