କେନ୍ଦୁପତ୍ର ତୋଳାଳିଙ୍କୁ ପ୍ୟାକେଜ୍
ଭୁବନେଶ୍ୱର (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟରେ ଥିବା କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ବିକାଶ ଲାଗି ସ୍ୱତନ୍ତ୍ର ସୁବିଧା ଘୋଷଣା କରିଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ସହ ଗ୍ରାଚୁଇଟି ଦେୟ ବୃଦ୍ଧି ପାଇଁ ଘୋଷଣା କରିଛନ୍ତି । ଏହା ସହ କେନ୍ଦୁପତ୍ର ଉପରୁ ଜିଏସ୍ଟି ଉଠାଇ ଦେବା ପାଇଁ ପୁନର୍ବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ପ୍ରତି ତୋଳାଳିଙ୍କୁ ୧୦୦୦ ଟଙ୍କା ଓ ପ୍ରତ୍ୟେକ ସିଜିନାଲ ଷ୍ଟାଫ୍ଙ୍କୁ ୧୫୦୦ ଟଙ୍କା ଲେଖାଏଁ ଦିଆଯିବ । ସବୁ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ । ସର୍କଲ ଚେକରସ ଓ ବାଇଣ୍ଡିଂ ଚେକରସଙ୍କ ଗ୍ରାଚୁଇଟି ଦେୟ ସାତ ଦିନରୁ ବୃଦ୍ଧି କରି ୧୫ ଦିନ କରାଯିବ । ସମସ୍ତ ତୋଳାଳିଙ୍କୁ ତୋଳାଳୀ ପରିଚୟ ପତ୍ର ପ୍ରଦାନ କରାଯିବ । କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ପିଲାଙ୍କୁ ବୃତ୍ତି ପ୍ରଦାନ କରାଯିବ । ମେଧାବୀ ଛାତ୍ରଛାତ୍ରୀଙ୍କୁ ଜିଲ୍ଲାସ୍ତରରେ ପୁରସ୍କୃତ କରାଯିବ ।
ରାଜ୍ୟରେ ୮ ଲକ୍ଷ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ଅଛନ୍ତି । ବହୁ ଜନଜାତି ମା’ମାନେ ମଧ୍ୟ କେନ୍ଦୁପତ୍ର ତୋଳିବା କାମ କରନ୍ତି । କେନ୍ଦୁପତ୍ର ତୋଳାଳିଓ କର୍ମଚାରୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ସବୁବେଳେ କାମ କରି ଆସୁଛନ୍ତି । ଓଡିଶା ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ ଦିଆଯାଉଛି । ଆମର ଏହି ନୀତି ଅନ୍ୟ ରାଜ୍ୟ ପାଇଁ ମଡେଲ ହୋଇଛି । ଗତ ସପ୍ତାହ ମଧ୍ୟରେ ମୁଁ କେନ୍ଦୁପତ୍ର ତୋଳାଳିଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ୩ ଥର ଆଲୋଚନା କରିଛି । ଆଲୋଚନା ପରେ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଁ ଏହି ପ୍ୟାକେଜ ଘୋଷଣା କରୁଛି ।
ବ୍ୟବସାୟ ଉପରେ କେନ୍ଦ୍ର ସରକାର ୧୮% ଜିଏସଟି ରଖିଛନ୍ତି । ଏହା ବହୁତ ଅଧିକ । କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀମାନେ ସମସ୍ତେ ଗରିବ ଲୋକ । ତେଣୁ କେନ୍ଦୁପତ୍ର ଉପରୁ ଜିଏସ୍ଟି ଉଠାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ମୁଁ ବାରମ୍ବାର ଅନୁରୋଧ କରିଆସୁଛି । ଗରିବ ଲୋକଙ୍କ ହିତ ଦୃଷ୍ଟିରୁ ଜିଏସଟି ସମ୍ପୂର୍ଣ୍ଣ ଉଚ୍ଛେଦ କରିବାକୁ ମୁଁ ପୁଣିଥରେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରୁଛି ।