ଦାୟିତ୍ୱ ଓ ନିଷ୍ଠାର ସହ କାମ କର

ଭୁବନେଶ୍ୱରରେ ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର (ବୁ୍ୟରୋ): ନୂତନ ଭାବେ ନିଯୁକ୍ତ ପାଇଥିବା ଯୁବକ ଯୁବତୀମାନେ କର୍ମକ୍ଷେତ୍ରରେ ଯୋଗ ଦେବା ସମୟରେ ନିଷ୍ଠାର ସହ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ପାଳନ କରନ୍ତୁ । ଲୋକଙ୍କ ସେବା କରିବା ଦ୍ୱାରା ସମାଜରେ ପରିବର୍ତ୍ତନ ଆସିପାରିବ ବୋଲି ଭୁବନେଶ୍ୱରରେ ରୋଜଗାର ମେଳାରେ ନିଯୁକ୍ତିପତ୍ର ବାଣ୍ଟିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ଥାନୀୟ ରେଳ ଅଡିଟୋରିୟମ୍ରେ ରାଜ୍ୟରେ ରୋଜଗାର ମେଳାର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିବା ସହ ୩୮୪ ଜଣ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯୁବକ ଯୁବତୀମାନେ କାର୍ଯ୍ୟରେ ଯୋଗଦେବା ପାଇଁ ଯିବା ବେଳେ ନିଜର ପଥକୁ ସବୁବେଳେ ମନେ ରଖିବା ଆବଶ୍ୟକ । ଆଜି ଏଠାରେ ଉପସ୍ଥିତ ଯୁବସାଥୀମାନେ ସର୍ବୋପରି ଦାୟିତ୍ୱ ଓ କର୍ତ୍ତବ୍ୟକୁ ପାଥେୟ କରନ୍ତୁ । ଶହୀଦ ଲକ୍ଷ୍ମଣ ନାଏକ ଦେଶସେବା ପାଇଁ ବଳିଦାନ ଦେଇଥିଲେ । ଉକ୍ରଳ କେଶରୀ ଡା. ହରେକୃଷ୍ଣ ମହତାବ ଆମ ଓଡ଼ିଆ ଜାତିକୁ ନୂଆ ଦିଗଦର୍ଶନ ଦେଇଥିଲେ । ଏହି କାରଣରୁ ଆମେ ସାମ୍ପ୍ରତିକ ସମୟରେ ଉପନୀତ ହୋଇଛେ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।
ରୋଜଗାର ମେଳାର ପ୍ରଥମ ପର୍ଯ୍ୟାୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଭୁବନେଶ୍ୱରରେ ରାଜ୍ୟର ୨୩୯ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ, ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତାଙ୍କର ବୀରତ୍ୱ, ନେତୃତ୍ୱ ଓ ତ୍ୟାଗ ମନୋବୃତ୍ତି ଭବିଷ୍ୟତ ଯୁବପିଢିଙ୍କ ପାଇଁ ପାଥେୟ ହେବ ବୋଲି ସେ କହିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *