ନିର୍ଣ୍ଣାୟକ ହେବ ଆଦିବାସୀ ଭୋଟ

ସଂକୀର୍ତ୍ତନ, ପାରମ୍ପରିକ ବାଦ୍ୟରେ କମ୍ପୁଛି ପଦ୍ମପୁର
ଭୁବନେଶ୍ୱର/ବରଗଡ଼, ୨ଠା୧୧ (ବୁ୍ୟରୋ): ପଦ୍ମପୁର ଉପନିର୍ବାଚନରେ ଫୋକସ୍ରେ ଆଦିବାସୀ । ନିର୍ବାଚନ ମଣ୍ଡଳୀରେ ପ୍ରାୟ ୨୯% ଆଦିବାସୀ ଭୋଟ୍ ରହିଥିବାରୁ ସବୁ ଦଳର ନଜର ଏହି ଭୋଟ୍ ବ୍ୟାଙ୍କ ଉପରେ । ଖାସ୍ ସେଥିପାଇଁ ସବୁ ରାଜନୈତିକ ଦଳ ପ୍ରସ୍ତୁତି କରିଛନ୍ତି ସ୍ୱତନ୍ତ୍ର ଷ୍ଟ୍ରାଟେଜି । ଅନ୍ୟମାନଙ୍କ ବ୍ୟତୀତ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓ ବିଶେଶ୍ୱର ଟୁଡୁଙ୍କୁ ପ୍ରଚାର ଦାୟିତ୍ୱ ଦେଇଛି ବିଜେପି । ବିଜେଡି ଓ କଂଗ୍ରେସ୍ ମଧ୍ୟ ଆଦିବାସୀଙ୍କ ପାଇଁ କଣ କରିଛନ୍ତି, ସେ ତଥ୍ୟ ଲୋକଙ୍କ ପାଖରେ ରଖୁଛନ୍ତି ।
ଆଦିବାସୀ ଭୋଟ୍ ହାତେଇବାକୁ ଜୋରଦାର କସରତ ଜାରି ରହିଛି । ପଦ୍ମପୁର ଉପନିର୍ବାଚନରେ ଏହି ଭୋଟ୍ ନିର୍ଣ୍ଣାୟକ ହେଉଥିବାରୁ ସବୁ ଦଳ ଏଥିପାଇଁ ଆରମ୍ଭ କରିଛନ୍ତି ନିଜର ନିଜର ଗ୍ରାଉଣ୍ଡ ୱାର୍କ । ଏହି ନିର୍ବାଚନ ମଣ୍ଡଳୀରେ ଅଛନ୍ତି ସମୁଦାୟ ୨ ଲକ୍ଷ ୫୭ ହଜାର ଭୋଟର । ତା ଭିତରୁ ୮୦ ହଜାରରୁ ଅଧିକ ହେଉଛନ୍ତି ଆଦିବାସୀ, ପାଖାପାଖି ୨୯% । ୨୦୧୧ର ଜନଗଣନା ତଥ୍ୟ ଅନୁସାରେ ନିର୍ବାଚନ ମଣ୍ଡଳୀର ୩ ବ୍ଲକ୍ ହେଉଛି ଆଦିବାସୀ ବହୁଳ । ପଦ୍ମପୁରରେ ୧୭ ହଜାର, ପାଇକମାଳରେ ୩୫ ହଜାର ଓ ଝାରବନ୍ଧ ବ୍ଲକରେ ୨୯ ହଜାର ଟ୍ରାଇବାଲ୍ ଭୋଟ୍ ରହିଛି ।
ହେଲେ ପଦ୍ମପୁର ନିର୍ବାଚନ ମଣ୍ଡଳୀ କିନ୍ତୁ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ । ଏହା ସତ୍ତ୍ୱେ ଆଦିବାସୀ ନେତା ଭାବେ ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଏଠାରୁ ଲଢ଼ୁଥିଲେ । ଏବେ ତାଙ୍କ ଝିଅ ବର୍ଷା ସିଂ ବରିହା ବିଜେଡି ପ୍ରାର୍ଥୀ ହୋଇଛନ୍ତି । ସେହିପରି ବିଜେଡିର ଷ୍ଟାର କ୍ୟାମ୍ପେନର ତାଲିକାରେ ସାଂସଦ ରମେଶ ମାଝୀ, ପ୍ରଦୀପ ମଝୀ, ବିଧାୟକ ମନହୋର ରାନ୍ଧାରୀଙ୍କ ଭଳି ଅନେକ ଆଦିବାସୀ ନେତା ସ୍ଥାନ ପାଇଛନ୍ତି । ସେପଟେ ବିଜେପି ମଧ୍ୟ ଖେଳିଛି ଟ୍ରାଇବାଲ୍ କାର୍ଡ । କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବିଶେଶ୍ୱର ଟୁଡୁ, ସାଂସଦ ଜୁଏଲ୍ ଓରାମ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗରିଧର ଗମାଙ୍ଗ, ବିଜେପି ନେତା ରବି ନାୟକ, ବିଧାୟକ ମୋହନ ମାଝୀ, ଶଙ୍କର ଓରାମ, ନିତ୍ୟାନନ୍ଦ ଗଣ୍ଡ, କୁସୁମ ଟେଟେ ପ୍ରମୁଖ ଦଳର ଷ୍ଟାର କ୍ୟାମ୍ପେନର୍ ତାଲିକାରେ ଅଛନ୍ତି ।
କଂଗ୍ରେସ ବି ପଛରେ ନାହିଁ । ସାଂସଦ ସପ୍ତଗିରିି ଉଲାକା, ସୁଶୀଳା ତିରିଆ, ବିଧାୟକ ଦାଶରଥୀ ଗମାଙ୍ଗ, ସି.ଏସ୍. ରାଜନ୍ ଏକ୍କା ଭଳି ଅନେକ ଆଦିବାସୀ ନେତା ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ସେପଟେ ନାମାଙ୍କନା ସରିବା ପରେ ପ୍ରଚାର ଅଭିଯାନ ଜୋର୍ ଧରିଲାଣି । ପଦ୍ମପୁର ବ୍ଳକ୍ ବରିହାପାଳିରେ ବିଜେଡିର ବରିଷ୍ଠ ନେତା ଓ ମନ୍ତ୍ରୀଙ୍କ ଗହଣରେ ପ୍ରଚାର କରିଛନ୍ତି ବର୍ଷା ସିଂ ବରିହା । ସେପଟେ ଝାରବନ୍ଧ ବ୍ଲକ ଜଗଦଲପୁରରେ ପ୍ରଚାର କରିଥିଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ । ପ୍ରଚାରବେଳେ ତୁର୍ଲା ଗାଁରେ ଚାଲିଥିବା ସଙ୍କୀର୍ତ୍ତନରେ ଭାଗ ନେଇ ଗୀତ ଗାଇଥିଲେ ପ୍ରଦୀପ ।
ସେପଟେ ପାଇକମାଳରେ କଂଗ୍ରେସ ପକ୍ଷରୁ ଦଳୀୟ ସମାବେଶ କରାଯାଇଥିଲା । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନିର୍ବାଚନୀ ପ୍ରଚାର ରଣନୀତି ଓ କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଛି । ଧାମନଗର ପରେ ପଦ୍ମପୁରରେ ରୋଚକ ଲଢେଇ ହେବାକୁ ଯାଉଛି । ହେଲେ ଟ୍ରାଇବଲ୍ ଭୋଟ୍ କାହା ପାଖକୁ ଯିବ ତା ଉପରେ ରହିଛି ସମସ୍ତଙ୍କ ନଜର ରହିଥିବାବେଳେ ଏହାରି ଭିତରେ ଆଦିବାସୀଙ୍କ ଭୋଟ କାହା ଆଡକୁ ଯିବ ତାକୁ ନେଇ ମଧ୍ୟ କଳ୍ପନାଜଳ୍ପନା ଚାଲିଛି । ଆଦିବାସୀ ଭୋଟକୁ ନେଇ ପଦ୍ମପୁରରେ ୨ ପ୍ରମୁଖ ଦଳ ମୁହାଁମୁହିଁ ହୋଇଛନ୍ତି । ଆଦିବାସୀଙ୍କ ଭୋଟ ବିଜେପିକୁ ଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଆଦିବାସୀଙ୍କୁ ବଜେପି ସମ୍ମାନ ଦେବାସହ ସେମାନଙ୍କ ବିକାଶ କଥା ସବୁବେଳେ ଚିନ୍ତା କରିଆସିଛି । ତେଣୁ ସେମାନଙ୍କ ଭୋଟ ବିଜେପିକୁ ଯିବା ସ୍ୱାଭାବିକ ବୋଲି କହିଛନ୍ତି ବିଶ୍ୱେଶ୍ୱର ଟୁଡୁ ।
ବିଶ୍ୱେଶ୍ୱରଙ୍କ ଏହି କଥାକୁ ପ୍ରତିରୋଧ କରିଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ । ଯଦି ଆଦିବାସୀଙ୍କ ଭୋଟ ବିଜେପିକୁ ଯିବ ବୋଲି ବିଜେପି ଜାଣିଛି ତେବେ ପଞ୍ଚାୟତ ନିର୍ବାଚନରେ ଦଳ ହାରିଲା କାହିଁକି ବୋଲି ମୁନ୍ନା ଖାଁ ପ୍ରଶ୍ନ କରିଛନ୍ତି । ସେପଟେ ଜମୁଛି ପଦମପୁର ପ୍ରଚାର । ମହିଳାଙ୍କୁ ସାଥୀରେ ନେଇ ପଦମପୁରର ବିଭିନ୍ନ ଅଞ୍ଚଳରେ ପ୍ରଚାର କରୁଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ୨ ନମ୍ବର ଜୋନରେ ଥିବା ୮ ପଞ୍ଚାୟତରେ ସଭା କରି କ୍ୟାମ୍ପେନିଂ କରୁଛନ୍ତି ବର୍ଷା । ଖୁଜେନରେ ଆୟୋଜିତ ସଭାରେ ସମସ୍ତଙ୍କ ଆଶୀର୍ବାଦ ଲୋଡି ବର୍ଷା ପ୍ରଚାର ଆରମ୍ଭ କରିଛନ୍ତି । ସେହିପରି ଉପନିର୍ବାଚନ ପୂର୍ବରୁ ଆହୁରି ସଶକ୍ତ ହେଉଛି ବିଜେଡି । ଅନ୍ୟଦଳ ଛାଡ଼ି ବିଜେଡିରେ ଯୋଗଦେଉଛନ୍ତି ନେତା ଓ କର୍ମୀ । ପଦମପୁର ବ୍ଲକ୍ ପଲସାପାଲି ପଞ୍ଚାୟତର ସରପଞ୍ଚ ଭାସ୍କର ଭୋଇ ବିଜେଡିରେ ଯୋଗଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *