ମଇଦାନରେ ୧ଠ ପ୍ରାର୍ଥୀ
ଭୁବନେଶ୍ୱର, ୨୧ା୧୧ (ବୁ୍ୟରୋ): ପଦ୍ମପୁର ଉପନିର୍ବାଚନରେ ଭୋଟର ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ । ଆରମ୍ଭରୁ ୧୩ ଜଣ ନମାଙ୍କନ ଭରିଥିବାବେଳେ ଯାଞ୍ଚରେ ୨ ଜଣଙ୍କର ପ୍ରାର୍ଥୀତ୍ୱ ନାକଚ ହୋଇଥିଲା । ସୋମବାର ଜଣେ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି । ନିର୍ବାଚନ ମଣ୍ଡଳୀରେ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇସାରିଥିବାବେଳେ ନିର୍ବାଚନ ପାଇଁ ସମସ୍ତ ବ୍ୟବସ୍ଥା ହୋଇସାରିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ।
ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶୀଲ କୁମାର ଲୋହାନି କହିଛନ୍ତି, ପଦ୍ମପୁର ଉପନିର୍ବାଚନରେ ମତଦାନ ପାଇଁ ୨, ୫୭, ୪୭୪ ଜଣ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରେ ୧, ୨୯, ୪୯୭ ପୁରୁଷ ଭୋଟର ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧, ୨୭, ୯୬୫ । ୧୨ ଜଣ କିନ୍ନର ଭୋଟର ରହିଛନ୍ତି । ସେହିଭଳି ଏହି ନିର୍ବାଚନମଣ୍ଡଳୀରେ
୧୯୯ ସର୍ଭିସ ଭୋଟର ଅଛନ୍ତି । ବରିଷ୍ଠ ଓ ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ୟା ୬୯୫୧ । ୮୦ ବର୍ଷରୁ ଊର୍ଦ୍ଧ୍ୱ ଭୋଟର ସଂଖ୍ୟା ୪୩୯୩ ଓ ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ୟା ୨୫୫୮ ।
ଧାମନଗର ଭଳି ପଦ୍ମପୁରରେ ମଧ୍ୟ ବରିଷ୍ଠ ଓ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୋଷ୍ଟାଲ ବାଲାଟ ପାଇଁ ଯେଉଁମାନେ ଚାହିଁବେ ଫର୍ମ ଜରିଆରେ ଆବେଦନ କରିବେ । ବର୍ତ୍ତମାନ ସୁଦ୍ଧା ପୋଷ୍ଟାଲ ବାଲାଟ ପାଇଁ ୨୮୪ ଜଣ ଆବେଦନ କରିଛନ୍ତି । ପୋଷ୍ଟାଲ ବାଲଟ ସଂଗ୍ରହ ପାଇଁ ୧୧ ପୋଲିଂ ପାର୍ଟି ଗଠନ ହୋଇଛି । ପ୍ରତ୍ୟେକ ପାର୍ଟିରେ ୨ ଜଣ ଲେଖାଏଁ ପୋଲିଂ ଅଫିସର, ଜଣେ ମାଇକ୍ରୋ ଅବର୍ଜରଭର୍ ଓ ଜଣେ ଲେଖାଏଁ ସୁରକ୍ଷାକର୍ମୀ ରହିବେ ।
ବିଧାନସଭା କ୍ଷେତ୍ରରେ ୨୭୯ ସ୍ଥାନରେ ୩୧୯ ବୁଥ୍ ରହିଛି । ୩୦୬ ବୁଥ୍ର ନାଁ ପରିବର୍ତ୍ତନ ହୋଇଛି କିନ୍ତୁ ସ୍ଥାନ ସମାନ ରହିଛି । ଚଳିତ ଉପନିର୍ବାଚନରେ ମତଦାନର ସମୟସୀମାକୁ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି । ପୋଲିଂ ଅଧିକାରୀଙ୍କ ପ୍ରଥମ ରାଉଣ୍ଡ ପ୍ରଶିକ୍ଷଣ ଶେଷ ହୋଇଛି । ନଭେମ୍ବର ୫ରୁ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୩୬ ସ୍ୱୀକୃତିପ୍ରାପ୍ତ ମାରଣାସ୍ତ୍ର ଡିପୋଜିଟ ହୋଇଛି ।
ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ୧୦୪ ଜାମିନ ବିହୀନ ୱାରେଣ୍ଟିଙ୍କୁ ଗିରଫ କରାଯାଇଛି । ସେହିପରି ୫୭୯ଙ୍କୁ ଗିରଫ କରାଯାଇଛି । ନିଶାଦ୍ରବ୍ୟ କାରବାରଜନିତ ୧୧୪ ମାମଲା ରୁଜୁ ହୋଇଥିବାବେଳେ ୭୪ ଜଣଙ୍କୁ ଗିରଫ କରାଯାଇଛି । ଏହି ଉପନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନ ମାନଭେନ୍ଦ୍ର ପ୍ରତାପ ସିଂହଙ୍କୁ ସାଧାରଣ ପର୍ଯ୍ୟବେକ୍ଷକ, ରାମପ୍ରସାଦ ଗୁପ୍ତାଙ୍କୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଓ ହେମନ୍ତ ଚୌହାନଙ୍କୁ ପୁଲିସ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି ଏବଂ ସେମାନଙ୍କ ଯୋଗାଯୋଗ ନମ୍ବର ଜାରି କରାଯାଇଛି । ନିର୍ବାଚନ ସମ୍ପର୍କିତ କୌଣସି ଅଭିଯୋଗ ସିଧାସଳଖ ସେମାନଙ୍କୁ କରାଯାଇପାରିବ ।
ସୋମବାର ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଥିଲା । ଡିସେମ୍ବର ୫ତାରିଖରେ ମତଦାନ ଏବଂ ଡିସେମ୍ବର ୮ ତାରିଖରେ ଭୋଟ ଗଣତି ପାଇଁ ସମୟ ଧାର୍ଯ୍ୟ ହୋଇଛି । ଜଣେ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚର ସର୍ବାଧିକ ସୀମା ୪୦ ଲକ୍ଷ ଟଙ୍କା ରହିଛି । ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ନିର୍ବାଚନୀ ଖର୍ଚ୍ଚ ବାବଦରେ ସ୍ୱତନ୍ତ୍ର ହିସାବ ଖାତା ରଖିବେ । ନିର୍ବାଚନ ସମୟରେ କେତେ ଅର୍ଥ ବ୍ୟୟ କଲେ ତାହାର ହିସାବ ଫଳ ପ୍ରକାଶର ୩୦ ଦିନ ମଧ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିବେ । ଆଇନ୍ ଶୃଙ୍ଖଳା ରକ୍ଷା ପାଇଁ ୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ମୁତୟନ ହୋଇଛନ୍ତି । ଏଥିସହ ଆବଶ୍ୟକ ସଂଖ୍ୟକ ରାଜ୍ୟ ପୁଲିସ୍ ଫୋର୍ସ ମଧ୍ୟ ନିୟୋଜିତ ହୋଇଛନ୍ତି । ରାଜ୍ୟ ସରକାର ମତଦାନ ଦିବସକୁ ଭୋଟରଙ୍କ ପାଇଁ ଛୁଟି ଏବଂ ଉଭୟ ମତଦାନ ଓ ମତଗଣନା ଦିବସକୁ “ଡ୍ରାଏ ଡେ’ ଭାବେ ଘୋଷଣା କରିଛନ୍ତି ।