ବନ୍ଦ ହେବ ଏସି-୩ ଇକୋନମି କ୍ଲାସ୍
ନୂଆଦିଲ୍ଲୀ, ୨୧ା୧୧: ଭାରତୀୟ ରେଳବାଇ ରେଳ ସେବାରେ ଏକ ବଡ଼ ବରିବର୍ତ୍ତନ କରିବାକୁ ଯାଉଛି । ଏସି-୩ ଇକୋନମି କ୍ଲାସ୍କୁ ପୂରାପୂରି ବନ୍ଦ କରିଦେବା ଲାଗି ନିଷ୍ପତ୍ତି ନିଆଯାଇଛି । ଏସି-୩ ଇ କୋଚ୍ଗୁଡ଼ିକୁ ଏସି-୩ରେ ମିଶାଇ ତା’ର ନାମ ରହିବ କେବଳ ‘ଏସି-୩’ । ତେବେ ଏହି ଶ୍ରେଣୀର ବଗିରେ ଯାତ୍ରା ପାଇଁ ଥିବା ଭଡ଼ା ଅପରିବର୍ତ୍ତିତ ରହିବ । ଗତବର୍ଷ ସେପ୍ଟେମ୍ବରରେ ରେଲ୍ୱେ ଏସି-୩ ଇକୋନମି କ୍ଲାସ୍ ଆରମ୍ଭ କରିଥିଲା । ମାତ୍ର ୧୪ ମାସ ପରେ ଏହି ସେବାକୁ ବନ୍ଦ କରି ଦିଆଯାଉଛି ।
ଏପର୍ଯ୍ୟନ୍ତ ଯାତ୍ରୀମାନେ ଏସି-୩ ଇକୋନମି ଟିକେଟ୍କୁ ସ୍ୱତନ୍ତ୍ର ‘୩ଇ’ ଭାବେ ବୁକ୍ କରିଆସୁଛନ୍ତି । ଅନେକଦିନ ହେଲା ବହୁ ଟ୍ରେନ୍ରେ ଏହି ‘୩ଇ’ ଶ୍ରେଣୀର ଟିକେଟ୍ ଉପଲବ୍ଧ ହେଉନାହିଁ ।
ରେଳବାଇ ପକ୍ଷରୁ କୁହାଯାଇଛି ଯେ ସବୁ ଟ୍ରେନରେ ‘୩ଇ’କୁ ଏସି -୩ ସହ ମିଶାଇଦେବା ପ୍ରକ୍ରିୟା ଆସନ୍ତା ୪ ମାସ ଭିତରେ ଶେଷ ହେ । ଏସି-୩ ଇକୋନମି କୋଚ୍ରେ ସାଧାରଣ ଏସି-୩ କୋଚ୍ ତୁଳନାରେ ଲେଗ୍ ସ୍ପେସ୍ କମ୍ ଥାଏ । ଏସି-୩ କୋଚ୍ରେ ୭୨ ବର୍ଥ ରହୁଥିବା ସ୍ଥଳେ ପ୍ରତ୍ୟେକ ଏସି-୩ ଇକୋନମି କୋଚ୍ରେ ରହୁଛି ଅଧିକ ୧୧ ବର୍ଥ । ଏବେ ୧୧,୨୭୭ ସାଧାରଣ ଏସି-୩ କୋଚ୍ ଥିବାସ୍ଥଳେ ଏସି-୩ ଇକନମି କୋଚ୍ ସଂଖ୍ୟା ୪୬୩ । ତେଣୁ ଦୁଇଟି ଶ୍ରେଣୀକୁ ମିଶାଇ ଦେଲେ ବିଶେଷ ଫରକ ପଡ଼ିବ ନାହିଁ ।