ସଚିନ୍ ପାଇଲଟ୍ ଜଣେ ଗଦ୍ଦାର: ଗେହଲଟ୍
ରାଜସ୍ଥାନ ପଲିଟିକାଲ୍ ଡ୍ରାମା ସିଜନ୍-୩
ନୂଆଦିଲ୍ଲୀ (ଏଜେନ୍ସି): ‘ସଚିନ୍ ପାଇଲଟ୍ ଜଣେ ଗଦ୍ଦାର । ସେ ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି । ମୋ’ ପାଖରେ ସବୁର ପ୍ରମାଣ ରହିଛି, ଏହାକୁ କେହି ଅସ୍ୱୀକାର କରିପାରିବେନି ।’ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ଗୁରୁବାର ପୁଣିଥରେ ଉପମୁୂଖ୍ୟମନ୍ତ୍ରୀ ତଥା ତାଙ୍କ ବିରୋଧୀ ଭାବେ ଜଣାଯାଉଥିବା ଦଳୀୟ ନେତା ସଚିନ୍୍ ପାଇଲଟ୍ଙ୍କ ସମ୍ପର୍କରେ ଏପ୍ରକାର ମନ୍ତବ୍ୟ ଦେଇଛନ୍ତି । ଦଳର ଜଣେ ଯୁବନେତା ତଥା ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ସଚିନ୍ ପାଇଲଟ୍ଙ୍କ ସମ୍ପର୍କରେ ଗେହଲଟ୍ଙ୍କ ଏପ୍ରକାର ବୟାନ୍କୁ ନେଇ ଏବେ ରାଜସ୍ଥାନରେ ପଲିଟିକାଲ ଡ୍ରାମାର ସିଜନ୍-୩ ଆରମ୍ଭ ହୋଇଯାଇଛି ବୋଲି ମତ ପ୍ରକାଶ ପାଇଛି । ଏହି ମର୍ମରେ ବିଜେପି ଏବଂ ବିଜେପିର କିଛି ବଡ଼ ନେତାଙ୍କ ନାମ ଉଠିବା ପରେ ବିଜେପି ମଧ୍ୟ ଗେହଲଟ୍ଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟାଶୀଳ ହୋଇପଡ଼ିଛି ।
ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ପରିଚାଳିତ ହେଉଥିବା, ଭାରତ ଯୋଡୋ ଯାତ୍ରା ଆଗକୁ ରାଜସ୍ଥାନରେ ମଧ୍ୟ ଆୟୋଜିତ ହେବ । ଯାତ୍ରା ଆରମ୍ଭ ହେବା ପୂର୍ବରୁ ପ୍ରଦେଶ କଂଗ୍ରେସରେ ଥିବା ଅସନ୍ତୋଷକୁ ସମାଧାନ କରିବାକୁ ଏବଂ ସବୁ ନେତା ପରସ୍ପର ସହ ବେଶ୍ ସହଜ ହେବା ପାଇଁ ହାଇକମାଣ୍ଡ ପୂର୍ବରୁ ନିଦେ୍ର୍ଦଶ ମଧ୍ୟ ଜାରି କରିସାରିଛନ୍ତି । କିନ୍ତୁ ଦଳଗତ ଅସନ୍ତୋଷ ଏବେ ବ୍ୟକ୍ତିଗତ ଅସନ୍ତୋଷର ରୂପ ଧାରଣ କରିବା ସହ ତୀବ୍ରତର ହେବାରେ ଲାଗିଛି । ପୁଣିଥରେ ଗେହଲଟ-ସଚିନ ପାଇଲଟ୍ଙ୍କ ମଧ୍ୟରେ ଚାଲିଥିବା କ୍ଷମତା ଯୁଦ୍ଧ ସମସ୍ତଙ୍କ ସାମ୍ନାକୁ ଆସିଯାଇଛି । ସମ୍ପ୍ରତି ଗୁଜରାଟରେ ପ୍ରଚାର ମୈଦାନରେ ଅବତୀର୍ଣ୍ଣ ହୋଇଥିବା ଗେହଲଟ୍ ଏଠାରେ ଏକ ଜାତୀୟ ଗଣମାଧ୍ୟମ ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ ସଚିନ୍ଙ୍କ ବିରୋଧରେ ବିଷୋଦ୍ଗାର କରିଛନ୍ତି ।
ସଚିନ୍ ପାଇଲଟ୍ଙ୍କୁ ଜଣେ ଗଦ୍ଦାର, ବିଦ୍ରୋହୀ ନେତା ଭାବେ ଅଭିହିତ କରିଛନ୍ତି ଗେହଲଟ୍ । ଗେହଲଟ୍ଙ୍କ କହିବାନୁସାରେ ସଚିନ୍ କୁଆଡେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଲାଳାୟିତ ହୋଇ ୨ଠ୨ଠରେ ଦଳ ବିରୋଧରେ ହିଁ ଷଡଯନ୍ତ୍ର କରିଥିଲେ । ବିଜେପି ସହ ସେ ହାତ ମିଳାଇଥିଲେ । ଅମିତ୍ ଶାହା, ଧର୍ମେନ୍ଦ୍ର ପ୍ରଧାନଙ୍କ ପରି ବିଜେପିର ବଡ଼ ବଡ଼ ନେତାଙ୍କ ସହ ମିଶି ସଚିନ୍ ପାଇଲଟ୍ ରାଜସ୍ଥାନରେ କଂଗ୍ରେସକ୍ୁ କ୍ଷମତାଚୁ୍ୟତ କରିବାକୁ ଯୋଜନା କରିଥିଲେ । କେବଳ ସେତିକି ନୁହେଁ ଏସବୁ ପାଇଁ ବିଜେପି ଆର୍ଥିକ ଅନୁଦାନ ମଧ୍ୟ ଯୋଗାଇଦେଇଥିଲା । ସେ ଦଳରେ ବିଦ୍ରୋହ କରିଥିଲେ । ଦୀର୍ଘ ୩୪ ଦିନ ପର୍ଯ୍ୟନ୍ତ ସଚିନ୍ ଏସବୁ ନାଟକ କରିଥିଲେ ଯେଉଁଥିପାଇଁ ଦଳର ଅନେକ ନେତାଙ୍କୁ ହୋଟେଲରେ ଏକତ୍ର ରହିବାକୁ ପଡିଥିଲା । ଏଥିପାଇଁ ରାଜସ୍ଥାନବାସୀ ତାଙ୍କୁ ଗଦ୍ଦାର, ଧୋକାବାଜ୍ର ଆଖ୍ୟା ଦେଇଛନ୍ତି । ତାଙ୍କ ପାଖରେ ୧ଠ ବିଧାୟକଙ୍କ ସମର୍ଥନ ମଧ୍ୟ ନାହିଁ । ଏପରି ବ୍ୟକ୍ତିକୁୂ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟବାସୀ କଦାପି ଗ୍ରହଣ କରିବେ ନାହିଁ । କଂଗ୍ରେସ ତାଙ୍କୁ କଦାପି ମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ କରିବ ନାହିଁ । ତେବେ ସେ ସଚିନ୍ଙ୍କ ବିରୋଧରେ କେବଳ ଫାଙ୍କା ଅଭିଯୋଗ କରୁନାହାନ୍ତି, ବରଂ ଏସବୁର ପ୍ରମାଣ ତାଙ୍କ ପାଖେ ଅଛି ବୋଲି ଗେହଲଟ୍ କହିଛନ୍ତି । ଏସବୁ ମଧ୍ୟରେ ମୁମ୍ବାଇରେ ସମ୍ପ୍ରତି ଚାଲିଥିବା ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି ସଚିନ୍ ପାଇଲଟ୍ । ଅନ୍ୟପକ୍ଷେ ବିଜେପି ପକ୍ଷରୁ ଗେହଲଟ୍ଙ୍କ ବିଜେପି ସମ୍ପର୍କୀତ ବୟାନ୍କୁ ଅସ୍ୱୀକାର କରାଯାଇଛି ।