ଶଶୁର ଘରେ ସ୍ତ୍ରୀକୁ କଇଁଚିରେ ଭୁସି ହତ୍ୟା
ବାରିପଦା (ଆପ୍ର): ସାମାନ୍ୟ ଘରୋଇ କଳହକୁ ନେଇ ସ୍ୱାମୀ ଘଟାଇଲା ନାରକୀୟ କାଣ୍ଡ । ଅତି ବିଭତ୍ସ ଭାବେ ସ୍ତ୍ରୀକୁ କଇଁଚିରେ ଭୁସି କରିଛି ହତ୍ୟା । ଏଭଳି ଅଭାବନୀୟ କାଣ୍ଡ ଖୁଣ୍ଟା ଥାନା ହିଞ୍ଜିଳଗଡିଆରେ ଘଟିଛି ।
ବିସିପୁର ଅଞ୍ଚଳର ମଧୁସୂଦନ ମୁର୍ମୁ ସ୍ତ୍ରୀ ସୁହାଗୀ ମୁର୍ମୁଙ୍କ ସହିତ ହିଞ୍ଜିଳଗଡିଆସ୍ଥିତ ଶ୍ୱଶୁର ଘରକୁ ଯାଇଥିଲେ । ସୋମବାର ରାତିରେ ଶ୍ୱଶୁର ଘରେ ହଠାତ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହା କ୍ରମେ ଉଗ୍ରରୂପ ନେଲା ଓ ଘରେଥିବା ଏକ କଇଁଚିରେ ସୁହାଗୀଙ୍କୁ ମଧୁ ଆକ୍ରମଣ କରିଥିଲା । କ୍ରୋଧରେ ଅନ୍ଧ ହୋଇ ସେ ସୁହାଗୀଙ୍କ ଛାତି, ପେଟ ଏବଂ ଶରୀରର ବିଭିନ୍ନ ସ୍ଥାନରେ କଇଁଚି ଭୁସି ଚାଲିଥିଲା । ପ୍ରବଳ ରକ୍ତସ୍ରାବ ସହିତ ସୁହାଗୀ ଅଚେତ ଅବସ୍ଥାରେ ପଡି ରହିଥିଲେ । ପରିବାର ଲୋକେ ଘଟଣା ବାବଦରେ ଜାଣିବା ପରେ ଚିକିତ୍ସା ନିମନ୍ତେ ସୁହାଗୀଙ୍କୁ ଡୁକୁରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ମଧୁସୂଦନକୁ ଗିରଫ କରିବା ସହିତ ଶବ ବ୍ୟବଚ୍ଛେଦ କରାଇ ତଦନ୍ତ ଚଳାଇଛି ।