ଭୋକ ଉପାସରେ ସାଧୁ ସନ୍ଥ
ଶୂନ୍ୟ ମନ୍ଦିର ମାଟିରେ ମିଶିଲା ପରେ
ଢେଙ୍କାନାଳ (ଆପ୍ର): ମହିମାଧର୍ମର ଆଦିପୀଠ ଯୋରନ୍ଦା ମହିମାଗାଦୀରେ କୌପୁନୀ ଧାରୀ ଏବଂ ବଳକଳଧାରୀ ସାଧୁଙ୍କ ଦୀର୍ଘ ୭୭ ବର୍ଷର ବିବାଦକୁ ପ୍ରଶାସନ ବୁଲଡୋଜର ଲଗାଇ ଶେଷ କରିଦେଇଛି । ବୁଲଡୋଜର ଲଗାଇ ବତୀ ମନ୍ଦିର, ଧୂନୀ ମନ୍ଦିର ଓ ଟୁଙ୍ଗି ଘରକୁ ଭାଙ୍ଗି ଚୂରମାର କରିଦେବା ପରେ ସାଧୁସନ୍ୟାସୀ ଖୋଲା ଆକାଶ ତଳେ ଶୀତକାକରରେ ପଡିରହିଛନ୍ତି । ଦୀର୍ଘ ଦୁଇ ଦିନ ଧରି ଭୋକ ଉପାସରେ ସାଧୁମାନେ ରହିଥିବାବେଳେ ସେହି ଖୋଲାପଡ଼ିଆରେ ଧୂନୀ ସ୍ଥାପନ କରି ଖଞ୍ଜଣୀ ଭଜନ ସହିତ ମହିମା ସ୍ୱାମୀଙ୍କୁ ପ୍ରାର୍ଥନା କରୁଥିବାର ଦେଖିବାକୁ ମିଳିଛି । ମହିମାଧର୍ମର ପ୍ରତିଷ୍ଠାତା ମହିମା ଗୋସାଇଁଙ୍କ ୧୮୬୬ ଖ୍ରୀ. ଦେହାନ୍ତ ହେବା ପରେ ୪୧ବର୍ଷ ପରେ ତାଙ୍କର ମୂଳ ୬୪ସିଦ୍ଧଙ୍କ ମଧ୍ୟରେ ଗୁରୁ ଆଜ୍ଞାଙ୍କୁ ନେଇ ମତାନ୍ତର ସୃଷ୍ଟି ହୋଇଥିଲା । ୬୪ ସିଦ୍ଧଙ୍କ ପରେ ଅନ୍ୟ କୌଣସି ମହିମା ସନ୍ୟାସୀଙ୍କୁ ବଳ୍କଳ ଦେବାକୁ ମହିମାସ୍ୱାମୀ ମନା କରିଥିଲେ । ଏହାକୁ ନେଇ ବିବାଦ ସୃଷ୍ଟି ହେବାରୁ ସିଦ୍ଧ ବଡ଼ କୃପାସିନ୍ଧୁ ବାବାଙ୍କ ନେତୃତ୍ୱରେ ୧୯୧୭ ମସିହାରେ କୌପୀନଧାରୀ ସମାଜ ଗଠନ କରାଯାଇଥିଲା । ବଡକୃପାସିନ୍ଧୁ ବାବା ମହିମାସ୍ୱାମୀଙ୍କ ସମାଧି ମନ୍ଦିର ବା ଶୂନ୍ୟ ମନ୍ଦିରର ପଶ୍ଚିମ ପାଶ୍ୱର୍ ମାହାଳମୂଳରେ ଅଖଣ୍ଡବତୀ ଜଳାଇ ମହାପ୍ରଭୁ ଶୂନ୍ୟବ୍ରହ୍ମଙ୍କ ଆରାଧନା କରିବା ଆରମ୍ଭ କରିଥିଲେ । ସେହି ଦିନଠାରୁ କୌପିନଧାରୀ ମହିମା ସମାଜର ଷଷ୍ଠ ପିଢୀ ବର୍ତ୍ତମାନର ଧର୍ମାଧ୍ୟକ୍ଷ ଶ୍ରୀମଦ୍ ରଘୁନାଥ ବାବାଙ୍କ ପର୍ଯ୍ୟନ୍ତ ସେହି ସ୍ଥାନରେ ଅଖଣ୍ଡଜ୍ୟୋତି ମନ୍ଦିର ଓ ଅଖଣ୍ଡଧୂନୀ ମନ୍ଦିର ରହିଥିଲା ।
ମହାରାଜା ଭଗିରଥ ମହିନ୍ଦ୍ର ବାହାଦୂରଙ୍କ ପ୍ରଦତ୍ତ ୭୬ ଏକର ନିଷ୍କର ଜମିରେ ଶୂନ୍ୟମନ୍ଦିର ଓ ମଠବାଡି ଗଢି ଉଠିଥିଲା । ସେଥିମଧ୍ୟରୁ କୌପିନଧାରୀ ମହିମା ସମାଜ ଭୋଗ ଦଖଲରେ ୮ ଏକର ବିଶିଷ୍ଟ ମହିମା ପୁଷ୍ପ ଉଦ୍ୟାନକୁ ଛାଡି ମାତ୍ର ୩.୭୩୦ ଏକର ଜମି ଭୋଗ ଦଖଲରେ ରହିଥିଲା । ସ୍ୱାଧୀନତା ପୂର୍ବ ଢେଙ୍କାନାଳ ଗଡ଼ଜାତର ହାଇକୋର୍ଟ ବିଚାରପତି ପ୍ରତାପ ଚନ୍ଦ୍ର ସେନ୍ଗୁପ୍ତା ତାଙ୍କର ତା୧୬.୧୨.୧୯୪୪ରିଖ ରାୟରେ କୌପିନଧାରୀ ମହିମା ସମାଜର ବଡ଼କୃପାସିନ୍ଧୁ ବାବାଙ୍କ ଟୁଙ୍ଗୀକୁ ଉଚ୍ଛେଦ କରି ମଠ ପରିସର ମଧ୍ୟରେ ସମାଜ ଦ୍ୱାରା ଗ୍ରହଣୀୟ ସ୍ଥାନରେ କିମ୍ବା ଶୂନ୍ୟମନ୍ଦିର ମଧ୍ୟସ୍ଥ ଏକ ସ୍ଥାନକୁ ସ୍ଥାନାନ୍ତର ପାଇଁ ଆଦେଶ ଦେଇଥିଲେ । ଏହାକୁ ତିନିମାସ ମଧ୍ୟରେ କାର୍ଯ୍ୟ କରିବାର ସମୟସୀମା ଧାର୍ଯ୍ୟ କରିଥିଲେ । ଏହି ରାୟକୁ ଆଧାର କରି ୧୯୯୮ ମସିହାରେ ଢେଙ୍କାନାଳ ବରିଷ୍ଠ ଦେୱାନ ଅଦାଲତଙ୍କ ନିକଟରେ ବଳ୍କଳଧାରୀ ସମାଜ ପକ୍ଷରୁ ଉଚ୍ଛେଦ ମାମଲା ରୁଜୁ କରାଗଲା । ଯାହାର ରାୟ ତା୨୧.୦୪.୨୦୨୨ରେ ୨୪ ବର୍ଷ ପରେ ପ୍ରକାଶ ପାଇଲା । ୧୯୭୧ ମସିହାରେ ଓଡିଶା ହାଇକୋର୍ଟର ନ୍ୟାୟମୂର୍ତ୍ତୀ ଅଭିମନୁ୍ୟ ମିଶ୍ର ଉଭୟ ପକ୍ଷଙ୍କୁ ମହିମାସ୍ୱାମୀଙ୍କ ଉତ୍ତରାଧିକାରୀ ଭାବେ ଗ୍ରହଣ କରି ରାୟ ପ୍ରକାଶ କରିଥିଲେ । ଯାହା ବିରୁଦ୍ଧରେ କୌଣସି ପକ୍ଷ ଅପିଲ୍ରେ କରିନଥିଲେ । ପରବର୍ତ୍ତୀ ସମୟରେ ମହିମାସ୍ୱାମୀଙ୍କ ୭୬ଏକର ଜମିର ମାଲିକାନା ସତ୍ତ୍ୱକୁ ନେଇ ସମ୍ବିଧାନର ଧାରା ୨୨୬ ଓ ୨୨୭କୁ ନେଇ ୨୦୦୫ ମସିହାରେ ଏକ ରିଟ୍ ପିଟିସନ୍ ଓଡିଶା ଉଚ୍ଚ ନ୍ୟାୟାଳୟରେ ଦାଖଲ କରାଯାଇଥିଲା । ମାନ୍ୟବର ନ୍ୟାୟମୂର୍ତ୍ତୀ ଦୁର୍ଗାପ୍ରସନ୍ନ ଚୌଧୁରୀ ଓ ନ୍ୟାୟମୂର୍ତ୍ତୀ ବି.କେ. ନାୟକଙ୍କ ଖଣ୍ଡପୀଠ ଏହାର ବିଚାର କରି ୨୦୧୮ ଜାନୁଆରୀ ୩୦ରେ ପ୍ରଦତ୍ତ ରାୟରେ ଉଭୟ ବଳ୍କଳଧାରୀ ଓ କୌପିନଧାରୀ ମହିମା ସ୍ୱାମୀଙ୍କ ସମ୍ପତ୍ତିରେ ସମାନ ଅଧିକାର ଥିବା ଦର୍ଶାଇ ଉଭୟପକ୍ଷ ୫୦ ପ୍ରତିଶତ ଲେଖାଏଁ ଖଜଣା ଦେବାକୁ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ । ନାଟିମା ମୌଜାର ପ୍ରାୟ ୭ ଏକର ଭୂ-ସମ୍ପତ୍ତି ଉଭୟପକ୍ଷଙ୍କ ନାମରେ ରେକର୍ଡ ହୋଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୪ବର୍ଷ ଧରି ଯୋରନ୍ଦା ମୌଜାର ପ୍ରାୟ ୭୦ ଏକର ଜମିର ଭୂ-ସତ୍ତ୍ୱ ସଂଶୋଧନ କରାନଯାଇ ପକାଇ ରଖାଯାଇଛି । ଏଭଳି ସ୍ଥିତିରେ ବଡ଼କୃପାସିନ୍ଧୁ ବାବାଙ୍କ ପ୍ରତିଷ୍ଠିତ ଧୂନି ମନ୍ଦିର ଓ ଜ୍ୟୋତି ମନ୍ଦିରକୁ ଆଜି ୨ଘଣ୍ଟା ମଧ୍ୟରେ ତିନୋଟି ବୁଲ୍ଡୋଜର ଲଗାଇ ପୁଲିସ୍ ଜଗୁଆଳି ମଧ୍ୟରେ ପ୍ରଶାସନ ପକ୍ଷରୁ ଧୂଳିସାତ୍ କରିଦିଆଯାଇଛି । ଆଇନର ଭୁଲ୍ ତର୍ଜମା କରାଯାଇ ୨୪ବର୍ଷର ବେଦଖଲ ମାମଲାକୁ ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟକାରି କରାଯାଇଛି । ମହିମାଗାଦୀକୁ ଭାଙ୍ଗିଦେବା ପରେ ସାଧୁ ସନ୍ୟାସୀ ଖୋଲା ଆକାଶ ତଳେ ଶୀତ କାକରରେ ପଡ଼ିରହିଥିବାର ଜଣାପଡିଛି । ଭୋକ ଉପସାରେ ଦୁଇଦିନ ରହିବା ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ।