ଇରାନ୍କୁ ୬-୨ରେ ହରାଇଲା ଇଂଲଣ୍ଡ

ଦୋହା, ୨୧ା୧୧ (ଏଜେନ୍ସି): ଫିଫା ବିଶ୍ୱକପ୍-୨୦୨୨ରେ ଇଂଲଣ୍ଡ ତା’ର ଧମାକଦାର ଅଭିଯାନ ଆରମ୍ଭ କରିଛି । ବିଶ୍ୱକପ୍ର ଦ୍ୱିତୀୟ ଦିନ (ସୋମବାର) ଦୋହାସ୍ଥିତ ଖଲିଫା ଇଣ୍ଟରନ୍ୟାସ୍ନାଲ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ଗ୍ରୁପ୍-ବି ମ୍ୟାଚ୍ରେ ଇଂଲଣ୍ଡ ଇରାନକୁ ୬-୨ ଗୋଲ୍ରେ ପରାସ୍ତ କରିଛି । ହାରି କେନ୍ଙ୍କ ଅଧିନାୟକତ୍ୱରେ ଇଂଲଣ୍ଡର ଏହି ବିପୁଳ ବିଜୟରେ ବୁକାୟୋ ସାକାଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ । ଏକାକୀ ସେ ଦୁଇଟି ଗୋଲ୍ ଦେଇଥିଲେ । ସମଗ୍ର ମ୍ୟାଚ୍ରେ ଇଂଲଣ୍ଡ ଆକ୍ରାମକ୍ ଖେଳ ପ୍ରଦର୍ଶନ କରିଥିଲା । ଯାହାର ଜବାବ୍ ଦେଇପାରି ନ ଥିଲେ ଇରାନୀ ଦଳ ।
ଇରାନ ବିପକ୍ଷରେ ପ୍ରଥମ ଗୋଲ୍ ସ୍କୋର୍ କରିଥିଲେ ଜୁ୍ୟଡ୍ ୱେଲିଂଘମ୍ । ମ୍ୟାଚ୍ର ୩୫ତମ ମିନିଟ୍ରେ ସେ ଲୁ୍ୟକ୍ ଶ’ଙ୍କ ଚମକ୍ରାର କ୍ରସ୍କୁ ହେଡର ଜରିଆରେ ଗୋଲ୍ରେ ପରିଣତ କରିଥିଲେ । ତାସହିତ ଇଂଲିଶ୍ ଟିମ୍ର ଆତ୍ମବିଶ୍ୱାସ ବେସ୍ ବଢିଯାଇଥିଲା ଏବଂ ସେମାନେ ଆକ୍ରାମକ ପ୍ରଦର୍ଶନ ଜାରି ରଖିଥିଲେ । ଫଳତଃ ପ୍ରଥମ ଗୋଲ୍ର ମାତ୍ର ୮ ମିନିଟ୍ ପରେ ବୁକାୟୋ ସାକା ଆଉ ଗୋଟିଏ ଗୋଲ୍ ଦେଇଥିଲେ । ଏଥିରେ ଡିଫେଣ୍ଡର ହାରି ମେଗୁଇରେଙ୍କ ଚମକ୍ରାର ପାସ୍ ଥିଲା ଗୁରୁତ୍ୱପୂର୍ଣ୍ଣ ।
ମ୍ୟାଚ୍ରେ ଇରାନୀ ଗୋଲ୍କିପର ଅଲିର୍ଜା ଆହତ ହୋଇଯିବାରୁ ବେଶ୍ କିଛି ସମୟ ବର୍ବାଦ୍ ହୋଇଥିଲା । ପ୍ରଥମାର୍ଦ୍ଧର ୪୫ ମିନିଟ୍ ସମାପ୍ତି ପରେ ୧୪ ମିନିଟ୍ ଇନ୍ଜରୀ ଟାଇମ୍ ଦିଆଯାଇଥିଲା । ସେହି ସମୟ ଭିତରେ ମଧ୍ୟ ଇଂଲଣ୍ଡ ଦଳ ଗୋଲ୍ କରିବାରେ ସକ୍ଷମ ହୋଇଥିଲେ । ଏଥର ଇଂଲଣ୍ଡ ପାଇଁ ଗୋଲ୍ ସ୍କୋର୍ କରିଥିଲେ ରହିମ୍ ଷ୍ଟର୍ଲିଂ । ସେ କ୍ୟାପ୍ଟେନ୍ କେନ୍ଙ୍କଠାରୁ ପାଶ୍ ପାଇ ୪୫+୧ତମ ମିନିଟ୍ରେ ଏହି ଗୋଲ୍ ଦେଇଥିଲେ । ଫଳତଃ ପ୍ରଥମାର୍ଦ୍ଧ ସୁଦ୍ଧା ଇଂଲିଶ୍ ଟିମ୍ ୩-୦ରେ ଅଗ୍ରଣୀ ଥିଲା ।
ଦ୍ୱିତୀୟାର୍ଦ୍ଧାରେ ମଧ୍ୟ ଇଂଲଣ୍ଡର କ୍ରିଡା ପ୍ରଦର୍ଶନ ବେଶ୍ ଆକ୍ରାମକ ରହିଥିଲା । ସେମାନେ ଇରାନୀ ଗୋଲ୍ପୋଷ୍ଟ୍ ଉପରେ ଚାପ ବଜାୟ ରଖିବାରେ ସକ୍ଷମ ହୋଇଥିଲେ । ୬୨ତମ ମିନିଟ୍ରେ ବୁକାୟୋ ସାକା ଗୋଲ୍ ଦେଇ ଇରାନ ବିରୋଧରେ ନିଜ ଦଳକୁ ୪-୦ ଲିଡ୍ରେ ରଖିଥିଲେ । ଏହାର ୩ ମିନିଟ୍ ପରେ ଅର୍ଥାତ୍ ୭୧ତମ ମିନିଟ୍ରେ ଇରାନ ପକ୍ଷରୁ ମେହଦି ଟରେମୀ ଦେଇଥିଲେ ପ୍ରଥମ ଗୋଲ୍ ଯଦ୍ଦ୍ୱାରା ସ୍କୋର୍ ୪-୧ ହୋଇଥିଲା । କିନ୍ତୁ ଇରାନୀ ଦଳର ଖୁସି ବେଶି ସମୟ ତିଷ୍ଠି ପାରି ନଥିଲା । ସବ୍ଷ୍ଟିଚୁ୍ୟଟ୍ ପ୍ଲେୟର ମାର୍କସ୍ ରେସ୍ଫୋର୍ଡ କ୍ୟାପ୍ଟେନ୍ କେନ୍ଙ୍କ ପାସ୍ ବଳରେ ୫ମ ଗୋଲ୍ ଦେଇଥିଲେ । ମ୍ୟାଚ୍ ୮୯ତମ ମିନିଟ୍ରେ ଇଂଲିଶ୍ ଟିମ୍ର କେଲମ୍ ୱିଲ୍ସନ୍ ଆଉ ଏକ ଗୋଲ୍ ସ୍କୋର୍ କରିବାରେ ସଫଳ ହେଲେ । ରେଫରୀ ୯୦ ମିନିଟ୍ର ମ୍ୟାଚ୍ ସମାପ୍ତି ପରେ ଆଉ ୧୦ ମିନିଟ୍ ଇନ୍ଜରୀ ଟାଇମ୍ ଯୋଡିବାରୁ ଇରାନୀ ପାଇଁ ମେହଦି ଟରେମୀ ପେନାଲ୍ଟି ଜରିଆରେ ଗୋଲ୍ କରିବାରେ ସଫଳ ହେଲେ । ଏହିପରି ଇଂଲଣ୍ଡ ୬-୨ରେ ମ୍ୟାଚ୍ ଜିତିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *