ମହିମା ଗାଦିରେ ବୁଲ୍ଡୋଜର୍

ଢେଙ୍କାନାଳ, ୨୨ା୧୧ (ଆପ୍ର): ମହିମା ଧର୍ମର ଆଦିପୀଠ ଯୋରନ୍ଦା ଗାଦିରେ ଭକ୍ତ ଏବଂ ସାଧୁଙ୍କ ଭାବାବେଗକୁ ଜଳାଞ୍ଜଳି ଦେଇ ଗାଦି ପରିସରରେ ମଙ୍ଗଳବାର ପୂର୍ବାହ୍ଣରେ ବୁଲ୍ଡୋଜର୍ ଚାଲିଛି । ମହିମା ଧର୍ମର କୌପୁନୀଧାରୀ ଏବଂ ବକଳଧାରୀ ସାଧୁଙ୍କ ମଧ୍ୟରେ ଦୀର୍ଘ ୭୭ ବର୍ଷ ହେଲା ବିବାଦ ଚାଲିଥିଲା । ହାଇକୋର୍ଟ ଆଦେଶ ପରେ ବୁଲଡୋଜର ଲଗାଇ ବତୀ ମନ୍ଦିର ଓ ଧୁନି ମନ୍ଦିରକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି । ଆଖି ଆଗରେ ମନ୍ଦିର ଭଙ୍ଗାଯିବା ଦେଖି କୌପୀନଧାରୀ ଅଲେଖ ବାବା କୋହ ସମ୍ଭାଳି ପାରି ନାହାନ୍ତି । ଅନ୍ୟ ଜଣେ କୌପୀନଧାରୀ ବାବା ରଘୁନାଥ ଦାସ କହିଛନ୍ତି, କେସ୍ ଲଢିବାକୁ ଆମ ପାଖେ ଅର୍ଥ ନାହିଁ । ୯୫ ବର୍ଷ ହେଲା ଭକ୍ତଙ୍କ ମଙ୍ଗଳ ପାଇଁ ଯେଉଁଠି ଅଖଣ୍ଡ ଜାଳିଆସିଥିଲୁ, ଆମର ସେହି ତପସ୍ୟା ଭୂମିକୁ ଧୂଳିସାତ୍ କରିଦିଆଗଲା ।
ହାଇକୋର୍ଟ ରାୟ ଅନୁସାରେ ଗାଦୀ ମନ୍ଦିରର ତୃତୀୟ ବେଢ଼ା ମଧ୍ୟରୁ ଜମି ଚିହ୍ନଟ ଓ ଉଚ୍ଛେଦ ପ୍ରକ୍ରିୟା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି । ହାଇକୋର୍ଟ ରାୟ ଆସିବା ପରେ ଗତ ୧୮ ତାରିଖଠାରୁ ବିବାଦୀୟ ସ୍ଥଳରେ ୧୪୪ ଧାରା ଜାରି ପୂର୍ବକ ପୁଲିସ ମୁତୟନ କରାଯାଇଥିଲା । ମଙ୍ଗଳବାର ପୂର୍ବାହ୍ଣ ୧୦ଟା ବେଳେ ପୁଲିସ ଫୋର୍ସ ସହିତ ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ, ଅତିରିକ୍ତ ଏସପି ଓ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା । ଗାଦି ମନ୍ଦିର ତୃତୀୟ ବେଢା ଚତୁଃପାଶ୍ୱର୍, ପ୍ରବେଶ ପଥ ଉତ୍ତର ସିଂହଦ୍ୱାର ବଡଦାଣ୍ଡରେ ବାରିକେଡ୍ କରାଯାଇ ଭକ୍ତ ମାନଙ୍କ ଚଳପ୍ରଚଳକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଥିଲା ।
ଦୁଇ ଜଣ ଡିଏସ୍ପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀଙ୍କ ସହିତ ୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ଢେଙ୍କାନାଳ ସିଭିଲ ଜଜ୍ ସିନିଅର ଡିଭିଜନ କୋର୍ଟର ଅମିନ କମିଶନରଙ୍କ ଦ୍ୱାରା ଚିହ୍ନଟ ପ୍ରକ୍ରିୟା ପରେ ଉଚ୍ଛେଦ ଆରମ୍ଭ ହୋଇଛି ।
ମହିମା ଗାଦି ତୃତୀୟ ବେଢା ମଧ୍ୟରେ ସିଦ୍ଧ ବଡ କୃପାସିନ୍ଧୁ ବାବାଙ୍କ ସମୟରୁ ବତୀ ମନ୍ଦିର, ଧୁନି ମନ୍ଦିର ନିର୍ମିତ ହୋଇଥିଲା । ବାବା ବ୍ରହ୍ମଲୀନ ହେବା ପରେ ୧୯୪୩ ମସିହାଠାରୁ ବକଳଧାରୀ ମହିମା ସମାଜ ପକ୍ଷରୁ ତୃତୀୟ ବେଢା ମଧ୍ୟରୁ ବତୀ ମନ୍ଦିର ଓ ଧୁନି ମନ୍ଦିର ଉଚ୍ଛେଦ ପାଇଁ ଅଦାଲତରେ ମାମଲା ରୁଜୁ ହୋଇଥିଲା । ଏ ସମ୍ପର୍କରେ ବିଭିନ୍ନ ସମୟରେ ଆସିଥିବା ରାୟ ଉପରେ ସ୍ଥଗିତାଦେଶ ଜାରି ହୋଇଥିଲା । ଶେଷରେ ୨୦୨୨ ଜୁଲାଇ ୧୧ ତାରିଖ ଦିନ ଉଚ୍ଛେଦ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଆବଶ୍ୟକ ପୁଲିସ ସୁରକ୍ଷା ବ୍ୟବସ୍ଥା ହୋଇ ନ ପାରିବାରୁ ପରବର୍ତ୍ତୀ ଦିନ ଧାର୍ଯ୍ୟ ହେଲା । ଏହା ବିରୋଧରେ କୋ÷ପୀନଧାରୀ ମହିମା ସମାଜ ପକ୍ଷରୁ ହାଇକୋର୍ଟରୁ ରହିତାଦେଶ ଆସିବାରୁ ଉଚ୍ଛେଦ କାର୍ଯ୍ୟ ପୁନର୍ବାର ସ୍ଥଗିତ ରହିଲା । ଗତ ଅକ୍ଟୋବର ୩୦ରେ ସ୍ଥଗିତାଦେଶ ଉଠିଯିବା ପରେ ବକଳଧାରୀ ସମାଜଙ୍କ ନିବେଦନକ୍ରମେ କୋର୍ଟ ଆଦେଶରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି ।
୧୯୯୮ରେ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି କୌପୀନଧାରୀ ମହିମା ସମାଜ ପକ୍ଷରୁ ସୁପ୍ରିମ କୋର୍ଟରେ ଆବେଦନ କରାଯାଇଥିଲା । ହାଇକୋର୍ଟ ରାୟକୁ ସୁପି୍ରମ କୋର୍ଟ ବଳବତ୍ତର ରଖିବା ପରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଉଚ୍ଛେଦ ସମୟରେ ଗଣମାଧ୍ୟମ ପ୍ରତିନିଧି ତଥା କ୍ୟାମେରାମ୍ୟାନଙ୍କୁ ଘଟଣାସ୍ଥଳକୁ ଯିବା ଲାଗି ଅନୁମତି ମିଳି ନ ଥିଲା । ଏହି ଉଚ୍ଛେଦକୁ ନେଇ ବକଳଧାରୀ ମହିମା ସମାଜ ଖୁସି ବ୍ୟକ୍ତ କରିଥିବା ବେଳେ କୌପୀନଧାରୀ ମହିମା ସମାଜର ରଘୁନାଥବାବା ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *