ଲୋକନାଥ ଓ ଅଲାରନାଥ ପୀଠର କାୟାକଳ୍ପ
ଭୁବନେଶ୍ୱର/ପୁରୀ, ୨୧ା୧୧ (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପୁରୀର ଶ୍ରୀ ଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠର ଉନ୍ନତି ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି । ଶ୍ରୀଲୋକନାଥ ମନ୍ଦିରର ବିକାଶ ପାଇଁ ୨୮ କୋଟି ଟଙ୍କା ଅଟକଳ ରଖାଯାଇଥିବା ବେଳେ, ଅଲାରନାଥଙ୍କ ପାଇଁ ୮ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି । ଉଭୟ ମନ୍ଦିରର ପୁନଃ-ଉନ୍ନୟନ କାର୍ଯ୍ୟ ୧ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ ।
ଶ୍ରୀ ଲୋକନାଥ ମନ୍ଦିର ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଶୈବପୀଠ । ପୁରାଣ ଅନୁଯାୟୀ, ପ୍ରଭୁ ଶ୍ରୀରାମଚନ୍ଦ୍ର ମାତା ସୀତାଙ୍କ ଅନ୍ୱେଷଣରେ ଆସି ଏଠାରେ ପ୍ରଭୁ ଲୋକନାଥ ସ୍ଥାପନା କରି ପୂଜାର୍ଚ୍ଚନା କରିଥିଲେ । ଶ୍ରୀ ଲୋକନାଥଙ୍କୁ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ରକ୍ଷକ ବୋଲି ବିଶ୍ୱାସ ରହିଛି । ଶ୍ରୀ ଲୋକନାଥ ମନ୍ଦିରର ମାଷ୍ଟରପ୍ଲାନ ଅନୁଯାୟୀ ମନ୍ଦିରର ଭିତର ବେଢା, ବାହାର ବେଢାର ଉନ୍ନତିକରଣ ହେବା ସହ ସେବାୟତ ଓ ଭକ୍ତଙ୍କ ପାଇଁ ବିଭିନ୍ନ ସୁବିଧାର ବ୍ୟବସ୍ଥା କରାଯିବ । ଏହାବ୍ୟତୀତ ପାର୍କିଂ, ଆଧୁନିକ ଧାଡି ପରିଚଳନା ବ୍ୟବସ୍ଥା, ଆପ୍ରୋଚ ରୋଡର ଉନ୍ନତିକରଣ ଏବଂ ପଶ୍ଚିମ ଦ୍ୱାରରେ ସେବାୟତଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯିବ ।
ଭିତର ବେଢାରେ ପୁରୁଣା ମାର୍ବଲ ପଥର ସବୁ କଢାଯାଇ ଖଣ୍ଡାଲାଇଟ୍ସ ପଥର ଲଗାଯିବ । ମନ୍ଦିର ବଗିଚାର ଉନ୍ନତିକରଣ କରାଯାଇ ଲ୍ୟାଣ୍ଡ ସ୍ଲେପିଂ କରାଯିବ । ଏହାଛଡା ମନ୍ଦିର ପାଚେରୀର ମରାମତି ସହ ଆଲୋକୀକରଣ ବ୍ୟବସ୍ଥା କରାଯିବ । ବାହାର ବେଢାକୁ ସମ୍ପ୍ରସାରିତ କରାଯିବା ସହ ଭାଙ୍ଗିଯାଇଥିବା ସ୍ଥାନ ଗୁଡିକର ମରାମତି, ନୂତନ ରାସ୍ତା, ଲ୍ୟାଣ୍ଡ ସ୍କେପିଂ, ଆଲୋକୀକରଣ, ବସାଉଠା କରିବା ପାଇଁ ସ୍ଥାନ ଓ ଦୁଇଟି ମୁଣ୍ଡନ ମଣ୍ଡପର ବିକାଶ କରାଯିବ । ଡ୍ରେନେଜ ଏକ ମୁଖ୍ୟ ସମସ୍ୟା ହୋଇଥିବାରୁ, ମନ୍ଦିର ଭିତର ଓ ବାହାର, ଉଭୟ ପାର୍ଶ୍ୱରେ ଡ୍ରେନେଜ ବ୍ୟବସ୍ଥାକୁ ସୁଦୃଢ କରାଯିବ ।
ମନ୍ଦିରର ପୁଷ୍କରଣୀ ପାର୍ବତୀସାଗରର ମଧ୍ୟ ଉନ୍ନତିକରଣ କରାଯିବ । ଏହାର ଚାରିପଟେ ୨୬୭ ମିଟରର ସୁ-ଉନ୍ନତ ପାଚେରୀ, ପୁଷ୍କରଣୀର ବିଶୋଧନ, ପାହାଚ, ଲ୍ୟାଣ୍ଡ ସ୍କେପିଂ, ଆଲୋକୀକରଣ ଓ
ବସାଉଠା ପାଇଁ ସ୍ଥାନ ରହିବ । ପାର୍କିଂ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ । ମନ୍ଦିରକୁ ଯାଇଥିବା ୪୦୦ ମିଟର ଆପ୍ରୋଚ ରୋଡର ଉନ୍ନତିକରଣ କରାଯିବା ସହ ୪ ରାସ୍ତାର ବିକାଶ କରାଯିବ । ମନ୍ଦିରକୁ ସଂଯୋଗ ହୋଇଥିବା ୪ ପ୍ରମୁଖ ରାସ୍ତାର ଉନ୍ନତିକରଣ ମଧ୍ୟ କରାଯିବ ।
ସେହିପରି ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥ ମନ୍ଦିରର ମଧ୍ୟ ବିକାଶ କରାଯିବ । ପୁରୀଠାରୁ ୨୪ କି.ମି ଓ ସାତପଡାଠାରୁ ୨୫ କି.ମି ଦୂରରେ ଥିବା ଏହି ପୀଠ ପଞ୍ଚଦଶ ଓ ଷୋଡଶ ଶତାଦ୍ଦୀର ନିର୍ମିତ ହୋଇଥିବା ବିଶ୍ୱାସ କରାଯାଏ । ଶ୍ରୀ ଅଲାରନାଥଙ୍କୁ ଶ୍ରୀ ଜଗନ୍ନାଥଙ୍କର ପ୍ରତିରୂପ ବୋଲି ବିଶ୍ୱାସ ରହିଛି । ଶ୍ରୀ ଜଗନ୍ନାଥଙ୍କ ଅଣସର ସମୟରେ ଅଲାରନାଥ ଦର୍ଶନ ପାଇଁ ଭକ୍ତମାନେ ଯାଇଥାନ୍ତି । ମାଷ୍ଟରପ୍ଲାନ ଅନୁଯାୟୀ ଏହାର ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ, ସ୍ଥାନୀୟ ଭିତର ରାସ୍ତା, ଅରୁଣ ସ୍ତମ୍ଭ, ଚନ୍ଦନ ପୋଖରୀ ଆଦିର ବିକାଶ ଓ ସୌନ୍ଦର୍ଯ୍ୟକରଣ ସହ ପୁରା ଅଞ୍ଚଳକୁ ବିକଶିତ କରାଯାଇ ଏକ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରାଯିବ ।
ଏହାର ପ୍ରବେଶ ଦ୍ୱାରକୁ ପ୍ରଶସ୍ତ କରାଯାଇ ୪୦ ଫୁଟ ଚଉଡା ଓ ୧୮ ଫୁଟ ଉଚ୍ଚ କରାଯିବ । ଏଥିରେ ଖଣ୍ଡାଲାଇଟସ ପଥର ଲଗାଯିବ । ମନ୍ଦିରକୁ ଯାଇଥିବା ରାସ୍ତାକୁ ୪୦ ଫୁଟ ଚଉଡା କରାଯାଇ ଏଥିରେ ପେଭର ବ୍ଲକ ଲଗାଯିବ ଏବଂ ଦୁଇପଟେ ଡ୍ରେନର ବ୍ୟବସ୍ଥା ରହିବ । ଏହାସହ ୨ ଚକିଆ ଓ ୪ ଚକିଆ ଗାଡି ପାଇଁ ପାର୍କିଂ ବ୍ୟବସ୍ଥା କରାଯିବ । ମନ୍ଦିର ସମ୍ମୁଖ ସ୍ଥାନକୁ ଏକ ସୁନ୍ଦର ପ୍ଲାଜାରେ ପରିଣତ କରାଯାଇ ସେଥିରେ ଖଣ୍ଡାଲାଇଟ୍ସ ଓ ପେଭର ବ୍ଲକ ଲଗାଯିବା ସହ ଡ୍ରେନର ବ୍ୟବସ୍ଥା ମଧ୍ୟ କରାଯିବ । ମନ୍ଦିରର ସବୁ ସ୍ଥାନରୁ ମାର୍ବଲ କଢାଯାଇ ଖଣ୍ଡାଲାଇଟ୍ସ ଲଗାଯିବ । ପୁରୁଣା କବାଟ ବଦଳରେ ନୂଆ କାଠ କବାଟ ଲଗାଯିବ । ଚନ୍ଦନ ପୋଖରୀ ଓ ତୁଳସୀ ବନର ସୌନ୍ଦର୍ଯ୍ୟକରଣ କରାଯାଇ ଲ୍ୟାଣ୍ଡ ସ୍କେପିଂ କରାଯିବ । ଡ୍ରେନ ବ୍ୟବସ୍ଥାକୁ ସୁଦୃଢ କରାଯିବ । ଏହି ପୀଠର ବିକାଶ ପାଇଁ ୮ କୋଟି ଟଙ୍କା ଖର୍ଚ୍ଚ ହେବ ଓ କାମ ସମ୍ପୂର୍ଣ୍ଣ ହେବା ପାଇଁ ୧ ବର୍ଷ ସମୟ ଲାଗିବ ।
ଏହି ଭିଡିଓ କନଫେରେନ୍ସିରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି କେ ପାଣ୍ଡିଆନ୍, ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ, ଲୋକନାଥ ମନ୍ଦିରର ବରିଷ୍ଠ ସେବାୟତ ତଥା ସଭାପତି ରବିନାରାୟଣ ପଣ୍ଡା, ସମ୍ପାଦକ ସନ୍ତୋଷ କୁମାର ପଣ୍ଡା, ଦାମୋଦର ମହାପାତ୍ର, ଶଙ୍କର ପଣ୍ଡା, ବୈଦ୍ୟନାଥ ମହାପାତ୍ର, ପଦ୍ମନାଭ ପଣ୍ଡା ଓ ଅଲାରନାଥ ଉନ୍ନୟନ କମିଟି ସଭାପତି କୃଷ୍ଣଚନ୍ଦ୍ର ମାଝୀ, ସମ୍ପାଦକ ସୁରେନ୍ଦ୍ରନାଥ ସୁଆର, ଉପ-ସଭାପତି ମଧୁସୂଦନ ପୂଜାପଣ୍ଡା ଓ ଅନ୍ୟାନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ନିକଟରେ ଉଭୟ ଲୋକନାଥ ମନ୍ଦିର ଓ ଅଲାରନାଥ ମନ୍ଦିର ଗସ୍ତ କରି ଏହାର ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଉଭୟ ମନ୍ଦିରର ପୂଜକମାନେ ପୁରୀ ଜିଲ୍ଲାପାଳଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ମନ୍ଦିରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ମନ୍ଦିର ଗସ୍ତ କରି ଠାକୁରଙ୍କୁ ଦର୍ଶନ କରିବା ପାଇଁ ନିମନ୍ତ୍ରଣ କରିଥିଲେ । ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଉଭୟ ମନ୍ଦିର ଦର୍ଶନ କରିବେ ବୋଲି କହିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ । ଉଭୟ ମନ୍ଦିର ଗସ୍ତ ସମୟରେ ସେବାୟତଙ୍କ ସହ ହୋଇଥିବା ତାଙ୍କ ଆଲୋଚନା ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ସମ୍ପର୍କରେ ବୈଠକରେ ସୂଚନା ଦେଇଥିଲେ । ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପି.କେ ଜେନା ଓ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆୟୋଜିତ ଏକ ବୈଠକରେ ପୂର୍ତ୍ତ ବିଭାଗ ସଚିବ ଭି.ଭି.କେ ଯାଦବ ଏଥିପାଇଁ ଉପସ୍ଥାପନା ରଖିଥିଲେ । ଓଡିଶା ବ୍ରିଜ କନ୍ଷ୍ଟ୍ରକସନ କର୍ପୋରେସନ ଦ୍ୱାରା ଉଭୟ ମନ୍ଦିରର ଉନ୍ନତିକରଣ କାର୍ଯ୍ୟର କାର୍ଯ୍ୟାନ୍ୱୟନ କରାଯିବ ।