ପ୍ରତି ୧୧ ମିନିଟ୍ରେ ମରୁଛନ୍ତି ଜଣେ ଶ୍ରଦ୍ଧା

ୟୁଏନ୍ ମହାସଚିବଙ୍କ ଉଦ୍ବେଗ
ଜେନିଭା (ଏଜେନ୍ସି): ‘ବିଶ୍ୱର କୋଣ ଅନୁକୋଣରେ ପ୍ରତି ୧୧ ମିନିଟ୍ରେ ଜଣେ ମହିଳା କିମ୍ବା ଯୁବତୀଙ୍କୁ ହତ୍ୟା କରାଯାଉଛି । ମହିଳା ତଥା ଯୁବତୀଙ୍କ ବିଶ୍ୱସ୍ତ ତଥା ଘନିଷ୍ଠ ସହଯୋଗୀ କିମ୍ବା ପରିବାର ସଦସ୍ୟ ହିଁ ଏସବୁ ପଛରେ ରହିଛନ୍ତି ।’ ଏଭଳି ଏକ ଆଶ୍ଚର୍ଯ୍ୟଚକିତ କରିବା ଭଳି ତଥ୍ୟକୁ ବିଶ୍ୱ ଆଗରେ ରଖିଛନ୍ତି ମିଳିତ ଜାତିସଂଘ ମୁଖ୍ୟ ତଥା ମହାସଚିବ ଆଣ୍ଟୋନିଓ ଗୁଟେରସ୍ । ମହିଳା ବିରୋଧୀ ହିଂସା ଦୁନିଆର ସବୁଠୁ ବ୍ୟାପକ ମାନବିକ ଅଧିକାରର ଉଲ୍ଲଂଘନ ବୋଲି ଗୁଟେରସ୍ କହିଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ଗୁଟେରସ୍ ବିଶ୍ୱର ସମସ୍ତ ଦେଶର ସରକାରଙ୍କୁ ଏଦିଗରେ ଜାତୀୟ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି ।
ଗୁଟେରସ୍ଙ୍କ ଏପ୍ରକାର ମନ୍ତବ୍ୟ ଏପରି ସମୟରେ ଆସିଛି ଯେତେବେଳେ ଭାରତରେ ଦିଲ୍ଲୀର ଶ୍ରଦ୍ଧା ୱାକର ଏବଂ ମଥୁରାର ଆୟୁଷୀ ଯାଦବଙ୍କ ହତ୍ୟାକାଣ୍ଡକୁ ନେଇ ତୀବ୍ର ଉତ୍ତେଜନାପୂର୍ଣ୍ଣ ବାତାବରଣ ଲାଗିରହିଛି । ଉଭୟ ଯୁବତୀଙ୍କୁ ସେମାନଙ୍କ ସମ୍ପର୍କୀୟ ହିଁ ହତ୍ୟା କରିଛନ୍ତି । ଅପରପକ୍ଷେ ନଭେମ୍ବର ୨୫ରେ ପାଳନ କରାଯାଉଥିବା ମହିଳା ବିରୋଧୀ ହିଂସାକୁ ଦୂର କରିବା’ ଜନିତ ଅନ୍ତର୍ଜାତୀୟ ଦିବସ ପୂର୍ବରୁ ଗୁଟେରସ୍ଙ୍କ ଏପ୍ରକାର ମନ୍ତବ୍ୟ ଆସିଛି । ଗୁଟେରସ୍ ଭାରତରେ ସଦ୍ୟ ସାମ୍ନାକୁ ଆସିଥିବା ମହିଳା ବିରୋଧୀ ହିଂସାକାଣ୍ଡ ସମ୍ପର୍କରେ ଉପରେ ମଧ୍ୟ ନିଜ ଉଦ୍ବେଗଭରା ପ୍ରତିକ୍ରିୟା ରଖିଛନ୍ତି ।
ଗୁଟେରସ୍ଙ୍କ କହିବାନୁସାରେ କୋଭିଡ-୧୯ ମହାମାରୀ ଠାରୁ ଆରମ୍ଭ କରି ଅର୍ଥନୈତିକ ଅସ୍ଥିରତା ମଧ୍ୟରେ ଆଜିର ମଣିଷ ଅତ୍ୟନ୍ତ ଚାପଗ୍ରସ୍ତ, ଭାରାକ୍ରାନ୍ତ ହୋଇପଡିଛି । ଯେଉଁ କାରଣରୁ ପ୍ରତ୍ୟେକ ପରିବାରରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି । ଏହାହିଁ ମହିଳା ବିରୋଧୀ ହିଂସାକାଣ୍ଡକୁ ପ୍ରୋତ୍ସାହିତ କରୁଛି । ଘୃଣା ଭାଷଣ ଠାରୁ ଆରମ୍ଭ କରି ଯୌନ ଉତ୍ପୀଡ଼ନ ପର୍ଯ୍ୟନ୍ତ ସବୁଥିରେ ଭାବମୂର୍ତ୍ତୀର ଅପବ୍ୟବହାର କରାଯାଉଥିବା ଦେଖିବାକୁ ମିଳୁଛି । ସେହିପରି ମହିଳା, ଯୁବତୀଙ୍କ ଠାରୁ ନାବାଳିକା ପର୍ଯ୍ୟନ୍ତ ଅନ୍ଲାଇନ୍ ହିଂସା, ତାଡନା, ମାନସିକ ନିର୍ଯାତନା ଭଳି ଘଟଣାର ମଧ୍ୟ ସମ୍ମୁଖୀନ ହେଉଛନ୍ତି । ଏହା ଅତ୍ୟନ୍ତ ଅମାନୁଷିକ, ବର୍ବୋରୋଚିତ ବୋଲି ଗୁଟେରସ୍ କହିଛନ୍ତି ।
ଗୁଟେରସ୍ କହିଛନ୍ତି, ସରକାର ଏପ୍ରକାର ବିପଦର ମୁକାବିଲା ପାଇଁ ଜାତୀୟ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ଉଚିତ୍ । ଏଥିପାଇଁ ଆବଶ୍ୟକସ୍ଥଳେ ଅର୍ଥପ୍ରଦାନ ଏବଂ ନିୟମକୁ କାର୍ଯ୍ୟକାରୀ କରିବା, ନିଷ୍ପତ୍ତି ଗ୍ରହଣର ପ୍ରତ୍ୟେକ ପର୍ଯ୍ୟାୟରେ ତୃଣମୂଳ ତଥା ନାଗରିକ ସମାଜ ଗୋଷ୍ଠୀଙ୍କୁ ସାମିଲ କରିବା ଏବଂ ଆଇନ୍ ପ୍ରଣୟନ ଏବଂ ସମ୍ମାନର ସୁନିଶ୍ଚିତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ଉଚିତ୍ । ଗୁଟେରସ୍ଙ୍କ ମତରେ ମହିଳାଙ୍କ ଉପରେ ହିଂସା ଘଟଣା କେବଳ ଇତିହାସ ହୋଇ ରହିବାର ସମୟ ଆସିଯାଇଛି । ମହିଳା ଏବଂ ଶିଶୁ କନ୍ୟାଙ୍କ ଉପରେ ହେଉଥିବା ଅତ୍ୟା·ରକୁ ରୋକିବା ଦିଗରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାର ସମୟ ଆସିଛି । ୨ଠ୨୬ ସୁଦ୍ଧା ମହିଳା ଅଧିକାର ସଂଗଠନ ତଥା ଆନେ୍ଦାଳନକୁ ୫ଠ% ବୃଦ୍ଧି କରିବା ସହ ସମସ୍ତେ ଏକଜୁଟ୍ ହୋଇ ମହିଳାଙ୍କ ଅଧିକାରକୁ ସମର୍ଥନ କରିବା ପୂର୍ବକ ସ୍ୱର ଉତ୍ତୋଳନ କରିବାକୁ ବିଶ୍ୱର ସମସ୍ତ ସରକାରଙ୍କୁ ଗୁଟେରସ୍ ଆହ୍ୱାନ କରିଛନ୍ତି । ସମସ୍ତେ ନିଜକୁ ସହର୍ଷ ‘ନାରୀବାଦୀ’ ଘୋଷଣା କରନ୍ତୁ ବୋଲି ଗୁଟେରସ୍ କହିଛନ୍ତି । ପ୍ରକାଶ, ଚଳିତ ବର୍ଷ ନଭେମ୍ବର ୨୫ରେ ପାଳିତ ହେବାକୁ ଯାଉଥିବା ମହିଳା ବିରୋଧୀ ହିଂସାକୁ ଦୂର କରିବା’ ଜନିତ ଅନ୍ତର୍ଜାତୀୟ ଦିବସର ଥିମ୍ ‘ଏକତା: ମହିଳା ଏବଂ ଝିଅଙ୍କ ବିରୋଧରେ ହିଂସାକୁ ଶେଷ କରିବାର ସକ୍ରିୟତା’ ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *