ପୁଣି ବିଦେଶକୁ ଡାଇରେକ୍ଟ ଫ୍ଲାଇଟ୍
ଭୁବନେଶ୍ୱର, ୨୨ା୧୧ (ବୁ୍ୟରୋ): ଭୁବନେଶ୍ୱରରୁ ବିଦେଶକୁ ସିଧାସଳଖ ଉଡ଼ିବ ବିମାନ । ବିମାନ ଚଳାଚଳ ପାଇଁ ରାଜ୍ୟ ସରକାର ଟେଣ୍ଡର ଆହ୍ୱାନ କରିଛନ୍ତି । ସିଙ୍ଗାପୁର, ବ୍ୟାଙ୍କକ୍, ଦୁବାଇକୁ ବିମାନ ସେବା ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ସପ୍ତାହକୁ ୩ ଦିନ ବିମାନ ଚଳାଚଳ ପାଇଁ ଟେଣ୍ଡର ଆହ୍ୱାନ ହୋଇଛି । ଦିନେ ଛାଡ଼ି ଦିନେ ସହ ସପ୍ତାହାନ୍ତରେ ବିମାନ ଚଳାଚଳ ପାଇଁ ରହିଛି ସର୍ତ୍ତ । ଆଗ୍ରହୀ ବିମାନସେବା କମ୍ପାନୀ ଏଥିପାଇଁ ଆବେଦନ କରିପାରିବେ । ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି । ବିମାନ ଚଳାଚଳକୁ ପ୍ରୋତ୍ସାହନ ଦେବା ପାଇଁ ବିମାନ ଇନ୍ଧନ ଉପରୁ ରାଜ୍ୟ ସରକାର ଟିକସ ଛାଡ଼ କରିଛନ୍ତି । ଇଚ୍ଛୁକ କମ୍ପାନୀ ଏଥିପାଇଁ ୭୦ କିମ୍ବା ତା’ଠାରୁ ଅଧିକ ସିଟ୍ ବିଶିଷ୍ଟ ବିମାନ ବ୍ୟବହାର କରିପାରିବେ । ଟେଣ୍ଡର ଦାଖଲ ପାଇଁ ଆସନ୍ତା ୨୮ ତାରିଖକୁ ସମୟ ଧାର୍ଯ୍ୟ କରାଯାଇଛି ।
ସୂଚନା ଅନୁସାରେ, ରାଜ୍ୟରେ ପର୍ଯ୍ୟଟନର ବିକାଶକୁ ଦୃଷ୍ଟିରେ ରଖି ସରକାର ଭୁବନେଶ୍ୱରରୁ ୩ ପ୍ରମୁଖ ଆର୍ନ୍ତଜାତୀୟସ୍ଥଳୀକୁ ସିଧାସଳଖ ବିମାନ ଚଳାଇବାକୁ ପଦକ୍ଷେପ ନେଉଛନ୍ତି । ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏହି ୩ ପ୍ରମୁଖ ସ୍ଥାନକୁ ବିମାନ ଚଳାଚଳ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ଏଥିରେ ଆର୍ନ୍ତଜାତୀୟ ବିମାନ ଚଳାଚଳ କରୁଥିବା ସଂସ୍ଥା ଅଂଶଗ୍ରହଣ କରିବେ । ବିଦେଶକୁ ସିଧାସଳଖ ବିମାନ ଚଳାଇବାକୁ ଆଗ୍ରହୀ ବିମାନ ସଂସ୍ଥାକୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇବାକୁ ମଧ୍ୟ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି । ବିଜୁ ପଟ୍ଟନାୟକ ଆର୍ନ୍ତଜାତୀୟ ବିମାନବନ୍ଦରରୁ ଉପରୋକ୍ତ ୩ ସ୍ଥାନକୁ ଦିନେ ଛାଡି ଦିନେ ସପ୍ତାହକୁ ୩ଦିନ ବିମାନ ଚଳାଇବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଅନ୍ୟ ଦିନଗୁଡିକରେ ବିମାନ କମ୍ପାନୀଗୁଡିକ ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତା ବିନା ମଧ୍ୟ ବିମାନ ଚଳାଚଳ କରିପାରିବେ ବୋଲି ପ୍ରକାଶ ପାଇଛି ।
