ଜଗନ୍ନାଥ ଓ ତିରୁପତିଙ୍କ ମଧ୍ୟରେ ସମ୍ପର୍କ ଯୋଡ଼ାଯାଉ
ପୁରୀ (ବୁ୍ୟରୋ): ସ୍କନ୍ଦ ପୁରାଣରେ ବୈଷ୍ଣବ ଖଣ୍ଡରେ ମହାପ୍ରଭୁ ଜଗନ୍ନାଥ ଓ ଭଗବାନ ତିରୁପତି ବାଲାଜୀଙ୍କ ବିଷୟରେ ବିସ୍ତୃତ ଲିଖିତ ରହିଛି । ଏହି ଦୁଇ କ୍ଷେତ୍ର ଆସ୍ଥା ଦୃଷ୍ଟିରୁ ବିଶ୍ୱବିଦିତ । ଏହି ବୈଷ୍ଣବ କ୍ଷେତ୍ର ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ରାଜ୍ୟରେ ଅବସ୍ଥିତ । ଦୁଇ ରାଜ୍ୟର ଓଡ଼ିଆ ଓ ତେଲୁଗୁ ଭାଷାଭାଷୀ ଭକ୍ତମାନଙ୍କ ମଧ୍ୟରେ ଶ୍ରୀଜଗନ୍ନାଥ ଏବଂ ଶ୍ରୀତିରୁପତିଙ୍କ ପରମ୍ପରା ଓ ସଂସ୍କୃତିକୁ ବହୁଳ ଭାଷାରେ ପ୍ରଚାର ପ୍ରସାର ପାଇଁ ଏକ ନିରନ୍ତର ଭାବବିନିମୟ କାର୍ଯ୍ୟକ୍ରମର ଆୟୋଜନ ରହିଛି । ଏହା ଉପରେ ହସ୍ତକ୍ଷେପ କରିବା ଲାଗି ମଙ୍ଗଳବାର ଉକ୍ରଳ ବିଦ୍ୱତ୍ ପରିଷଦର ସଭାପତି ମନୋଜ କୁମାର ରଥ ଭୂବନେଶ୍ୱର ବାସଭବନରେ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଏକ ଅନୁରୋଧପତ୍ର ପ୍ରଦାନ କରିଛନ୍ତି । ସେ ତାଙ୍କ ଅନୁରୋଧ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ପ୍ରତ୍ୟେକ ବର୍ଷ ଉଭୟ ଦେବସ୍ଥାନକୁ ବିଦ୍ୱାନ, ପଣ୍ଡିତ, ସେବକଙ୍କର ଏକ ଗୋଷ୍ଠୀ ତିରୁପତିରେ ବା ପୁରୀରେ ଏକ ସମ୍ମିଳନୀ କରାଯାଉ । ତତ୍ସହିତ ଦୁଇ ରାଜ୍ୟର ଭକ୍ତଙ୍କ ସୁବିଧା ନିମନ୍ତେ ଉଭୟ ଦେବସ୍ଥାନରେ ସୂଚନା କେନ୍ଦ୍ର ପ୍ରତିଷ୍ଠା କରିବା ଲାଗି ଶ୍ରୀ ରଥ ନିବେଦନ କରିଛନ୍ତି ।