୯ଠ% ସାନିଟାରୀ ପ୍ୟାଡ୍ରେ କ୍ୟାନ୍ସର ବିପଦ

ନୂଆଦିଲ୍ଲୀ (ଏଜେନ୍ସି): ମାସିକ ଧର୍ମ ପାଳନ କରୁଥିବା ପ୍ରତ୍ୟେକ କିଶୋରୀ, ଯୁବତୀ ତଥା ମହିଳାଙ୍କ ଦ୍ୱାରା ବହୁଳ ଭାବେ ବ୍ୟବହୃତ ହେଉଥିବା ସାନିଟାରୀ ପ୍ୟାଡ୍ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଏସମ୍ପର୍କୀତ ଅଧ୍ୟୟନରୁ ଭାରତରେ ବ୍ୟବହାର ହେଉଥିବା ସାନିଟାରୀ ପ୍ୟାଡ୍ରେ କର୍କଟ ସୃଷ୍ଟିକାରୀ ରାସାୟନିକ ପଦାର୍ଥ ରହିଥିବା ଜଣାପଡିଛି । ଯାହାକି କ୍ୟାନ୍ସର ଭଳି ରୋଗର କାରଣ ସାଜୁଥିବା ରିପୋର୍ଟରେ ଦର୍ଶାଯାଇଛି । ଏଥିରେ ଦୀର୍ଘ ସମୟ ଧରି ସାନିଟାରୀ ପ୍ୟାଡ୍ ବ୍ୟବହାର କରିଆସୁଥିବା ମହିଳା, ଯୁବତୀ ତଥା କନ୍ୟାଙ୍କ କ୍ଷେତ୍ରରେ ଏହା ଏକ ବଡ଼ ବିପଦ ଭାବେ ଉଭା ହୋଇଛି ବୋଲି ଉଲ୍ଲେଖ କରାଯାଇଛି ।
ଏପ୍ରକାର ରିପୋର୍ଟ ଅତ୍ୟନ୍ତ ଚିନ୍ତାଜନକ । କାରଣ ଭାରତର ପ୍ରତି ୪ ମହିଳାଙ୍କ ମଧ୍ୟରୁ ପ୍ରାୟ ୩ଜଣ ସାନିଟାରୀ ପ୍ୟାଡ୍ ବ୍ୟବହାର କରୁଛନ୍ତି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁସାରେ ଭାରତରେ ୧୫ ରୁ ୨୪ ବର୍ଷ ବୟସର ପ୍ରାୟ ୬୪ ପ୍ରତିଶତ କିଶୋରୀ ଏବଂ ମହିଳା ସାନିଟାରୀ ପ୍ୟାଡ ବ୍ୟବହାର କରନ୍ତି । ମାସିକ ଧର୍ମ କାଳରେ ଗୁପ୍ତାଙ୍ଗରେ ହେବାକୁ ଥିବା ଗମ୍ଭୀର ରୋଗରୁ ବଞ୍ଚôବା ପାଇଁ କରାଯାଇଆସୁଥିବା ବେଳେ ଏବେ ଏହାର ବ୍ୟବହାର ଯୋଗୁ ମହିଳାଙ୍କ କ୍ଷେତ୍ରରେ କ୍ୟାନ୍ସର କିମ୍ବା ବନ୍ଧ୍ୟାଦୋଷ (ନିଃସନ୍ତାନ) ଭଳି ସମସ୍ୟା ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି ।
ପରିବେଶ ଉପରେ କାମ କରୁଥିବା ଏନ୍ଜିଓ ଟକ୍ସିକ୍ସ ଲିଙ୍କ୍ର କାର୍ଯ୍ୟକ୍ରମ ସଂଯୋଜକ ତଥା ଏହି ଅଧ୍ୟୟନରେ ସାମିଲ୍ ଡାକ୍ତର (ଗବେଷକ) ଅମିତ୍ କହିଛନ୍ତି ଯେ, ପ୍ରତିଟି ସ୍ଥାନରେ ସହଜରେ ମିଳୁଥିବା ସାନିଟାରୀ ନ୍ୟାପକିନ୍ (ପ୍ୟାଡ୍)ରେ ଏମିତି ଅନେକ କେମିକାଲ୍ ରହିଛି, ଯାହା ମହିଳାଙ୍କ ସ୍ୱାସ୍ଥ୍ୟପକ୍ଷେ ବହୁତ ହାନୀକାରକ । ସାନିଟାରୀ ଉତ୍ପାଦରେ କାର୍ସିନୋଜେନ, ରିପ୍ରଡକ୍ଟିଭ୍ ଟକ୍ସିନ୍, ଏଣ୍ଡୋକ୍ରାଇନ୍ ଡିସରପ୍ଟର୍ସ ଏବଂ ଆଲର୍ଜେସ୍ ଭଳି ଅନେକ ଗମ୍ଭୀର କେମିକାଲର ବ୍ୟବହାର କରାଯାଇଥାଏ । ଏସବୁ ରସାୟନିକ ପଦାର୍ଥ ମହିଳାଙ୍କ ଠାରେ କ୍ୟାନସର କିମ୍ବା ବାଞ୍ଝପଣ ସୃଷ୍ଟି କରିବା ପାଇଁ ଯଥେଷ୍ଟ ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏନ୍ଜିଓ ଟକ୍ସିକ୍ସ ଲିଙ୍କ୍ ଦ୍ୱାରା କରାଯାଇଥିବା ଅଧ୍ୟୟନରେ ଭାରତରେ ଉପଲବ୍ଧ ୧ଠଟି ବ୍ରାଣ୍ଡର ସାନିଟାରୀ ପ୍ୟାଡ୍ ପରୀକ୍ଷା କରାଯାଇଥିବା ବେଳେ ସମସ୍ତ ପ୍ୟାଡ୍ରେ ଥ୍ୟାଲେଟ୍ ଏବଂ ବାଷ୍ପଶୀଳ କାର୍ବୋନିକ ଯୌଗିକର ଉପସ୍ଥିତି ଦେଖିବାକୁ ମିଳିଛି । ଏହି ଦୁଇ ପ୍ରଦୂଷକ ରାସାୟନିକ ପଦାର୍ଥରେ କର୍କଟ କୋଷ ସୃଷ୍ଟି କରିବାର କ୍ଷମତା ଅଛି । ଏପରିକି କେତେକ ପ୍ୟାଡରେ ଏସବୁ ପଦାର୍ଥର ମାତ୍ରା ୟୁରୋପୀୟ ନିୟାମକ ମାନକଠାରୁ ତିନି ଗୁଣ ଅଧିକ ରହିଛି । ଯାହାକି ବେଶ୍ କ୍ଷତିକାରକ । ଏନ୍ଜିଓ ଟକ୍ସିକ୍ସ ଲିଙ୍କର ମୁଖ୍ୟ କାର୍ଯ୍ୟକ୍ରମ ସଂଯୋଜକ ପ୍ରୀତି ବନ୍ଥିଆ ମହେଶ କହିଛନ୍ତି, ୟୁରୋପୀୟ ଦେଶଗୁଡ଼ିକରେ ସାନିଟାରୀ ପ୍ୟାଡ୍ର ନିର୍ମାଣ କ୍ଷେତ୍ରରେ ଅନେକ ନିୟମ ରହିଥିବା ବେଳେ ଭାରତରେ ସେମିତି ବିଶେଷ ନିୟମ ନାହିଁ । ଯଦିଓ ଏହାକୁ କେବଳ ବିଏସ୍ଆଇ ମାନଦଣ୍ଡ ଆଧାରରେ ପ୍ରସ୍ତୁତ କରାଯାଉଛି, କିନ୍ତୁ ବାସ୍ତବରେ ଏଥିରେ କେତେ ପରିମାଣର କେମିକାଲ ବ୍ୟବହାର କରାଯିବ ସେନେଇ କୌଣସି ନିୟମ ନାହିଁ । ଏହାହିଁ ସାନିଟାରୀ ପ୍ୟାଡ୍ ପ୍ରସ୍ତୁତକାରୀ କମ୍ପାନୀଙ୍କୁ ସୁହାଇବା ଭଳି ହୋଇଛି । ସାନିଟାରୀ ପ୍ୟାଡ୍ ନିର୍ମାତାଙ୍କ ପାଇଁ ଭାରତ ଏକ ବଡ଼ ବଜାର ଭାବେ ବିବେଚିତ ହୋଇଆସୁଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *