ମେସୀଙ୍କ ଆର୍ଜେଣ୍ଟିନାକୁ ହରାଇଲେ ସାଉଦୀ

ଫିଫା ବିଶ୍ୱକପ୍ରେ ବଡ଼ ବିପର୍ଯ୍ୟୟ
ଲୁସେଲ୍, ୨୨ା୧୧ (ଏଜେନ୍ସି): ଫିଫା ବିଶ୍ୱକପ୍ ୨୦୨୨ରେ ଅଭିଯାନ ଆରମ୍ଭରୁ ଆର୍ଜେଣ୍ଟିନାକୁ ବଡ଼ ଝଟ୍କା ଲାଗିଛି । ମଙ୍ଗଳବାର ଗ୍ରୁପ୍-ସି’ରେ ଲିଓନେଲ୍ ମେସୀଙ୍କ ଟିମ୍କୁ ସାଉଦୀ ଆରବ ୨-୧ରେ ହରାଇ ବଡ଼ ବିପର୍ଯ୍ୟୟ ଘଟାଇଛି ।
ବିଶ୍ୱ ମାନ୍ୟତାରେ ସାଉଦୀ ଆରବ ୪୯ତମ ସ୍ଥାନରେ ଥିବା ବେଳେ ଆର୍ଜେଣ୍ଟିନା ବିଶ୍ୱର ତିନି ନମ୍ବର ସ୍ଥାନରେ ଅଛି ଏବଂ ଟିମ୍ ମୁକୁଟ ଫେଭରିଟ୍ ମଧ୍ୟ ।
ଆର୍ଜେଣ୍ଟିନା ପାଇଁ ଦିନର ଆରମ୍ଭ ସ୍ୱପ୍ନ ଭଳି ଥିଲା ଯେତେବେଳେ ୧୦ମ ମିନିଟ୍ରେ ମେସୀ ଆଣ୍ଡ କୋ.କୁ ଏକ ଭିଡିଓ ରେଫରାଲ୍ ପେନାଲ୍ଟି ସୁଯୋଗ ଦେଇଥିଲା । ମେସୀ ସୁଯୋଗର ଫାଇଦା ଉଠାଇ ଟିମ୍କୁ ୧-୦ରେ ଅଗ୍ରଣୀ କରିଥିଲେ । ଏହି ପେନାଲ୍ଟି ଷ୍ଟ୍ରାଇକ୍ ସହ ମେସୀ ପ୍ରଥମ ଆର୍ଜେଣ୍ଟିନୀୟ ଭାବେ ଚାରି ଭିନ୍ନ ଭିନ୍ନ ବିଶ୍ୱକପ୍ରେ ସ୍କୋର୍ କରିବାର ଗୌରବ ଅର୍ଜନ କରିଥିଲେ । ମଧ୍ୟାନ୍ତର ଯାଏଁ ଆର୍ଜେଣ୍ଟିନା ଅଗ୍ରଣୀ ବଜାୟ ରଖିଥିଲା ।
ଏହାପରେ ସାଉଦୀ ଆରବ ଜୋର୍ଦାର ପ୍ରତ୍ୟାବର୍ତ୍ତନ କରିଥିଲା ଏବଂ ସାଲେହ ଅଲ୍-ଶେହରୀ ଓ ସାଲେମ ଅଲ୍-ଡସରୀଙ୍କ ଚମକ୍ପ୍ରଦ ଗୋଲ୍ ବଳରେ ଦକ୍ଷିଣ ଆମେରିକୀୟ ଟିମ୍ ବିପକ୍ଷରେ ୨-୧ରେ ଅଗ୍ରଣୀ ହାସଲ କରିଥିଲା ।
ଏହା ପୂର୍ବରୁ ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ପ୍ରାଧାନ୍ୟ ବିସ୍ତାର କରିଥିଲେହେଁ ତା’ର ତିନି ଗୋଲ୍ ନାକଚ ହୋଇଯାଇଥିଲା । ୩୫ ବର୍ଷ ବୟସରେ ପଞ୍ଚମ ବିଶ୍ୱକପ୍ ଖେଳୁଥିବା ମେସୀଙ୍କ ଗୋଟିଏ ଓ ତାଙ୍କ ଟିମ୍ମେଟ୍ ଲଉତାରୋ ମାର୍ଟିନେଜ୍ଙ୍କ ଦୁଇ ଗୋଲ୍ ଅଫ୍ସାଇଡ୍ ଯୋଗୁଁ ନାକଚ ହୋଇଥିଲା ।
ମେସୀଙ୍କ ବିଶ୍ୱକପ୍ ବିଜୟ ଆଶାକୁ ଆଦ୍ୟ ପରାଜୟ ସଙ୍କଟଘେରକୁ ଠେଲିଦେଇଛି । ଏହି ପରାଜୟ ୧୯୯୦ ବିଶ୍ୱକପ୍କୁ ମନେ ପକାଇଦେଇଛି, ଯେତେବେଳେ ଡିଏଗୋ ମାରାଡୋନାଙ୍କ ଆର୍ଜେଣ୍ଟିନା ଟିମ୍ ନିଜ ପ୍ରଥମ ମ୍ୟାଚ୍ରେ କାମେରୁନ୍ ଠାରୁ ୦-୧ରେ ପରାଜିତ ହୋଇଥିଲା ।
ମଧ୍ୟାନ୍ତର ସୁଦ୍ଧା ୦-୧ରେ ପଛରେ ଥିବା ସାଉଦୀ ଆରବ ଖୁବ୍ କମ୍ ସମୟ ମଧ୍ୟରେ ପ୍ରତ୍ୟାବର୍ତ୍ତନ କରିଥିଲା । ଅଲ୍-ଶେହରୀ ୪୮ତମ ମିନିଟ୍ରେ ଏକ ଲୋ-ସଟ୍ ଜରିଆରେ ଗୋଲ୍ କରି ସ୍କୋର୍କୁ ସମାନ ସ୍ଥିତିରେ ପହଞ୍ଚାଇଥିଲେ । ଏହାର ପାଞ୍ଚ ମିନିଟ୍ ପରେ ଅଲ୍-ଡସରୀ (୫୩ତମ ମିନିଟ୍) ପେନାଲ୍ଟି ଏରିଆର ସୀମାନ୍ତରୁ ଜୋର୍ଦାର ଷ୍ଟ୍ରାଇକ୍ ଜରିଆରେ ଆର୍ଜେଣ୍ଟିନାକୁ ସ୍ତବ୍ଧ କରିଥିଲେ ।
ଏହାପରେ ଆର୍ଜେଣ୍ଟିନା ଅନେକ ସମୟରେ ବଲ୍କୁ ନିଜ ନିୟନ୍ତ୍ରଣରେ ରଖିବା ସତ୍ତ୍ୱେ ସାଉଦୀ ଆରବର ରକ୍ଷଣପନ୍ଥୀକୁ ଭେଦ କରିବାରେ ସଫଳ ହୋଇ ନ ଥିଲା । ଷଷ୍ଠ ବିଶ୍ୱକପ୍ରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଏହି ଟିମ୍ ଏହା ପୂର୍ବରୁ କେବେ ନିଜ ପ୍ରଥମ ମ୍ୟାଚ୍ ଜିତି ନ ଥିଲା । ବିଶ୍ୱକପ୍ ଇତିହାସରେ ସାଉଦୀ ଆରବର ଏହା ତୃତୀୟ ବିଜୟ ।
ଏହି ପରାଜୟର ଆର୍ଜେଣ୍ଟିନାର ୩୬-ମ୍ୟାଚ୍ର ଅପରାଜେୟ (୨୫ ବିଜୟ ଓ ୧୧ ଡ୍ର’) ଧାରାକୁ ଭାଙ୍ଗିବା ସହ ଇଟାଲୀର (୩୭-ମ୍ୟାଚ୍ର ଅପରାଜେୟ ଧାରା) ସମକକ୍ଷ ହେବାରୁ ରୋକିଥିଲା । ଆର୍ଜେଣ୍ଟିନା ନିଜ ପରବର୍ତ୍ତୀ ମ୍ୟାଚ୍ରେ ୨୭ରେ ମେକ୍ସିକୋ ଓ ୩୦ରେ ପୋଲାଣ୍ଡକୁ ଭେଟିବ । ରାଉଣ୍ଡ-୧୬କୁ ଯିବା ପାଇଁ ମେସୀଙ୍କ ଟିମ୍କୁ ଏହି ଦୁଇ ମ୍ୟାଚ୍ ଯେକୌଣସି ସ୍ଥିତିରେ ଜିତିବାକୁ ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *