ହୁହୁ ବଢୁଛି ଅନାଦେୟ ଋଣ, ଚିନ୍ତାରେ ବ୍ୟାଙ୍କ

ଭୁବନେଶ୍ୱର,୨ଠା୧୧(ତଥ୍ୟ): ରାଜ୍ୟରେ ଅନାଦେୟ ଋଣ (ଏନପିଏ) ପରିମାଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଚଳିତ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ଏହା ୧୫,୨୬୯ କୋଟି ଟଙ୍କାକୁ ଟପିଯାଇଛି । ଏନ୍ପିଏର ଏଭଳି ବୃଦ୍ଧି ବ୍ୟାଙ୍କ୍‌ଗୁଡ଼ିକୁ ଚିନ୍ତାରେ ପକାଇଛି । ନିକଟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଅଧିକାରୀମାନେ ଏହା ସ୍ୱୀକାର କରିଛନ୍ତି । ଚଳିତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟରେ ଏନ୍‌ପିଏ ପରିମାଣ ୧୫,୧୬୩.୫୧ କୋଟି ହୋଇଥିବାବେଳେ ସେପ୍ଟେମ୍ବରେ ୧୫,୨୬୯.୫୨ କୋଟି ଟଙ୍କାରେ ପହଞ୍ଚିଛି । ରାଜ୍ୟରେ ଏନ୍‌ପିଏ ପରିମାଣ ହାରାହାରି ୬.୦୯ ପ୍ରତିଶତ ଥିବାବେଳେ ଏମ୍‌ଏସ୍ଏମ୍ଇ କ୍ଷେତ୍ରରେ ଏହା ୮.୯୪ ପ୍ରତିଶତ ରହିଛି ।
ପ୍ରଧାନମନ୍ତ୍ରୀ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା (ପିଏମ୍ଇଜିପି)ରେ ଏନ୍‌ପିଏ ପରିମାଣ ସର୍ବାଧିକ ୩୫.୨୭ ପ୍ରତିଶତ ରେକର୍ଡ କରାଯାଇଛି । ମାର୍ଚ୍ଚ ଶେଷ ସୁଦ୍ଧା ଏହା ୨୭.୬୮ ପ୍ରତିଶତ ଥିଲା । ବ୍ୟାଙ୍କ୍‌ଗୁଡିକୁ ପିଏମ୍‌ଇଜିପି ଯୋଜନାରେ ଋଣ ଫେରସ୍ତ ହେଉ ନ ଥିବାରୁ ଉଭୟ ଋଣ ଓ ସୁଧ ବଢ଼ିବାରେ ଲାଗିଛି ।
ସେହିଭଳି ସ୍ୱଳ୍ପ ମିଆଦୀ କୃଷି ଋଣ କ୍ଷେତ୍ରରେ ମଧ୍ୟ ଏନ୍‌ପିଏ ଅଧିକ ରହିଛି । ସେପ୍ଟେମ୍ବର ୩୦ ସୁଦ୍ଧା ଏହି କ୍ଷେତ୍ରରେ ଏନ୍‌ପିଏ ୧୪.୧୮ ପ୍ରତିଶତ ଥିଲା ଓ ମାର୍ଚ୍ଚ ଶେଷ ସୁଦ୍ଧା ଏହା ୧୨.୪୯ ପ୍ରତିଶତ ରହିଥିଲା । ଏନ୍‌ପିଏ ପରିମାଣ ୧୦.୩୭ ପ୍ରତିଶତ ଯୋଗୁଁ କୃଷି ଋଣ ‘ବ୍ୟାଡ୍‌ ଲୋନ୍‌’ରେ ପରିଣତ ହୋଇଛି ।
ଶିକ୍ଷା ଋଣ କ୍ଷେତ୍ରରେ ବି ସମାନ ଅବସ୍ଥା । ଏହି ଋଣ ନେଇଥିବା ଶିକ୍ଷାର୍ଥୀମାନେ ଋଣ କିମ୍ବା ସୁଧ ଫେରସ୍ତ କରୁ ନ ଥିବାରୁ ଏନ୍ପିଏ ବଢିବାରେ ଲାଗିଛି । ପିଏମ୍ଇଜିପି ଭଳି ସ୍ୱୟଂସହାୟିକା ଗୋଷ୍ଠି (ଏସ୍‌ଏଚ୍‌ଜି) ମଧ୍ୟ ସେମାନଙ୍କର ଋଣ ପରିଶୋଧ କରୁନାହାନ୍ତି । ଢେଙ୍କାନାଳ, ପୁରୀ, ନୟାଗଡ଼, କେନ୍ଦ୍ରାପଡା ଏବଂ କନ୍ଧମାଳ ଜିଲ୍ଲାକୁ ମିଳିତ ଋଣ ଆଦାୟ ପାଇଁ ଚିହ୍ନଟ କରାଯାଇଛି । ଏହିସବୁ ଜିଲ୍ଲାରେ ଏମ୍ଏସ୍ଏମ୍ଇ ଋଣ ଫେରସ୍ତ କରୁ ନ ଥିବା ବଡ ଖିଲାପକାରୀଙ୍କଠାରୁ ଅର୍ଥ ଆଦାୟ ପାଇଁ ଉଭୟ ବ୍ୟାଙ୍କ୍‌ ଓ ରାଜ୍ୟ ସରକାର ମିଳିତ ଭାବେ ଅର୍ଥ ଆଦାୟ ଲାଗି ଯୋଜନା କରିଛନ୍ତି ।
ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଏନ୍‌ପିଏ ଉପରେ ବିସ୍ତୃତ ଆଲୋଚନା ହୋଇଥିବାବେଳେ ଏନ୍‌ପିଏ ପରିମାଣ ହ୍ରାସ ସହିତ ରାଜ୍ୟ ସରକାରଙ୍କ ସହାୟତାରେ ଅନାଦେୟ ଋଣ ଆଦାୟ ଲାଗି କୁହାଯାଇଥିଲା । ନୂତନ ଋଣ ପ୍ରଦାନ କ୍ଷେତ୍ରରେ ଠିକଣା ଭାବେ ତଦାରଖ ସହିତ ଋଣଗ୍ରହୀତାମାନଙ୍କୁ ସଚେତନ ସହିତ ରାଜ୍ୟର ଅଗ୍ରାଧିକାର କ୍ଷେତ୍ରକୁ ଋଣ ପ୍ରଦାନ ବୃଦ୍ଧି ଲାଗି ବ୍ୟାଙ୍କ୍‌ଗୁଡିକୁ କୁହାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *