ଇସି ନିଯୁକ୍ତି ଫାଇଲ୍ ଆଣ
କେନ୍ଦ୍ରକୁ ସୁପ୍ରିମ୍ ନିଦେ୍ର୍ଦଶ
ନୂଆଦିଲ୍ଲୀ, ୨୩ା୧୧: ନବନିଯୁକ୍ତ ନିର୍ବାଚନ ଆୟୁକ୍ତ (ଇସି) ଅରୁଣ ଗୋୟଲଙ୍କ ନିଯୁକ୍ତି ସମ୍ବନ୍ଧୀୟ ଫାଇଲ୍ ୨୪ ଘଣ୍ଟା ଭିତରେ ଦାଖଲ କରିବା ପାଇଁ ସୁପ୍ରିମ୍କୋର୍ଟର ୫ଜଣିଆ ସମ୍ବିଧାନ ବେଞ୍ଚ୍ କେନ୍ଦ୍ର ସରକାରଙ୍କୁ ବୁଧବାର ଆଦେଶ ଦେଇଛନ୍ତି । ବେଞ୍ଚ୍ କହିଛନ୍ତି ଗୋଏଲଙ୍କ ନିଯୁକ୍ତିରେ କି ପ୍ରକ୍ରିୟା ଅନୁସୃତ ହୋଇଛି ଆମେ ତାହା ଜାଣିବାକୁ ଚାହୁଁଛୁ । ସେଥିରେ କୌଣସି ହେରଫେର ନ ହୋଇ ଯଦି ନିୟମ ଅନୁସାରେ ନିଯୁକ୍ତି ଦିଆଯାଇଥିବ ତେବେ ବିବ୍ରତ ହେବାର କିଛି ନାହିଁ । ବର୍ତ୍ତମାନର ବ୍ୟବସ୍ଥାରେ ଯେକୌଣସି ସରକାର ଅନାୟାସରେ ଜଣେ ‘ୟସ୍ ମ୍ୟାନ୍’ଙ୍କୁ ନିଯୁକ୍ତ କରିପାରିବେ । ତେଣୁ ସିଇସି ଓ ଇସି ନିଯୁକ୍ତି ପ୍ରକ୍ରିୟାରେ ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତିଙ୍କୁ ସାମିଲ କରାଯିବା ଉଚିତ୍ । ଯଦ୍ଦ୍ୱାରା ନିର୍ବାଚନ ଆୟୋଗଙ୍କ ସୁନିଶ୍ଚିତ ହୋଇପାରିବ ।
ଜଷ୍ଟିସ୍ କେଏମ୍ ଜୋସେଫ୍ଙ୍କ ଅଧ୍ୟକ୍ଷତାରେ ଗଠିତ ନ୍ୟାୟପୀଠ ଆଟର୍ଣ୍ଣି ଜେନେରାଲ (ଏଜି) ଆର ଭେଙ୍କଟରମଣିଙ୍କୁ ଏକଥା ମଧ୍ୟ କହିଛନ୍ତି ଯେ, ନିର୍ବାଚନ ଆୟୋଗ ନେଇ ଶୁଣାଣି ଚାଲିଥିବାବେଳେ ନୂଆ ଆୟୂୁକ୍ତ ନିଯୁକ୍ତି ନ କରିଥିଲେ ଭଲ ହୋଇଥାନ୍ତା । ସିଇସି ଓ ଇସି ନିଯୁକ୍ତି ପାଇଁ ସୁପ୍ରିମ୍କୋର୍ଟ କଲେଜୀୟମ୍ ଭଳି ପ୍ରକ୍ରିୟା ଆପଣାଇବାକୁ ସୁପ୍ରିମ୍ କୋର୍ଟ ପରାମର୍ଶ ଦେଇଛନ୍ତି । କୋର୍ଟ କହିଛନ୍ତି ଏହା ଦ୍ୱାରା ଆୟୋଗଙ୍କ ସ୍ୱାଧୀନତା ସୁନିଶ୍ଚିତ ହୋଇପାରିବ । ଅନ୍ୟଥା କୌଣସି ଶାସକ ଦଳ ନିର୍ବାଚନରେ ବିଜୟ ପାଇଁ ନିଜର ଖାସ୍ ଲୋକଙ୍କୁ ଏହି ପଦରେ ନିଯୁକ୍ତ କରିପାରନ୍ତି । ଦେଶ ଏପରି ଜଣେ ସିଇସି ଆବଶ୍ୟକ କରେ ଯିଏ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।
ଉଲ୍ଲେଖଯୋଗ୍ୟ ଯେ, ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ୧୯୮୫ ବ୍ୟାଚ୍ର ଅବସରପ୍ରାପ୍ତ ପଞ୍ଜାବ କାଡରର ଆଇଏଏସ୍ ଅଫିସର ଅରୁଣ ଗୋୟଲଙ୍କୁ ଭିଆର୍ଏସ୍ ଦେବାର ଦିନକ ପରେ ୧୯ ତାରିଖ ଦିନ (ଶନିବାର) ନିର୍ବାଚନ ଆୟୁକ୍ତ ରୂପେ ନିଯୁକ୍ତ କରାଯିବା ପରେ ସେ ସୋମବାର ପଦଭାର ଗ୍ରହଣ କରିଛନ୍ତି ।
ଏ ସମ୍ବନ୍ଧରେ ବରିଷ୍ଠ ଅଭିନେତା ପ୍ରଶାନ୍ତ ଭୂଷଣ ପିଟିସନ୍ ଦାଖଲ କରିଥିଲେ । ଗୋୟଲ ଆସନ୍ତା ଡିସେମ୍ବର ୩୧ରେ ୬୦ବର୍ଷ ବୟସରେ ସେବାନିବୃତ ହୋଇଥାନ୍ତେ । ତା’ପୂର୍ବରୁ ସେ ସ୍ୱେଚ୍ଛାକୃତ ଅବସର ନେଲେ । ସାଧାରଣତଃ ସ୍ୱେଚ୍ଛାକୃତ ଅବସର ପାଇଁ ଦରଖାସ୍ତ କରିବାର ତିନିମାସ ପରେ ସରକାର ଏଥିପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ଅନୁମତି ଦେଇଥାନ୍ତି । କିନ୍ତୁ ଗୋୟଲଙ୍କ କ୍ଷେତ୍ରରେ ତାହା ହୋଇନାହିଁ । ଏବେ ସେ ନିର୍ବାଚନ ଆୟୋଗ ପ୍ୟାନେଲ୍ରେ ସାମିଲ ହୋଇଥିବାରୁ ୨୦୨୫ ଫେବ୍ରୁଆରୀରେ ରାଜୀବ କୁମାରଙ୍କ ଅବସର ଗ୍ରହଣ ପରେ ଗୋୟଲ ହେବେ ପରବର୍ତ୍ତୀ ସିଇସି ।
ନିର୍ବାଚନ ଆୟୁକ୍ତ ନିଯୁକ୍ତି ପାଇଁ କଲିଜିୟମ୍ ଭଳି ପ୍ରକ୍ରିୟା ଦାବିରେ ଦାଖଲ ହୋଇଥିବା ଏକାଧିକ ଅର୍ଜିର ଶୁଣାଣି ବେଳେ ମଙ୍ଗଳବାର ସୁପ୍ରିମ୍ କୋର୍ଟ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ନିଯୁକ୍ତି ପ୍ରକ୍ରିୟା ନେଇ ସରକାରଙ୍କୁ ସମାଲୋଚନା କରିଥିଲେ । କୋର୍ଟ କହିଥିଲେ ୧୯୯୦ରୁ ୯୬ ଭିତରେ ସିଇସି ଥିବା ଟିଏନ୍ ଶେଷନଙ୍କ ନିଯୁକ୍ତି ପରଠାରୁ ଜଣେ ହେଲେ ସିଇସିଙ୍କୁ ପୂର୍ଣ୍ଣକାର୍ଯ୍ୟକାଳ (୬ବର୍ଷ) ସୁଯୋଗ ମିଳିନାହିଁ । ଏହା କ’ଣ ସତ୍ୟ ଯେ, ସିଇସି ନିଯୁକ୍ତ ହେବାକୁ ଥିବା ଆଇଏଏସ୍ ଅଫିସରଙ୍କ ଜନ୍ମ ତାରିଖ ସମ୍ପର୍କରେ ସରକାର ସଚେତନ ଥାନ୍ତି? ସିଇସି ନିଯୁକ୍ତି ଉପରେ ସମ୍ବିଧାନର ନିରବତାରୁ ଅନୁଚିତ ଫାଇଦା ଉଠାଯାଉଛି । ୟୁପିଏ ସରକାରଙ୍କ ୧୦ ବର୍ଷ ଶାସନରେ ୬ ଏବଂ ଏନ୍ଡିଏ ସରକାରଙ୍କ ୮ବର୍ଷ ଶାସନରେ ୮ଜଣ ସିଇସି ନିଯୁକ୍ତ ହୋଇଛନ୍ତି । ଏହା ଚିନ୍ତାର ବିଷୟ । ନିଷ୍ପକ୍ଷ ଓ ପାରଦର୍ଶୀ ନିଯୁକ୍ତି ପ୍ରକ୍ରିୟା ପାଇଁ ସମ୍ବିଧାନର ଅନୁଚ୍ଛେଦ ୩୨୪(୨)ରେ ଆଇନ ପ୍ରଣୟନ କରିବାକୁ ନିଦେ୍ର୍ଦଶ ଥିଲେ ହେଁ ୭୦ ବର୍ଷ ଭିତରେ ୭୦ ବର୍ଷ ଭିତରେ ସେପରି ଆଇନ୍ ପ୍ରଣୀତ ହୋଇନାହିଁ ।
ଉଲ୍ଲେଖଯୋଗ୍ୟ ଯେ, ପ୍ରଥମେ ନିର୍ବାଚନ ଆୟୋଗରେ ଜଣେ ମାତ୍ର ସଦସ୍ୟ ରହୁଥିଲେ ଯାହାକୁ ମୁଖ୍ୟ ନିର୍ବାଚନ ଆୟୁକ୍ତ କୁହାଯାଉଥିଲା । ୧୯୮୯ ଅକ୍ଟୋବର ୧୬ରେ ଆୟୋଗରେ ସିଇସିଙ୍କ ବାଦ୍ ଆଉ ଦୁଇଜଣ ଇସି ନିଯୁକ୍ତି ବ୍ୟବସ୍ଥା ହେଲା । ସେହିଦିନଠାରୁ ମଧ୍ୟ ଭୋଟରଙ୍କ ସର୍ବନିମ୍ନ ବୟସ ସୀମା ୨୧ରୁ ୧୮ ବର୍ଷକୁ କମାଇ ଦିଆଯାଇଛି । କିନ୍ତୁ ୧୯୯୦ ଜାନୁଆରୀରେ ଏକ ସଦସ୍ୟ ବିଶିଷ୍ଟ ନିର୍ବାଚନ ଆୟୋଗ ବ୍ୟବସ୍ଥାର ପୁନଃ ପ୍ରଚଳନ କରାଗଲା । ଏହାର ୩ ବର୍ଷ ପରେ ୧୯୯୩ ଅକ୍ଟୋବରରେ ପୁନର୍ବାର ୩ ସଦସ୍ୟ ବିଶିଷ୍ଟ ଆୟୋଗ ବ୍ୟବସ୍ଥା ହେଲା ଯାହା ଏ ପର୍ଯ୍ୟନ୍ତ ଜାରି ରହିଛି ।
ଏହି ମାମଲାର ଶୁଣାଣି କରୁଥିବା ନ୍ୟାୟପୀଠର ଅନ୍ୟ ସଦସ୍ୟମାନେ ହେଲେ ଜଷ୍ଟିସ୍ ଅଜୟ ରସ୍ତୋଗୀ, ଜଷ୍ଟିସ୍ ଅନିରୁଦ୍ଧ ବୋଷ, ଜଷ୍ଟିସ୍ ହୃଷୀକେଶ ରୟ ଓ ଜଷ୍ଟିସ୍ ସିଟି ରବିକୁମାର ।