ବ୍ରାହ୍ମଣୀ ଅାଁରେ ୧୨ ଗାଁ

ତୁରନ୍ତ ପଦକ୍ଷେପ ନେବାକୁ ବାରଗାଁ ବଞ୍ଚାଅ ଅଭିଯାନର ଦାବି
ରାଜନଗର (ଆପ୍ର): ବାରଗାଁର ମା’ମାଟିଆ ମଙ୍ଗଳା ପୀଠ ତଥା ମା’ଙ୍କ ପଣତ ତଳେ ଥିବା ବାରଗାଁର ଅଧିବାସୀ ଏବେ ଭିଟାମାଟି ହରାଉଛନ୍ତି । ବାରଗାଁର ୧୨ଟି ଗାଁ ମଧ୍ୟରୁ ୪ଗାଁ ବ୍ରାହ୍ମଣୀ ନଦୀ ଆଁରେ ଲୀନ ହୋଇ ସାରିଲାଣି । ଅବଶିଷ୍ଟ ୮ଟି ଗାଁର ୩୦ରୁ ୫୦ ଭାଗ ଅଞ୍ଚଳ ନଦୀ ଗର୍ଭକୁ ଯାଇ ସାରିଲାଣି । ପ୍ରତିଦିନ କୌଣସି ନାଁ କୌଣସି ପରିବାର ଭିଟାମାଟି ହରାଉଛନ୍ତି । ନଦୀ ସେପଟେ ରାଜକନିକା ଅଞ୍ଚଳରେ ପଠା ସୃଷ୍ଟି ହେଉଥିବା ବେଳେ ରାଜନଗର ବ୍ଲକ୍ର ବାରଗାଁ ଅଞ୍ଚଳ ନଦୀ ଗର୍ଭରେ ଲୀନ ହେଉଛି ।
ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତର ଗୋପିନାଥପୁର, ଇଚ୍ଛାପୁର, ମାଟିଆ, ବେଢୁଆଁକୋହ୍ଲା, ଦକ୍ଷିଣଭେଡା, ଉଆସଢିଅ, ଯଦୁଚନ୍ଦ୍ରପୁର, ରାମଚନ୍ଦ୍ରପୁର, ଢୋଲମରା, ଝାଡକଟା, ଗଦାପାରି, ଲୋକନାଥପ୍ରସାଦ ପ୍ରଭୃତି ୧୨ ଗାଁକୁ ନେଇ ବାରଗାଁ ଗଠିତ ହୋଇଥିବା ବେଳେ ପ୍ରାୟ ଶହେ ବର୍ଷ ତଳୁ ବାରଗାଁ ଅଞ୍ଚଳକୁ ବ୍ରାହ୍ମଣୀ ଗର୍ଭସ୍ଥ କରିବା ଆରମ୍ଭ କରିଥିଲା । ଗୋପିନାଥପୁର, ଇଚ୍ଛାପୁର, ମାଟିଆ, ବେଢୁଆଁକୋହ୍ଲା ମୌଜା ଏବେ ବ୍ରାହ୍ମଣୀ ମୁହଁକୁ ସମ୍ପୂର୍ଣ୍ଣ ଚାଲିଯାଇଛି । ଯେତିକି ପରିବାର ଏବେ ଅଛନ୍ତି, ସେମାନଙ୍କ ଘର ବ୍ରାହ୍ମଣୀ ଆଁ ମୁହଁରେ । ଗତ ୫୦ ବର୍ଷ ମଧ୍ୟରେ ପ୍ରାୟ ହଜାରେ ଏକର ଚାଷଜମି ବ୍ରାହ୍ମଣୀ ଆଁରେ ଯାଇସାରିଛି । ଅବଶିଷ୍ଟ ଗାଁ ମଧ୍ୟରୁ ଭିଟାମାଟି ହରାଇଥିବା ଝାଡ଼କଟା, ଲୋକନାଥପ୍ରସାଦ, ଦକ୍ଷିଣଭେଡା, ପ୍ରଭୃତି ଗାଁର ୨୫୦ ପରିବାରକୁ ୧୯୮୮ ରୁ ୧୯୯୫ ମଧ୍ୟରେ ଭେଡିସାହି, କଲୋନୀ, ପାଳନ୍ଦାରେ ଥଇଥାନ କରାଯାଇଛି । ମାତ୍ର ୧୯୯୫ ପରଠୁ ଘରଢିଅ ଓ ଭିଟାମାଟି ହରାଇଥିବା ପରିବାରକୁ ଥଇଥାନ କରାଯାଇନାହିଁ ।
୨୦୦୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରଗାଁରେ ପହଞ୍ଚô ଦକ୍ଷିଣଭେଡ଼ାର ଯେଉଳା ମୁହଁରୁ ଲୋକନାଥପ୍ରସାଦ ପର୍ଯ୍ୟନ୍ତ ପଥର ପ୍ୟାକିଂ ଓ ସ୍ପର୍ ନିର୍ମାଣର ଶିଳାନ୍ୟାସ କରିଥିଲେ । ମାତ୍ର ଶିଳାନ୍ୟାସର ୧୬ ବର୍ଷ ପରେ ୨୦୧୭ରେ ଦକ୍ଷିଣଭେଡା ଠାରେ ୬ଶହ ମିଟର ଓ ୨୦୧୯ରେ ଲୋକନାଥପ୍ରସାଦ ନିକଟରେ ୫ଶହ ମିଟର ପଥରପ୍ୟାକିଂ କରାଯାଇଛି । ଦକ୍ଷିଣଭେଡା ଠାରୁ ଲୋକନାଥପ୍ରସାଦ ଯାଏଁ ୬୦ ପ୍ରତିଶତ ପଥର ପ୍ୟାକିଂ ହୋଇଥିବା ବେଳେ ଏବେ ସେଠାରୁ ପ୍ୟାକିଂ ଖସିବା ଆରମ୍ଭ ହୋଇଛି । ଏଣୁ ବାରଗାଁ ସୁରକ୍ଷା ପାଇଁ ସରକାର ଠୋସ ପଦକ୍ଷେପ ଗ୍ରହଣ କରିବାକୁ ବାରଗାଁ ବଞ୍ଚାଅ ଅଭିଯାନର ଆବାହକ ହେମନ୍ତ ମିଶ୍ର ଓ ଅଭିରାମ ରାଉଳଙ୍କ ସମେତ ଅନ୍ୟମାନେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *