ମାଲକାନଗିରି ମୋ ପାଇଁ ସ୍ୱତନ୍ତ୍ର
ଭୁବନେଶ୍ୱର, ୨୨ା୧୧ (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ମାଲକାନଗିରି ଜିଲ୍ଲା ପାଇଁ ୬ ଗୁରୁତ୍ୱପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହିସବୁ ପ୍ରକଳ୍ପଗୁଡିକ ଜିଲ୍ଲାର ସାମାଜିକ ଓ ଆର୍ଥିକ ବିକାଶକୁ ଆହୁରି ଆଗେଇ ନେବ । ଭିଡିଓ କନ୍ଫରେନ୍ସିଂ ଜରିଆରେ ପ୍ରକଳ୍ପ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ, ମାଲକାନାଗିରି ସବୁବେଳେ ମୋ ପାଇଁ ସ୍ୱତନ୍ତ୍ର ହୋଇ ରହିଛି । ମାଲକାନଗିରିର ବିକାଶ କାମ ମୋତେ ସବୁଠାରୁ ଅଧିକ ଖୁସି ଦେଇଥାଏ । ମୋର ପୂର୍ଣ୍ଣ ବିଶ୍ୱାସ, ମାଲକାନଗିରି ପରିଚୟ ଆଗକୁ ଆହୁରି ଉଜ୍ଜଳ ହେବ । ରାଜ୍ୟର ଏକ ଆଗୁଆ ଜିଲ୍ଲା ଭାବରେ ବିକାଶ ମାନଚିତ୍ରରେ ମାଲକାନଗିରି ନିଜର ସ୍ଥିତିକୁ ଆହୁରି ଦୃଢ କରିବ ।
ମଙ୍ଗଳବାର ଉଦ୍ଘାଟିତ ପ୍ରକଳ୍ପ ମଧ୍ୟରେ ଅନ୍ୱେଷା କାର୍ଯ୍ୟକ୍ରମରେ ଶିକ୍ଷାଗ୍ରହଣ କରୁଥିବା ଅନୁସୂଚିତ ଜନଜାତି ଓ ଜାତି ପିଲାଙ୍କ ପାଇଁ ୨ ହଷ୍ଟେଲ । ଏଥିରେ ୬୦୦ ପୁଅ ଓ ୬୦୦ ଝିଅ ରହିବପାଇଁ ବ୍ୟବସ୍ଥା କରାଯାଇଛି । ମୋଟୁ ଟ୍ରାଇ ଜଙ୍କସନଣ୍ଟାରେ ବିଜୁ ପଟ୍ଟନାୟକ ଅନ୍ତଃରାଜ୍ୟ ବସ୍ ଟର୍ମିନାଲ । ଏହା ଜିଲ୍ଲା ସହ ଛତିଶଗଡ ଓ ଅନ୍ଧ୍ରପ୍ରଦେଶକୁ ଗମନାଗମନ ସୁଗମ କରିଛି । ଏହାସହ ମାଲକାନଗିରି ବଣ୍ଡା ଅଞ୍ଚଳକୁ ଯୋଡୁଥିବା ଏକ ଉଚ୍ଚସ୍ତରୀୟ ସେତୁ ଓ ବାଲିମେଳାଠାରେ ତମସା ନଦୀ ଉପରେ ବିଜୁ ସେତୁ, କ୍ରୀଡାର ବିକାଶ ପାଇଁ ଏକ ଜୁଡୋ ଏକାଡେମୀ ଓ ପିଲାଙ୍କ ପାଇଁ ଏକ ସ୍ୱଧାର ଗୃହ ରହିଛି ।
ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲାରେ ଦ୍ରୁତ ବିକାଶ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ । ସେ କହିଥିଲେ ମାଲକାନଗିରିବାସୀ ଆଜି ବିକାଶ ସହ ଯୋଡି ହୋଇ ରହିଛନ୍ତି । ବିକାଶ କାମରେ ଆପଣମାନଙ୍କ ସହଯୋଗ ସବୁବେଳେ ଆମକୁ ଉତ୍ସାହିତ କରି ଆସିଛି । ଜିଲ୍ଲାରେ ଶିକ୍ଷା ଓ ସଚେତନତା ପ୍ରସାର ଘଟିଛି । ଯୋଗାଯୋଗରେ ଉନ୍ନତି ଆସିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାଠାରୁ ଆରମ୍ଭ କରି ବିଭିନ୍ନ କଲ୍ୟାଣ ଯୋଜନାର ସୁଯୋଗ ଆପଣମାନେ ନେଉଥିବା ଖୁସିର କଥା । ମାଲକାନଗିରିର ସଫଳ ଚାଷୀ, ମିଶନଶକ୍ତି ମା ମାନେ, ଛାତ୍ରଛାତ୍ରୀ, ଯୁବବର୍ଗ ଏ ସମସ୍ତଙ୍କ ସଫଳତା ଆଜି ଜିଲ୍ଲା ପାଇଁ ନୂଆ ପରିଚୟ ଆଣିଛି ବୋଲି ସେ କହିଥିଲେ ।
ବଣ୍ଡା ଘାଟିର ଝିଅ କରମା ମୁଦୁଲି ଭୁବନେଶ୍ୱରର ସବୁଠାରୁ ଭଲ ସରକାରୀ ମହିଳା ୟୁନିଭରସିଟିରେ ପାଠ ପଢୁଥିବାର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା ହିଁ ସୁଯୋଗ ଆଣିଥାଏ ଓ ଶିକ୍ଷା ହିଁ ଏ ରୂପାନ୍ତର ଆଣିଛି । ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପାଠ ପଢି ନିଜ ପାଇଁ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହି ଅବସରରେ ଚିତ୍ରକୁଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗଲୁ ପ୍ରମୁଖ ବକ୍ତବ୍ୟ ରଖି ମାଲକାନଗିରି ଜିଲ୍ଲାରେ ଦ୍ରୁତ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ୱର ଉଚ୍ଚପ୍ରଶଂସା କରିଥିଲେ । ୫-ଟି ସଚିବ ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।