କେନ୍ଦ୍ର ସରକାର କୋଭିଡ କଟକଣା ପରେ ଆର୍ନ୍ତଜାତୀୟ ବିମାନ ଚଳାଚଳକୁ ସବୁଜ ସଙ୍କେତ ଦେବା ପରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଭୁବନେଶ୍ୱର ବିମାନବନ୍ଦରରୁ ଆର୍ନ୍ତଜାତୀୟ ବିମାନ ଉଡାଣ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।
କୋଭିଡ ମହାମାରୀ ଯୋଗୁଁ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ କୁଆଲାମପୁରକୁ ଆର୍ନ୍ତଜାତୀୟ ଉଡାଣ କରୁଥିବା ଏକ ମାତ୍ର କମ୍ପାନୀ ଏୟାର ଏସିଆ ୨୦୨୦ ମାର୍ଚ୍ଚ ମାସରୁ ତାର ଉଡାଣ ବନ୍ଦ କରି ଦେଇଛି । କାରଣ କୋଭିଡ ମହାମାରୀ ଚୀନ୍ର ବିଭିନ୍ନ ରାଜ୍ୟ ଓ ଦକ୍ଷିଣ ଏସୀୟ ରାଷ୍ଟ୍ରରେ ବ୍ୟାପିବା ଯୋଗୁଁ ଏୟାର ଏସିଆ ଏଭଳି ପଦକ୍ଷେପ ନେଇଥିଲା । କେବଳ ପର୍ଯ୍ୟଟନ କ୍ଷେତ୍ର ନୁହେଁ, ଶିଳ୍ପ ଏବଂ ଆଇଟି ପାଇଁ ଭୁବନେଶ୍ୱର ଆର୍ନ୍ତଜାତୀୟ ବିମାନବନ୍ଦରରୁ ପଶ୍ଚିମରେ ଦୁବାଇ ଏବଂ ପୂର୍ବରେ ସିଙ୍ଗାପୁର ଓ ବ୍ୟାଙ୍କକ୍କୁ ବିମାନ ଉଡାଣ ବେଶ୍ ଫଳପ୍ରଦ ହେବ । ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କ୍କ ବିଶ୍ୱର ବିଭିନ୍ନ ସ୍ଥାନକୁ ଯିବା ପାଇଁ କେନ୍ଦ୍ରସ୍ଥଳୀ ହୋଇଥିବାରୁ ବିଦେଶରେ ରହୁଥିବା ଓଡିଶାର ଲୋକେ ବେଶ୍ ସୁବିଧାରେ ଅନ୍ୟାନ୍ୟ ରାଷ୍ଟ୍ରକୁ ଯାଇପାରିବେ ।
ପ୍ରସ୍ତାବିତ ଆର୍ନ୍ତଜାତୀୟ ରୁଟ୍ରେ ବିମାନ ଉଡାଣ କରିବାକୁ ଥିବା କମ୍ପାନୀଙ୍କୁ ମନୋନିତ ହେବାର ୬୦ଦିନ ମଧ୍ୟରେ ବିମାନ ଚଳାଚଳ କରିବାକୁ ପଡିବ । ନଚେତ କୌଣସି ସମୟ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କଠୁ ଅନୁମତି ନେବାକୁ ପଡିବ । ସୂଚନା ଅନୁଯାୟୀ ଆର୍ନ୍ତଜାତୀୟ ଉଡାଣ କରୁଥିବା ବିମାନର ଇନ୍ଧନ ଉପରୁ ରାଜ୍ୟ ସରକାର ଭାଟ୍ ଛାଡକରିଛନ୍ତି । ଆର୍ନ୍ତଜାତୀୟ ବିମାନ ଉଡାଣ କରିବାକୁ ଥିବା କମ୍ପାନୀ ଉଡାଣ ଦିନଠୁ ବର୍ଷକ ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ ଓ ଏହାକୁ ୩ ବର୍ଷ ପର୍ଯ୍ୟନ୍ତ ବୃଦ୍ଧିକରାଯାଇ ପାରିବ । ତେବେ ବିମାନ କମ୍ପାନୀ ସେମାନଙ୍କ ବିମାନ ଚଳାଚଳରେ କୌଣସି ପରବର୍ତ୍ତନ କଲେ ମିଳୁଥିବା ଆର୍ଥିକ ସହାୟତା ସଂଶୋଧନ ନ ହେବା ପର୍ଯ୍ୟନ୍ତ ତାହାକୁ ବନ୍ଦ କରାଯିବ । ଟେଣ୍ଡର ନିୟମ ଅନୁଯାୟୀ ଆର୍ଥିକ ସହାୟତା ପାଇବାକୁ ହେଲେ ବିମାନ କମ୍ପାନୀ ଅତି କମରେ ୭୦% ଉଡାଣ କରିବ । କୌଣସି ଅପ୍ରତ୍ୟାଶିତ କାରଣ ବିନା ଉଡାଣ ପ୍ରଭାବିତ ହେଲେ ଅନ୍ୟ ମନୋନିତ ବିମାନ କମ୍ପାନୀକୁ ଏହି ସୁବିଧା ଦିଆଯାଇ ପାରେ ବୋଲି ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି ।