୨ଠ୩ଠ ସୁଦ୍ଧା ଜିଲ୍ଲାର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ
ନିରନ୍ତର ବିକାଶ କାର୍ଯ୍ୟସୂଚୀର ରୂପାୟନ ପାଇଁ ପ୍ରଶିକ୍ଷଣ
ପୁରୀ (ବୁ୍ୟରୋ): ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ପାଇଁ ଉପଯୁକ୍ତ ଯୋଜନା ଓ କାର୍ଯ୍ୟସୂଚୀ ଅନୁସାରେ କାର୍ଯ୍ୟ କରିବାକୁ ଯୋଜନା ଓ ସଂଯୋଜନା ବିଭାଗର ସ୍ୱତନ୍ତ୍ର ସଚିବ ଚିତ୍ରା ଅରୁମୁଗମ ମତବ୍ୟକ୍ତ କରିଛନ୍ତି । ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ୨୦୩୦ର ସଫଳ ରୂପାୟନ ନିମିତ୍ତ ପୁରୀ ଜିଲ୍ଲା କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ନେଇ ୨ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହାକୁ ଉଦ୍ଘାଟନ କରି ସ୍ୱତନ୍ତ୍ର ସଚିବ ଅରୁମୁଗମ ଜନସାଧାରଣଙ୍କ ପାଇଁ ଦୀର୍ଘସ୍ଥାୟୀ ଆର୍ଥିକ, ସାମାଜିକ ଓ ପରିବେଶ ବିକାଶକୁ ସୁନିଶ୍ଚିତ କରିବା ପାଇଁ ମିଳିତ ଜାତିସଂଘ ୧୭ଟି ପ୍ରମୁଖ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଭାବେ ଚିହ୍ନଟ କରାଯାଇଛି । ଯୋଜନା ଓ ସଂଯୋଜନା ବିଭାଗର ଯୁଗ୍ମ ସଚିବ ମନୀଷ ଅଗ୍ରୱାଲ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ସ୍ଥାନୀୟ ଅଞ୍ଚଳର ବିବଧ ସମସ୍ୟା ଓ ଆବଶ୍ୟକତାକୁ ଅନୁଧ୍ୟାନ କରି ଆଶୁ ସମାଧାନ ଦିଗରେ ପଦକ୍ଷେପ ନେବା ସହ ଯୋଜନାକୁ ତୃଣମୂଳସ୍ତରର ଲୋକଙ୍କ ପାଖରେ ପଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ । ପୂର୍ବରୁ ୧୧ଟି ଜିଲ୍ଲାରେ ଏହି ପ୍ରଶିକ୍ଷଣ ଶିବିର ସରିଥିବା ବେଳେ ଆଜି ପୁରୀ ଓ ସମ୍ବଲପୁରରେ ଆରମ୍ଭ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା ଦୀର୍ଘସ୍ଥାୟୀ ବିକାଶ ପାଇଁ କ୍ଷେତ୍ର ଅଧିକାରୀ ଓ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ଓ ପ୍ରତିବଦ୍ଧତା ଅତ୍ୟନ୍ତ ଜରୁରୀ ବୋଲି କହିବା ସହ ସ୍ଥାନୀୟ ଲୋକଙ୍କ ଆବଶ୍ୟକତା, ସ୍ଥାନୀୟ ସମ୍ବଳର ଉପଯୋଗ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।
ଭିଡିଓ କନଫେରେନ୍ସ ମାଧ୍ୟମରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ସମ୍ପର୍କରେ ବାର୍ତ୍ତା ଦେଇଥିଲେ । ଯୋଜନା ଓ ସଂଯୋଜନା ବିଭାଗର ସାମର୍ଥ୍ୟ ବୃଦ୍ଧି ବିଶେଷଜ୍ଞ ସରୋଜ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ପୁରୀ ଯୋଜନା ଓ ସଂଯୋଜନା କାର୍ଯ୍ୟାଳୟର ଯୁଗ୍ମ ନିଦେ୍ର୍ଦଶକ ଉମେଶ ଚନ୍ଦ୍ର ମଲ୍ଲିକ କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦେ୍ଦଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ବିଷୟ ବିଶାରଦ ଭାବେ ସୁତପା ପତି, ପ୍ରମୋଦ କୁମାର ମଲ୍ଲିକ, ମିଥୁନ କର୍ମକାର, ଡ. ରମେଶ ଚେଲାନ୍, ପ୍ରଣତୀ ମିଶ୍ର ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ପରିସଂଖ୍ୟାନ ବିଭାଗର ସହକାରୀ ନିଦେ୍ର୍ଦଶକ ସୂର୍ଯ୍ୟ ନାରାୟଣ ତ୍ରିପାଠୀ, ଅର୍ଥ ବିଶେଷଜ୍ଞ ବିଶ୍ୱରଞ୍ଜନ ଜେନା ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ୨ୟ ଦିବସରେ ପୁରୀ ସଦର ବ୍ଲକ୍ ସମଙ୍ଗ ପଞ୍ଚାୟତ ଓ ସତ୍ୟବାଦୀ ବ୍ଲକ୍ର ପେଣ୍ଠପଡ଼ାକୁ କ୍ଷେତ୍ରକୁ ପ୍ରଶିକ୍ଷାର୍ଥୀମାନେ ପରିଦର୍ଶନ କରିବେ ବୋଲି ଜଣାଯାଇଛି ।