ଅଭିଯୋଗର ସତ୍ୟତା ନାହିଁ ନେଇ ସ୍ପଷ୍ଟୀକରଣ
ଏଏସ୍ଓ ପରୀକ୍ଷା ଅନିୟମିତତା
କଟକ (ବୁ୍ୟରୋ): ଲୋକସେବା ଆୟୋଗ (ଓପିଏସ୍ସି)ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଡ ସେକ୍ସନ ଅଫିସର (ଏଏସ୍ଓ) ଲିଖିତ ପରୀକ୍ଷାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହେବା ପରେ ଏଥିରେ ସ୍ପଷ୍ଟୀକରଣ ରଖିଛନ୍ତି ଓପିଏସ୍ସିର ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି । ସେ କହିଛନ୍ତି, ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦବୀକୁ ନେଇ ଯେଉଁ ବିବାଦ ମୁଣ୍ଡ ଟେକିଛି, ତାହା ଆମୂଳକ । ଏଥିରେ କୌଣସି ସତ୍ୟତା ନାହିଁ ।
ଓପିଏସ୍ସି ଦ୍ୱାରା ପରିଚାଳିତ କରାଯାଉଥିବା ସମସ୍ତ ପରୀକ୍ଷା ସ୍ୱଚ୍ଛତାର ସହ ହୋଇଛି ଏବଂ ଚୟନ ପ୍ରକ୍ରିୟା ପାଇଁ ଧାର୍ଯ୍ୟ ହୋଇଥିବା ଗାଇଡ଼ ଲାଇନକୁ ଶତ ପ୍ରତିଶତ ପାଳନ କରାଯାଇଥିବା ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ଶ୍ରୀ ମହାନ୍ତି କହିଛନ୍ତି ।ଚଳିତ ପରୀକ୍ଷାରେ ସାଧାରଣ ବର୍ଗ ପାଇଁ ୪୦% ଓ ଏସ୍ଇବିସି/ଏସ୍ସି, ଏସ୍ଟିଙ୍କ ପାଇଁ ୩୦% ସର୍ବନିମ୍ନ ଯୋଗ୍ୟତା ମାର୍କ ଥିଲା । କୌଣସି ଏକ ବିଷୟରେ ସର୍ବନିମ୍ନ ମାର୍କ ରଖି ନ ଥିଲେ ପ୍ରାର୍ଥୀ ମନୋନୀତ ହୋଇ ନ ଥିବେ । ତେଣୁ ଫାଇନାଲ୍ ରେଜଲ୍ଟ ବାହାରିବା ପରେ ସେମାନେ ଅଭିଯୋଗ କରିପାରିବେ । ସେତେବେଳେ ଅଭିଯୋଗ ସତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏବେ ରେଜଲ୍ଟ ବାହାରିବା ପୂର୍ବରୁ ଅଭିଯୋଗ କରିବା ଉଚିତ୍ ନୁହେଁ । ଏହା କେବଳ ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି କରୁଛି । ଯଦି ଜଣେ ରିକ୍ସାବାଲା, ଚା’ବାଲାର ପୁଅ, ଝିଅ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରୁଛନ୍ତି ତେବେ ଏଥିରେ ଅନିୟମିତତାର ପ୍ରଶ୍ନ ଉଠୁନି । ତଥାପି ଏଏସ୍ଓ ନିଯୁକ୍ତି ନେଇ ହାଇକୋର୍ଟ ଯେଉଁ ନିଦେ୍ର୍ଦଶ ଦେଇଛନ୍ତି, ତାର ଅନୁପାଳନ କରାଯିବ ବୋଲି ଓପିଏସ୍ସି ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।
ଚଳିତ ବର୍ଷ ୨ ହଜାର ୧୧୫ ଟି ସରକାରୀ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ଚୟନ କରିବାର ପାଇଁ ଓପିଏସ୍ସିକୁ ଦାୟିତ୍ୱ ଦିଆଯାଇଥିଲା । ନଭେମ୍ବର ମାସ ସୁଦ୍ଧା ବିଭିନ୍ନ ପଦବୀ ପାଇଁ କୃତକାର୍ଯ୍ୟ ହୋଇଥିବା ୧୫ ଶହ ୪୫ ଜଣଙ୍କୁ ନିଯୁକ୍ତି ଦେବା ଲାଗି ରାଜ୍ୟ ସରକାରଙ୍କୁ ସୁପାରିଶ କରିଛି ଓପିଏସ୍ସି । ସେଥି ମଧ୍ୟରୁ ଓଡିÿଶା ସିଭିଲ ସର୍ଭିସ ପାଇଁ ୩୯୨ ଜଣଙ୍କ ନାଁ ସୁପାରିଶ ହୋଇଛି । ୪୪୮ ଆସିଷ୍ଟାଣ୍ଟ ପ୍ରଫେସରରେ ନିଯୁକ୍ତି ପାଇବାକୁ ଯାଉଛନ୍ତି, ୨୫୦ ଜଣ ଡାକ୍ତର । ୯୮ ଜଣ ପୋଷ୍ଟ ଗ୍ରାଜୁଏଟ ଟିଚର । ଏବଂ ୪୦ ଜଣ ଇଞ୍ଜିନିଅରଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୂୁକ୍ତି ଦେବା ଲାଗି ସୁପାରିଶ କରିଛି ଓପିଏସ୍ସି । ତେବେ ଖୁବଶୀଘ୍ର ବିଭିନ୍ନ ସରକାରୀ ପଦବୀ ପାଇଁ ଆଉ ୨୫୫୦ ଯୋଗ୍ୟ ପ୍ରାର୍ଥୀ ଚୟନ ହେବାକୁ ଯାଉଛନ୍ତି ।