ଗ୍ରାମବାସୀଙ୍କ ଜିଦ୍ କାରଖାନା ହଟାଅ
ସ୍ମାର୍ଟ କେମିକାଲ୍ସ ଟେକ୍ନୋଲୋଜି ନିର୍ମାଣ ନେଇ ତ୍ରିପାକ୍ଷିକ ବୈଠକ ବିଫଳ
ଛତ୍ରପୁର (ଆପ୍ର): ଛତ୍ରପୁର ବ୍ଲକ୍ କାଳିପଲ୍ଲୀ ଗ୍ରାମବାସୀ ନିକଟ ଟାଟା ଏସ୍ଇଜେଡ୍ ଜମିରେ ପ୍ରସ୍ତାବିତ ସ୍ମାର୍ଟ କେମିକାଲ୍ସ ଟେକ୍ନୋଲୋଜି କାରଖାନା ନିର୍ମାଣକୁ ବିରୋଧ କରିଛନ୍ତି ଗ୍ରାମବାସୀ । ତ୍ରିପାକ୍ଷିକ ବୈଠକରେ କମ୍ପାନୀ ନିର୍ମାଣ କାର୍ଯ୍ୟ ବନ୍ଦ କରି ଚାଲିଯିବା ନେଇ ରୋକଠୋକ ଶୁଣାଇଛନ୍ତି ଗ୍ରାମବାସୀ । ଶେଷରେ ପ୍ରଶାସନ ଏବଂ କମ୍ପାନୀ କର୍ତ୍ତୃପକ୍ଷ ଫେରିଯାଇଛନ୍ତି । ଏହି ପରିପ୍ରେକ୍ଷୀରେ କାଳିପଲ୍ଲୀ ଗ୍ରାମରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ତହସିଲଦାର ପ୍ରକାଶ ଚନ୍ଦ୍ର ମିଶ୍ର, ବିଡିଓ ଶାରଦା ପ୍ରସାଦ ପଣ୍ଡା, ଏସ୍ଡିପିଓ ଗୌତମ କିଷାନ, କମ୍ପାନୀର ପ୍ରକଳ୍ପ ପରିଚାଳକ ଚିତ୍ତ ରଞ୍ଜନ ପାଣିଗ୍ରାହୀ, ଗ୍ରାମର ଗାଁ କମିଟି ସଭାପତି ବି ମୋହନ ପାତ୍ରଙ୍କ ସହ ଗ୍ରାମବାସୀ ଏଥିରେ ଉପସ୍ଥିତ ଥିଲେ । ବୈଠକରେ କମ୍ପାନୀ ନିର୍ମାଣ ହେଲେ ଚି ସୁବିଧା ହେବ ସେ ନେଇ ଉପଜିଲ୍ଲାପାଳ ପ୍ରସନ କୁମାର ପାତ୍ର ଗ୍ରାମବାସୀଙ୍କୁ ବୁଝାଇଥିଲେ ମଧ୍ୟ ଗ୍ରାମବାସୀ କାରଖାନା ନିର୍ମାଣକୁ ବିରୋଧ କରିଛନ୍ତି । ଉକ୍ତ କାରଖାନା ସ୍ୱାସ୍ଥ୍ୟ ପ୍ରତି କୁପ୍ରଭାବ ପକାଇବ ବୋଲି ଅଭିଯୋଗ କରି ଗ୍ରାମବାସୀ ଏହାକୁ ଏଠାରୁ ହଟାଇବାକୁ ଅଡ଼ି ବସିଥିଲେ । ପୂର୍ବରୁ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତ୍ରିପାକ୍ଷୀକ ବୈଠକ ବିଫଳ ହୋଇଥିଲା । ଏହାର ୨ ଦିନ ପରେ କାରଖାନା ଏଠାରେ ବନ୍ଦ କରିବା ପାଇଁ ଗ୍ରାମବାସୀ ଛତ୍ରପୁର ତହସିଲଦାରଙ୍କୁ ଜଣାଇ ଦେଇଛନ୍ତି । ଏହା ପୂର୍ବରୁ ଗ୍ରାମବାସୀ କାରଖାନା ନିର୍ମାଣକୁ ବିରୋଧ କରିବାରୁ ପ୍ରଶାସନ ପଛଘୁଞ୍ଚା ଦେବା ସହ ପୁଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃ୍ଷ୍ଟି ହୋଇଥିଲା । ପୁଲିସ ଲାଠି ଚାଳନା କରିଥିବାବେଳେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ପୁଲିସ ମଧ୍ୟ ଆହତ ହୋଇଥିଲା । ସେହିଦିନ ଠାରୁ କାରଖାନା ନିର୍ମାଣ କାମ ବନ୍ଦ ରହିଛି ।