ବିଧାନସଭାରୁ ହଟିଲା କଟକଣା

ଭୁବନେଶ୍ୱର, ୨୧ା୧୧ (ବୁ୍ୟରୋ): ହଟିଛି କୋଭିଡ କଟକଣା । ସ୍ୱାଭାବିକ ଭାବେ ଚାଲିବ ବିଧାନସଭା ଶୀତ ଅଧିବେଶନ । ପ୍ରେସ ଗ୍ୟାଲେରୀକୁ ସାମ୍ବାଦିକଙ୍କୁ ମିଳିବ ଅନୁମତି । ବାଚସ୍ପତିଙ୍କୁ ମିଳିଛି ସ୍ୱତନ୍ତ୍ର କ୍ଷମତା । ସ୍ୱାସ୍ଥ୍ୟଗତ କାରଣରୁ ଯେଉଁ ସଦସ୍ୟ ଚାହିଁବେ ଭିସିରେ ସାମିଲ ହେବା ଲାଗି ବାଚସ୍ପତି ଦେଇପାରିବେ ଅନୁମତି । ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ । ବିଧାନସଭାର ଶୀତ ଅଧିବେଶନ ସୁପରିଚାଳନା ନେଇ ସୋମବାର ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା । ସ୍ୱାଭାବିକ ଭାବେ ବିଧାନସଭା ଚାଲିବା ନେଇ ବୈଠକରେ ଆଲୋଚନା ହୋଇଛି । ଦେଶରେ କୋଭିଡ ନିୟନ୍ତ୍ରଣ ହୋଇଥିବାରୁ ବିଧାନସଭାରୁ କୋଭିଡ କଟକଣାକୁ ହଟାଇ ଦିଆଯାଇଛି । ପୂର୍ବପରି ସ୍ୱାଭାବିକ ଭାବେ ବିଧାନସଭା ଚାଲିବା ନେଇ ନିଷ୍ପତ୍ତି ହୋଇଛି । ବିଧାୟକ ମାନେ ନିଜ ନିଜ ଆସନରେ ବସିବେ । ପ୍ରେସ ଗ୍ୟାଲେରୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁମତି ମିଳିବ । ବାଚସ୍ପତି କହିଛନ୍ତି, କୌଣସି ବିଧାୟକଙ୍କର ସ୍ୱାସ୍ଥ୍ୟଗତ କାରଣ ଥିଲେ ଲିଖିତ ଭାବେ ଜଣାଇଲେ ସେମାନଙ୍କୁ ଭିସି ମାଧ୍ୟମରେ ବିଧାନସଭାରେ ଯୋଗ ଦେବା ଲାଗି ଅନୁମତି ଦିଆଯିବ । ୨ ସେସନରେ ବିଧାନସଭା ଚାଲିବ । ସକାଳ ସାଢେ ୧୦ରୁ ଅପରାହ୍ନ ୧.୩୦ ଏବଂ ଅପରାହ୍ନ ୪ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ବିଧାନସଭା ଚାଲିବ । ଆସନ୍ତା ୨୪ରୁ ବିଧାନସଭାର ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବ । ଷୋଡଶ ବିଧାନସଭାର ୧୧ ତମ ଅଧିବେଶନରେ ମୋଟ ୩୩ କାର୍ଯ୍ୟଦିବସ ରହିଛି । ନଭେମ୍ବର ୨୪ରେ ଅର୍ଥମନ୍ତ୍ରୀ ୨୦୨୨/୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଆଗତ କରିବେ । ଏହାପରେ ନଭେମ୍ବର ୩୦ରେ ବିଧାନସଭାରେ ଖର୍ଚ୍ଚ ଦାବି ଆଲୋଚନା ହେବ ।
ଏଥିସହ ଡିସେମ୍ବର ୨ରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବ । ଏହି ମଧ୍ୟରେ ବିଧାନସଭାରେ ଲାଗୁ ହୋଇଥିବା ଭିସି ବ୍ୟବସ୍ଥା ପାଇଁ ବିରୋଧୀ ଦଳ ସଦସ୍ୟ ପ୍ରଶ୍ନ କରିଛନ୍ତି । ବାଚସ୍ପତି ମୁଖ୍ୟମନ୍ତ୍ରୀଙ୍କୁ ସୁହେଇବା ପରି ଭିସି ବ୍ୟବସ୍ଥା କରିଥିବା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ କେହି ବି ଭିସିରେ ରହିଲେ ସମସ୍ୟା ନାହିଁ । ମୁଖ୍ୟମନ୍ତ୍ରୀ ଗୃହକୁ ଆସି ଗୃହ କାର୍ଯ୍ୟରେ ସାମିଲ ହେଲେ ସୁନ୍ଦର ଦିଶିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି । ବୈଠକରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *