ଟି-୨୦ ଶୃଙ୍ଖଳା ଜିତିଲା ହାର୍ଦ୍ଦିକ ସେନା

ନାପିଏର, ୨୨ା୧୧ (ଏଜେନ୍ସି): ସଦ୍ୟ ସମାପ୍ତ ଟି-୨୦ ବିଶ୍ୱକପ୍ରୁ ନୈରାଶ୍ୟଜନକ ବିଦାୟ ପରେ ବିଜୟ ପଥକୁ ଫେରିଛି ଟିମ୍ ଇଣ୍ଡିଆ । ମଙ୍ଗଳବାର ନୁ୍ୟଜିଲାଣ୍ଡ ବିପକ୍ଷ ବର୍ଷା ବାଧାପ୍ରାପ୍ତ ତୃତୀୟ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଟାଇ ରହିବା ପରେ ହାର୍ଦ୍ଦିକ ସେନା ୧-୦ରେ ଶୃଙ୍ଖଳା କରାୟତ୍ତ କରିଛି । ଏହା ପୂର୍ବରୁ ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇ ହୋଇଯିବା ପରେ ଦ୍ୱିତୀୟ ମ୍ୟାଚ୍ରେ ଭାରତ ୬୫ ରନ୍ର ବଡ଼ ବ୍ୟବଧାନରେ ବିଜୟୀ ହୋଇଥିଲା ।
୧୬୧ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଭାରତୀୟ ଟିମ୍ ୯ ଓଭର୍ରେ ୭୫/୪ ସ୍କୋର୍ କରିଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା । ବର୍ଷା ଛାଡ଼ିବା ପରେ ବି ଓଦା ଆଉଟ୍ଫିଲ୍ଡ ଯୋଗୁଁ ଆଉ ଖେଳ ସମ୍ଭବପର ହୋଇ ନ ଥିଲା । ଡକ୍ୱାର୍ଥ-ଲୁଇସ୍ ପଦ୍ଧତି ଅନୁଯାୟୀ ଉକ୍ତ ଓଭର୍ ମଧ୍ୟରେ ଭାରତର ଟାର୍ଗେଟ୍ ୭୬ ରନ୍ ଥିଲା । ଭାରତ ୭୫ ରନ୍ କରିଥିବାରୁ ମ୍ୟାଚ୍ ଟାଇ ରହିଥିଲା । ସାଧାରଣତଃ ମ୍ୟାଚ୍ ଟାଇ ରହିବା ସ୍ଥିତିରେ ସୁପର୍ ଓଭର୍ ହୋଇଥାଏ । କିନ୍ତୁ ଗୋଟିଏ ବି ବଲ୍ ପଡ଼ିବାର ସମ୍ଭାବନା ନ ଥିଲା ।
ପ୍ରଭାବଶାଳୀ ବୋଲିଂ ପ୍ରଦର୍ଶନ କରିଥିବା ଭାରତୀୟ ପେସର୍ ମହମ୍ମଦ ସିରାଜ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଓ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବ ପ୍ଲେୟାର୍ ଅଫ୍ ଦ ସିରିଜ୍ ବିବେଚିତ ହୋଇଥିଲେ । ଅଧିନାୟକ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଏକ ବଡ଼ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପୂର୍ବରୁ ତାଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଆୟରର୍ଲାଣ୍ଡ ଶୃଙ୍ଖଳା ଜିତିଥିଲା । ହାର୍ଦ୍ଦିକଙ୍କୁ ଟି-୨୦ ଟିମ୍ର ସ୍ଥାୟୀ ଅଧିନାୟକ କରାଯିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ନୁ୍ୟଜିଲାଣ୍ଡ ସଫଳତା ତାଙ୍କ ଦାବିଦାରୀକୁ ଆହୁରି ମଜଭୁତ କରିଛି ।
ଭାରତୀୟ ଟିମ୍ର ଦୁଇ ଓପନର୍ ସଅଳ ପାଭିଲିଅନ୍ ଫେରିଥିଲେ । ଈଶାନ୍ କିଶନ୍ ୧୦ ରନ୍ କରି ଆଦାମ ମିଲ୍ନେଙ୍କ ବଲ୍ରେ ଆଉଟ୍ ହୋଇଥିବା ବେଳେ ରିଷଭ ପନ୍ତ ପୁଣି ଥରେ ନିରାଶ କରିଥିଲେ । ପନ୍ତ ୧୧ ରନ୍ କରି ଟିମ୍ ସାଉଦୀଙ୍କ ଶିକାର ହୋଇଥିଲେ । ଶ୍ରେୟାସ ଆୟର ଖାତା ଖୋଲି ନ ପାରି ସାଉଦୀଙ୍କ ପରବର୍ତ୍ତୀ ବଲ୍ରେ ଆଉଟ୍ ହୋଇଥିଲେ ।
ମାତ୍ର ୨୧ ରନ୍ରେ ୩ ୱିକେଟ୍ ପଡ଼ିଥିଲା । ଏହାପରେ ସୂର୍ଯ୍ୟକୁମାର ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଚତୁର୍ଥ ୱିକେଟ୍ ପାଇଁ ୩୯ ରନ୍ ଯୋଗ କରି ସ୍ଥିତିରେ ସୁଧାର ଆଣିଥିଲେ । ପୂର୍ବ ମ୍ୟାଚ୍ରେ ଧୂଆଁଦାର ଶତକ ଲଗାଇଥିବା ସୂର୍ଯ୍ୟକୁମାର (୧୩) ବେଶୀ ବାଟ ଯାଇ ନ ଥିଲେ । ତାଙ୍କ ୱିକେଟ୍ ଈଶ୍ ସୋଢ଼ିଙ୍କ ଖାତାକୁ ଯାଇଥିଲା ।
ବର୍ଷା ଯୋଗୁଁ ଖେଳ ବନ୍ଦ ରହିବା ବେଳକୁ ହାର୍ଦ୍ଦିକ ୧୮ ବଲ୍ରୁ ୩ ଚୌକା ଓ ୧ ଛକା ସହାୟତାରେ ୩୦ ଏବଂ ଦୀପକ ହୁଡ଼ା ୯ ରନ୍ କରି ଅପରାଜିତ ଥିଲେ ।
ଏହା ପୂର୍ବରୁ ନୁ୍ୟଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିୱି ଏକାଦଶରେ କେନ୍ ୱିଲିଅମ୍ସନ୍ଙ୍କ ସ୍ଥାନରେ ମାର୍କ ଚାପମ୍ୟାନ୍ଙ୍କୁ ସାମିଲ୍ କରାଯାଇଥିବା ବେଳେ ସାଉଦୀ ଟିମ୍ର ନେତୃତ୍ୱ ନେଇଥିଲେ । ଅନ୍ୟପଟେ, ଭାରତୀୟ ଏକାଦଶରେ ୱାଶିଂଟନ୍ ସୁନ୍ଦରଙ୍କ ସ୍ଥାନରେ ହର୍ଷଲ ପଟେଲ୍ଙ୍କୁ ସୁଯୋଗ ମିଳିଥିଲା ।
ନୁ୍ୟଜିଲାଣ୍ଡ ଟିମ୍ ଗୋଟିଏ ସମୟରେ ଭଲ ସ୍ଥିତିରେ ଥିବା ସତ୍ତ୍ୱେ ପୂରା ଓଭର୍ ଖେଳି ନ ପାରି ୧୬୦ (୧୯.୪ ଓଭର୍) ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ମାତ୍ର ୩୦ ରନ୍ ମଧ୍ୟରେ ଟିମ୍ ଶେଷ ୮ ୱିକେଟ୍ ହରାଇଥିଲା ।
ଫିନ୍ ଆଲେନ୍ (୩) ପୁଣି ଥରେ ବିଫଳ ହୋଇଥିଲେ ଏବଂ ମାତ୍ର ୯ ରନ୍ରେ ଓପନିଂ ଯୋଡ଼ି ଭାଙ୍ଗିଥିଲା । ଏହାପରେ ଡେଭନ୍ କନୱେ ନୂଆ ବ୍ୟାଟର୍ ଚାପମ୍ୟାନ୍ଙ୍କ ସହ ମିଶି ୩୫ ରନ୍ ଯୋଗ କରିଥିଲେ । ଚାପମ୍ୟାନ୍ (୧୨)ଙ୍କୁ ଆଉଟ୍ କରି ସିରାଜ୍ ଏହି ଯୋଡ଼ିକୁ ଆଉ ଆଗକୁ ବଢ଼ିବାକୁ ଦେଇ ନ ଥିଲେ ।
ଏହାପରେ କନୱେଙ୍କ ସହ କ୍ରିଜ୍ରେ ଯୋଗ ଦେଇଥିଲେ ଗ୍ଲେନ୍ ଫିଲିପ୍ସ । ଉଭୟ ଇନିଂସ୍କୁ ଆଗେଇ ନେଇଥିଲେ । ତୃତୀୟ ୱିକେଟ୍ ପାଇଁ ୮୬ ରନ୍ର ଭାଗୀଦାରୀ ହୋଇଥିଲା । ଉଭୟ ବ୍ୟାଟର୍ ମଧ୍ୟ ଅର୍ଦ୍ଧଶତକ ଲଗାଇଥିଲେ । କନୱେ ୪୯ ବଲ୍ରୁ ୫୯ ଓ ଫିଲିପ୍ସ ୩୩ ବଲ୍ରୁ ୫୪ ରନ୍ର ଇନିଂସ୍ ଖେଳିଥିଲେ ।
ଟିମ୍ର ସ୍କୋର୍ ୧୩୦ ରନ୍ ହୋଇଥିବା ବେଳେ ଫିଲିପ୍ସ (୪୯ ବଲ୍ରୁ ୫୯)ଙ୍କୁ ସିରାଜ୍ ଭୁବନେଶ୍ୱର କୁମାରଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ । ଏହାପରେ କନୱେ (୩୩ ବଲ୍ରୁ ୫୪) ଅର୍ଶଦୀପଙ୍କ ଶିକାର ହୋଇଥିଲେ । ଏଠାରୁ ଦ୍ରୁତ ୱିକେଟ୍ ପତନ ଆରମ୍ଭ ହୋଇଯାଇଥିଲା । ସିରାଜ ଓ ଅର୍ଶଦୀପଙ୍କ ଆତଙ୍କ ଜାରି ରହିଥିଲା ।
ଜେମ୍ସ ନୀଶମ୍ (୦), ମିଚେଲ୍ ସାଣ୍ଟନର (୧) ଉଭୟଙ୍କୁ ସିରାଜ୍ ପାଭିଲିଅନ୍ ପଠାଇଥିଲେ । ଡାରିଲ୍ ମିଚେଲ୍ (୧୦), ସୋଢ଼ି (୦) ଅର୍ଶଦୀପଙ୍କ ଶିକାର ହୋଇଥିଲେ । ମିଲ୍ନେ କୌଣସି ସ୍କୋର୍ ନ କରି ରନ୍ଆଉଟ୍ ହୋଇଯାଇଥିବା ବେଳେ ସାଉଦୀ (୬)ଙ୍କ ୱିକେଟ୍ ହାର୍ଦ୍ଦିକ ପଟେଲ୍ଙ୍କ ଖାତାକୁ ଯାଇଥିଲା । ଲୋକୀ ଫର୍ଗୁସନ୍ ୫ ରନ୍ କରି ଅପରାଜିତ ଥିଲେ ।
ଅର୍ଶଦୀପ ୩୭ ରନ୍ ଓ ସିରାଜ ୧୭ ରନ୍ ଦେଇ ୪ ୱିକେଟ୍ ଲେଖାଏଁ ନେଇଥିବା ବେଳେ ହର୍ଷଲଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *