ଥରିଲା ଜାଭା, ୧୬୨ ମୃତ

ଜାକର୍ତ୍ତା, ୨୧ା୧୧: ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ସୋମବାର ପୂର୍ବାହ୍ନ ୧୧.୫୧ ମିନିଟ୍ରେ ୫.୬ ତୀବ୍ରତା ଭୂକମ୍ପ ଆସି ବ୍ୟାପକ ଧନ-ଜୀବନହାନି ଘଟିଛି । ସୋମବାର ସନ୍ଧ୍ୟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ ଏଥିରେ ଅତିକମ୍ରେ ୧୬୨ ଜଣ ପ୍ରାଣ ହରାଇଥିବା ବେଳେ ପ୍ରାୟ ୭ଠଠ ଲୋକ ଆହତ ହୋଇଛନ୍ତି । ଗୋଟିଏ ହସ୍ପିଟାଲରେ ୨ଠ ଜଣଙ୍କ ମୃତୁ୍ୟ ରେକର୍ଡ କରାଯାଇଛି । ମୃତାହତଙ୍କ ସଂଖ୍ୟା ବଢ଼ିପାରେ । ଭୂକମ୍ପର କେନ୍ଦ୍ରବିନ୍ଦୁ ପଶ୍ଚିମ ଜାଭା ପ୍ରଦେଶର ସିଆଞ୍ଜୁର ବୋଲି ୟୁଏସ୍ ଜିଓଲଜିକାଲ ସର୍ଭେ ପକ୍ଷରୁ କୁହାଯାଇଛି ।
୩ ମିନିଟ୍ରୁ ଅଧିକ ଧରି ରାଜଧାନୀ ଜାକର୍ତ୍ତାର ନଭଶ୍ଚୁମ୍ବୀ ଅଟ୍ଟାଳିକାଗୁଡ଼ିକ ଥରିବା ଦେଖାଯାଇଥିଲା । ଗ୍ରେଟର୍ ଜାକର୍ତ୍ତା ଇଲାକାରେ ଭୂକମ୍ପର ଜୋରଦାର ଝଟ୍କା ଅନୁଭୂତ ହୋଇଥିଲା । କୋଠା ଭୁଶୁଡ଼ିବା ଆଶଙ୍କାରେ ଲୋକମାନେ ବାହାରକୁ ଚାଲି ଆସିଥିଲେ । ସରକାରୀ ସୂତ୍ର ଅନୁଯାୟୀ ପ୍ରାୟ ୧୨ଟି କୋଠା କ୍ଷତିଗ୍ରସ୍ତ ହୋଇଛି । ଭୂକମ୍ପ ପରବର୍ତ୍ତୀ ଝଟ୍କା (ଆଫ୍ଟର ସକ୍)
ଆଶଙ୍କାରେ କ୍ଷତିଗ୍ରସ୍ତ କୋଠାଗୁଡ଼ିକରୁ ଲୋକଙ୍କୁ ଖାଲି କରିଦିଆଯାଇଛି । ରାଜଧାନୀରେ ଆମ୍ବୁଲାନ୍ସରେ ସାଇରନ ଲଗାଇ ଲୋକଙ୍କୁ ସତର୍କ କରାଇ ଦିଆଯାଇଛି ।
୨୭ କୋଟି ଜନସଂଖ୍ୟାବିଶିଷ୍ଟ ବିଶାଳ ଦ୍ୱୀପପୁଞ୍ଜ ରାଷ୍ଟ୍ର ଇଣ୍ଡୋନେସିଆ ‘ରିଙ୍ଗ୍ ଅଫ୍ ଫାୟର୍’ ଉପରେ ଅବସ୍ଥିତ । ଏହି କାରଣରୁ ଦେଶରେ ଅନେକ ସମୟରେ ଭୂକମ୍ପ, ଆଗ୍ନେୟଗିରି ଉଦ୍ଗୀରଣ ଓ ସୁନାମି ହୋଇଥାଏ । ତେବେ ରାଜଧାନୀ ନଗରୀରେ ଏଥର ଯେଉଁ ଝଟ୍କା ଅନୁଭୂତ ହେଲା ତାହା ଥିଲା ଅସ୍ୱାଭାବିକ । ଫେବ୍ରୁଆରୀରେ ପଶ୍ଚିମ ସୁମାତ୍ରା ପ୍ରଦେଶରେ ୬.୨ ତୀବ୍ରତାର ଭୂକମ୍ପରେ ୨୫ ଜଣଙ୍କ ମୃତୁ୍ୟ ହୋଇଥିଲା । ୨୦୨୧ରେ ପଶ୍ଚିମ ସୁଲାବେଶୀ ପ୍ରଦେଶରେ ଅନୁରୂପ ଭୂକମ୍ପ ଘଟି ୧ଠଠରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ୬୫ଠଠ ଲୋକ ଆହତ ହୋଇଥିଲେ । ସବୁଠୁ ବଡ଼ ଭୂକମ୍ପ ଓ ସୁନାମି ହୋଇଥିଲା ୨ଠଠ୪ରେ । ସେଥିରେ ପ୍ରାଣ ହରାଇଥିବା ୨ ଲକ୍ଷ ୩ଠ ହଜାର ଲୋକଙ୍କ ମଧ୍ୟରୁ ଅଧିକାଂଶ ଥିଲେ ଇଣ୍ଡୋନେସୀୟ ନାଗରିକ ।
କିଛିଦିନ ହେଲା ଏସୀୟ ଦେଶଗୁଡ଼ିକରେ କ୍ରମାଗତ ଭୂକମ୍ପ ଘଟୁଛି । ଇଣ୍ଡୋନେସିଆ ପୂର୍ବରୁ ଜାପାନ, ଭାରତ, ନେପାଳ ଓ ଅନ୍ୟ କେକେତ ଦେଶରେ ଭୂମିକମ୍ପ ଘଟିଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *