ଆଉ ୩ ଦିନ ରିମାଣ୍ଡରେ ଖଗେଶ୍ୱର

ଅକ୍ଷୟ-ଅମୀୟ-ଖଗେଶ୍ୱରଙ୍କୁ ମୁହାଁମୁହିଁ ଜେରା
ଭୁବନେଶ୍ୱର, ୨୨ା୧୧ (ବୁ୍ୟରୋ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ତନାଘନା ଜାରି ରଖିଛି ଇଡି । ମାମଲାରେ ଅନ୍ୟତମ ଅଭିଯୁକ୍ତ ଖଗେଶ୍ୱର ପାତ୍ରଙ୍କୁ ପୁଣି ତିନି ଦିନିଆ ରିମାଣ୍ଡରେ ନେଇଛି ଇଡି । ଗତ ୧୦ ଦିନର ରିମାଣ୍ଡ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି ଇଡି । ଏବେ ତିନି ଦିନର ରିମାଣ୍ଡବେଳେ ଖଗେଶ୍ୱରଠାରୁ ଇଡି ଆହୁରି ଅନେକ ତଥ୍ୟ ପାଇବାର ସମ୍ଭାବନା ରହିଛି । ଏହି ସମୟରେ ନୋଟିସ୍ ହୋଇଥିବା ବ୍ୟକ୍ତିଙ୍କୁ ସାମ୍ନାସାମ୍ନି ଜେରା କରାଯିବ ବୋଲି ସୂଚନା ମିଳିଥିବାବେଳେ ପ୍ରଥମ ଦିନରେ ଶିଳ୍ପପତି ଅମୀୟ ଦାସ, ପ୍ରଜୋଜକ ଅକ୍ଷୟ ପରିଜା ଓ ଖଗେଶ୍ୱରକୁ ମୁହାଁମୁହିଁ ଜେରା କରାଯାଇଛି ।
ସେହିପରି ଅର୍ଚ୍ଚନାଙ୍କ ଏଣ୍ଡେଭର କାରକୁ କିଏ ଲୁଚାଇଥିଲା ତାହାର ପତା ପାଇନାହିଁ ଇଡି । ସେହି ଯୁବକ ଇଡି ହାତରେ ଲାଗିଲେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଅନେକ ତଥ୍ୟ ମିଳିପାରିବ ବୋଲି କୁହାଯାଉଛି । ଖଗେଶ୍ୱରଙ୍କୁ କୋର୍ଟରେ ହାଜର ବେଳେ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା । କୋର୍ଟରେ ହାଜର ବେଳେ କମିଶନରେଟ୍ ପୋଲିସର ଫୋର୍ସଙ୍କୁ ଦେଖିବାକୁ ମିଳିଥିଲା । ସିଆରପିଏଫ୍ ଯବାନ ଏସ୍କର୍ଟ କରି ଖଗେଶ୍ୱରଙ୍କୁ କୋର୍ଟକୁ ଆଣିଥିଲେ । ମାମଲାରେ ପୁଲିସ୍ ଇଡିକୁ ସହଯୋଗ କରୁନ ଥିବା ଅଭିଯୋଗ ଆସିଛି । ଯାହା ମାମଲାରେ ବଡ଼ବଡ଼ିଆଙ୍କ ସମ୍ପୃକ୍ତିକୁ ବଢ଼ାଇଛି ।
ଆଗକୁ ଇଡି ବଡ଼ବଡ଼ିଆଙ୍କୁ ଜେରା କରିବ ବୋଲି ସୂଚନା ମିଳିଛି ।
ସେପଟେ ଇଡିରୁ ସମନ ପାଇ ହାଜର ହୋଇଛନ୍ତି ବ୍ୟବସାୟୀ ଅମୀୟକାନ୍ତ ଦାସ । ସେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟକୁ ୧୦ ଲକ୍ଷ ଟଙ୍କା ପଠାଇଥିଲେ । ତେବେ କେଉଁ କାରଣ ପାଇଁ ସେ ଏତେ ଟଙ୍କା ପଠାଇଥିଲେ, ସେ ନେଇ ଇଡି ଖୋଳତାଡ କରୁଛି । ଅମୀୟକାନ୍ତ ଦାସ ଭୁବନେଶ୍ୱରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ପରିଚିତ । ୨୦୨୧-୨୨ରେ ତାଙ୍କ ସଂସ୍ଥାର ଚେକ୍ରୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟରେ ୧୦ ଲକ୍ଷ ଟଙ୍କା ଡିପୋଜିଟ ହୋଇଥିଲା । ବ୍ୟବସାୟିକ ସମ୍ପର୍କରୁ ନା ଅନ୍ୟ କୌଣସି କାରଣରୁ ଅମୀୟକାନ୍ତ ଏହି ଟଙ୍କା ଦେଇଥିଲେ ସେ ନେଇ ଖୋଳତାଡ଼ କରୁଛି ଇଡି ।
ସେପଟେ ଇଡିରେ ହାଜର ହୋଇଛନ୍ତି ପ୍ରଜୋଜକ ଅକ୍ଷୟ ପରିଜା । ଅକ୍ଷୟ ନିଜର ଓକିଲଙ୍କ ସହ ଇଡିରେ ହାଜର ହୋଇଥିଲେ । ପରେ ଖଗେଶ୍ୱର ଓ ଅମୀୟଙ୍କ ସହ ତାଙ୍କୁ ଜେରା କରାଯାଇଥିବା ସୂଚନା ମିଳିଛି । ଶୁକ୍ରବାର ଇଡି ଏହି ମାମଲାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ନୋଟିସ ଜାରି କରିଥିଲେ । କିନ୍ତୁ ଅକ୍ଷୟଙ୍କ ବଦଳରେ ଇଡିରେ ହାଜର ହୋଇଥିଲେ ତାଙ୍କ ଓକିଲ । ଅର୍ଚ୍ଚନା କେଳେଙ୍କାରୀ ବିଷୟରେ ଯାହା ବି କିଛି ଜାଣିଥିଲେ ଓକିଲଙ୍କ ମାଧ୍ୟମରେ ଇଡି ପାଖରେ ତଥ୍ୟ ରଖିଥିଲେ ଅକ୍ଷୟ ପରିଜା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *