ସୂର୍ଯ୍ୟ ଧମାକାରେ ନୁ୍ୟଜିଲାଣ୍ଡ ଧରାଶାୟୀ

ମାଉଣ୍ଟ ମଉଙ୍ଗାନୁଇ, ୨୦ା୧୧ (ଏଜେନ୍ସି): ସୂର୍ଯ୍ୟକୁମାର ଯାଦବ କ୍ଷୁଦ୍ରତମ ଫର୍ମାଟ୍ରେ ବ୍ୟାଟିଂ ଉକ୍ରର୍ଷତାର ଉଜ୍ଜ୍ୱଳ ନମୁନା ଦେଖାଇ ପ୍ରତିପକ୍ଷ ନୁ୍ୟଜିଲାଣ୍ଡକୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଛନ୍ତି । ‘ପ୍ଲେୟାର୍ ଅଫ୍ ଦ ମ୍ୟାଚ୍’ ବିବେଚିତ ସୂର୍ଯ୍ୟଙ୍କ ଧୂଆଁଦାର ଶତକ ପରେ ବୋଲର୍ଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ବଳରେ ଟିମ୍ ଇଣ୍ଡିଆ ରବିବାର ଦ୍ୱିତୀୟ ଟି-୨୦ ଆନ୍ତର୍ଜାତିକରେ ୬୫ ରନ୍ର ବଡ଼ ବ୍ୟବଧାନରେ ବିଜୟ ହାସଲ କରିଛି । ଏହି ବିଜୟ ସହ ହାର୍ଦ୍ଦିକ ସେନା ତିନି ମ୍ୟାଚ୍ର ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହୋଇଛିି ।
ୱେଲିଂଟନ୍ ଠାରେ ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇ ହୋଇଯିବା ପରେ ଶୃଙ୍ଖଳା ଦୁଇ ମ୍ୟାଚ୍ ବିଶିଷ୍ଟ ହୋଇଯିବା ସହ ଦ୍ୱିତୀୟ ମ୍ୟାଚ୍ର ଗୁରୁତ୍ୱ ବଢ଼ିଯାଇଥିଲା । ଅଧିନାୟକ ଭାବେ ସବୁଠାରୁ କଠିନ ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଶୃଙ୍ଖଳା ବିଜୟ ଠାରୁ ଆଉ ଗୋଟିଏ ପାଦ ଦୂରରେ ଅଛନ୍ତି । କିୱି ପେସର୍ ମ୍ୟାଚ୍ରେ ହାଟ୍ରିକ୍ ଅର୍ଜନ କରିଥିଲେହେଁ ତାହା କାମରେ ଆସି ନ ଥିଲା ।
ସୂର୍ଯ୍ୟକୁମାର ତାଙ୍କ ଟି-୨୦ ଆନ୍ତର୍ଜାତିକ କ୍ୟାରିଅରର ଦ୍ୱିତୀୟ ଶତକ ହାସଲ କରିଛନ୍ତି । ସେ ୫୧ ବଲ୍ରୁ ଅପରାଜିତ ୧୧୧ ରନ୍ର ଇନିଂସ୍ ଖେଳିଥିଲେ । ତାଙ୍କ ଇନିଂସ୍ରେ ୧୧ ଚୌକା ଓ ୭ ଛକା ରହିଥିଲା । ତାଙ୍କ ଷ୍ଟ୍ରାଇକ୍ ରେଟ୍ ଥିଲା ୨୧୭.୬୪ । ସୂର୍ଯ୍ୟକୁମାରଙ୍କ ଶତକ ଯୋଗୁଁ ଟିମ୍ ଇଣ୍ଡିଆ ୧୯୧ ରନ୍ର ଆହ୍ୱାନପୂର୍ଣ୍ଣ ସ୍କୋର୍ ଛିଡ଼ା କରିପାରିଥିଲା ।
୧୯୨ ରନ୍ ବିଜୟଲକ୍ଷ୍ୟର ପିଛା କରି ନୁ୍ୟଜିଲାଣ୍ଡ ଟିମ୍ ୧୨୬ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ଟିମ୍ ପକ୍ଷରୁ କେନ୍ ୱିଲିଅସନ୍ସନ୍ (୬୧)ଙ୍କୁ ଛାଡ଼ିଦେଲେ ଆଉ କାହା ପ୍ରଦର୍ଶନ ଆଶାଜନକ ନ ଥିଲା । ଦୀପକ ହୁଡ଼ା ମାତ୍ର ୧୦ ରନ୍ ଦେଇ ୪ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ମହମ୍ମଦ ସିରାଜ ଓ ଯୁଜବେନ୍ଦ୍ର ଚହଲ ୨ଟି ଲେଖାଏଁ ଏବଂ ଭୁବନେଶ୍ୱର କୁମାର ଓ ୱାଶିଂଟନ୍ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । କେବଳ ଅର୍ଶଦୀପ ସିଂହଙ୍କୁ ୱିକେଟ୍ ମିଳି ନ ଥିଲା । ହାର୍ଦ୍ଦିକ ବୋଲିଂ କରି ନ ଥିଲେ ।
ପ୍ରଥମ ଓଭର୍ରେ ଖାତା ଖୋଲି ନ ଥିବା ବେଳେ ଓପନିଂ ଯୋଡ଼ି ଭାଙ୍ଗିଥିଲା । ଫିନ୍ ଆଲେନ୍ (୦)ଙ୍କୁ ଭୁବନେଶ୍ୱର କୁମାର ପାଭିଲିଅନ୍ ପଠାଇଥିଲେ । ଏହାପରେ ଅନ୍ୟତମ ଓପନର୍ ଡେଭନ୍ କନୱେ ଓ ଅଧିନାୟକ କେନ୍ ୱିଲିଅମ୍ସନ୍ ମିଶି ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ । ଦ୍ୱିତୀୟ ୱିକେଟ୍ ପାଇଁ ୫୨ ରନ୍ ଯୋଗ ହୋଇଥିଲା । ତେବେ ଏହି ଯୋଡ଼ି ଭାଙ୍ଗିବା ସହିତ ସଙ୍କଟ ଆରମ୍ଭ ହୋଇଯାଇଥିଲା ।
ୱିଲିଅମ୍ସନ୍ କ୍ରିଜ୍ର ଗୋଟିଏ ପଟ ସମ୍ଭାଳିଥିବା ବେଳେ ଅନ୍ୟପଟେ ନିୟମିତ ବ୍ୟବଧାନରେ ୱିକେଟ୍ ପଡ଼ି ଚାଲିଥିଲା । ୮୯ ରନ୍ ମଧ୍ୟରେ ଅଧା ଟିମ୍ ପାଭିଲିଅନ୍ ଫେରିଥିଲା । ଗ୍ଲେନ୍ ଫିଲିପ୍ସ ୧୨ ଓ ଡାରିଲ୍ ମିଚେଲ୍ ୧୦ ରନ୍ କରି ଯଥାକ୍ରମେ ଚହଲ ଓ ହୁଡ଼ାଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଜେମ୍ସ ନୀଶାମ୍ ଖାତା ଖୋଲି ନ ପାରି ଚହଲଙ୍କ ଦ୍ୱିତୀୟ ଶିକାର ହୋଇଥିଲେ ।
ମିଚେଲ୍ ସାଣ୍ଟନର (୨) ବି ନିରାଶ କରିଥିଲେ । ତାଙ୍କ ୱିକେଟ୍ ମହମ୍ମଦ ସିରାଜ୍ଙ୍କ ଖାତାକୁ ଯାଇଥିଲା । ୱିଲିଅମ୍ସନ୍ ୫୨ ବଲ୍ରୁ ୬୧ ରନ୍ କରି ସିରାଜ୍ଙ୍କ ବଲ୍ରେ ବୋଲ୍ଡ ହୋଇଥିଲେ । ଏହାପରେ ଈଶ୍ ସୋଢ଼ି (୧), ଟିମ୍ ସାଉଦୀ (୦) ଓ ଆଦାମ୍ ମିଲ୍ନେ (୬) ତିନିଜଣଯାକ ହୁଡ଼ାଙ୍କ ଶିକାର ହୋଇଥିଲେ ।
ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତୀୟ ଟିମ୍ ପକ୍ଷରୁ ଈଶାନ୍ କିଶନ୍ ଓ ରିଷଭ ପନ୍ତ ଇନିଂସ୍ ଓପନ୍ କରିଥିଲେ । କିନ୍ତୁ ପନ୍ତ ନିରାଶ କରିଥିଲେ । ସେ ମାତ୍ର ୬ ରନ୍ କରି ଲୋକୀ ଫର୍ଗୁସନ୍ଙ୍କ ଶିକାର ହୋଇଥିଲେ ଏବଂ ୩୬ ରନ୍ରେ ଓପନିଂ ଯୋଡ଼ି ଭାଙ୍ଗିଥିଲା ।
ଏହାପରେ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ସୂର୍ଯ୍ୟକୁମାର । ଭାରତର ସ୍କୋର୍ ୬.୨ ଓଭର୍ରେ ୫୦/୧ ହୋଇଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା । ବର୍ଷା ଛାଡ଼ିବା ପରେ ପୁଣି ଖେଳ ଆରମ୍ଭ ହୋଇଯାଇଥିଲା । କିଛି ସମୟ ମଧ୍ୟରେ ସୂର୍ଯ୍ୟକୁମାର କ୍ରିଜ୍ରେ ଜମିଯାଇଥିଲେ । ଅନ୍ୟପଟେ ଈଶାନ ବ୍ୟକ୍ତିଗତ ୩୬ (୩୧ ବଲ୍ରୁ) ରନ୍ରେ ସୋଢ଼ିଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ପରବର୍ତ୍ତୀ ବ୍ୟାଟର୍ ଶ୍ରେୟାସ ଆୟର (୧୩) ଫର୍ଗୁସନ୍ଙ୍କ ବଲ୍ରେ ହିଟ୍ ୱିକେଟ୍ ହୋଇଥିଲେ ।
ଏହାପରେ ସୂର୍ଯ୍ୟ ଅଧିନାୟକ ହାର୍ଦ୍ଦିକଙ୍କ ସହ ମିଶି ଚତୁର୍ଥ ୱିକେଟ୍ ପାଇଁ ୮୨ ରନ୍ର ଧୂଆଁଦାର ଭାଗୀଦାରୀ କରିଥିଲେ । ସୂର୍ଯ୍ୟଙ୍କ ବ୍ୟାଟିଂ ଆଗରେ କିୱି ବୋଲର୍ମାନେ ନିଷ୍ପ୍ରଭ ଜଣାପଡ଼ୁଥିଲେ । ସେ ୪୯ ବଲ୍ରୁ ଶତକ ପୂରଣ କରିଥିଲେ ।
ହାର୍ଦ୍ଦିକ (୧୩) ଶେଷ ଓଭର୍ର ତୃତୀୟ ବଲ୍ରେ ସାଉଦୀଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ସାଉଦୀ ଏହାପରେ ଚତୁର୍ଥ ଓ ପଞ୍ଚମ ବଲ୍ରେ ହୁଡ଼ା ଓ ସୁନ୍ଦରଙ୍କୁ ବିନା ସ୍କୋର୍ରେ ପାଭିଲିଅନ୍ ପଠାଇ ହାଟ୍ରିକ୍ ଅର୍ଜନ କରିଥିଲେ । ଭାରତୀୟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୬ ୱିକେଟ୍ ହରାଇ ୧୯୧ ରନ୍ ସଂଗ୍ରହ କରିଥିଲା । ସୂର୍ଯ୍ୟକୁମାର ୧୧୧ ଓ ଭୁବନେଶ୍ୱର ୧ ରନ୍ କରି ଅପରାଜିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *