ସ୍ପଷ୍ଟ ହେବ ବିରୋଧୀ ଏକତା
ନୂଆଦିଲ୍ଲୀ, ୨ଠା୧୧: ସଂସଦର ଶୀତ ଅଧିବେଶନ ଡିସେମ୍ବର ୭ରୁ ଆରମ୍ଭ ହୋଇ ୨୯ରେ ଶେଷହେବ । ଅଧିବେଶନ ଆରମ୍ଭର ପରଦିନ ଗୁଜରାଟ, ହିମାଚଳ ପ୍ରଦେଶ ବିଧାନସଭା ସହିତ ଦିଲ୍ଲୀ ଏମ୍ସିଡି ନିର୍ବାଚନ ଫଳ ପ୍ରକାଶ ପାଇବ । ଏହି ତିନୋଟି ଯାକ ନିର୍ବାଚନ ଉଭୟ ବିରୋଧୀ ଓ ବିଜେପି ପାଇଁ ବିଶେଷ ଗୁରୁତ୍ୱ ବହନ କରୁଛି । ତିନୋଟି ଯାକ ସ୍ଥାନରେ ବିଜେପି କ୍ଷମତାରେ ଅଛି । ୬ ମାସ ପୂର୍ବେ ଯେପରି ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ପୁନର୍ବାର କ୍ଷମତାକୁ ଆସି ବିଜେପି ଇତିହାସ ରଚିଥିଲା, ଏଥର ଯଦି ସେଭଳି ହୁଏ ବିରୋଧୀ ଦଳମାନଙ୍କ ନୈତିକ ବଳ ଆହୁରି ଦୁର୍ବଳ ହୋଇଯିବ । ଯଦି ସ୍ଥିତି ବଦଳି ଯାଏ ସେ କ୍ଷେତ୍ରରେ ବିରୋଧୀ ପକ୍ଷ ଉତ୍ସାହିତ ହେବାରେ ସନେ୍ଦହ ନାହିଁ, କିନ୍ତୁ ବିରୋଧୀ ଏକତା ନେଇ ସନେ୍ଦହ ରହିଛି । ତେବେ ବିରୋଧୀ ଏକତା ପାଇଁ ବେଶ୍ କିଛି ଦିନ ହେଲା ଚାଲିଥିବା ଉଦ୍ୟମ ସାକାର ହେବ କି ନାହିଁ ତାହା ଶୀତ ଅଧିବେଶନରେ ସ୍ପଷ୍ଟ ହେବ ।
ହିମାଚଳ ପ୍ରଦେଶରେ ବିଜେପି ଓ କଂଗ୍ରେସ ଭିତରେ ସିଧାସଳଖ ଲଢେଇ ହେଉଛି । ଏଥର ଆପ୍ ପ୍ରଥମ ଥର ପାଇଁ ଗୁଜରାଟ ମଇଦାନରେ ପ୍ରବେଶ କରିଥିଲେ ହେଁ ସେଠାରେ ବିଜେପିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ । କିନ୍ତୁ ଦିଲ୍ଲୀ ଏମ୍ସିଡି ପାଇଁ ବିଜେପି ଓ ଆପ୍ ଭିତରେ ଲଢେଇ ହେଉଛି । କଂଗ୍ରେସ ଓ ଆପ୍ ଉଭୟେ ବିରୋଧୀ ଦଳ ହୋଇଥିଲେ ହେଁ ଦୁଇ ଦଳ ଭିତରେ ସମ୍ପର୍କ କେତେ ତିକ୍ତ ତାହା ସମସ୍ତଙ୍କୁ ଜଣାଅଛି । ଗୁଜରାଟରେ ଆପ୍ କିଛି ଆସନରେ ଜିତିଲେ କିମ୍ବା ୬ ପ୍ରତିଶତ ଭୋଟ୍ ପାଇବାରେ ସକ୍ଷମ ହେଲେ ତାକୁ ରାଷ୍ଟ୍ରୀୟ ଦଳ ମାନ୍ୟତା ମିଳିବ । ଆସନ୍ତା ବର୍ଷ ମାର୍ଚ୍ଚ-ଏପ୍ରିଲ୍ରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବ ।
ସେଠରେ ମଧ୍ୟ ଆପ୍ ପ୍ରାର୍ଥୀ ଦେବ ।
ବିରୋଧୀ ପକ୍ଷର କଂଗ୍ରେସ, ବିଏସ୍ପି ଓ ସିପିଏମ୍କୁ ଛାଡିଦେଲେ ବାକି ସବୁ ଆଞ୍ଚଳିକ ଦଳ । ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ୍ କ୍ରମାଗତ ତୃତୀୟ ଥର କ୍ଷମତା ହାସଲ କରିବାର ପରେ ମମତା ବାନାର୍ଜୀ କେନ୍ଦ୍ରର ଏକଜୁଟତା ନାରା ଦେଇଥିଲେ । କିନ୍ତୁ ତାହା ସହିତ ସେ ବାର୍ତ୍ତା ଦେଇଥିଲେ ଯେ ତାଙ୍କ ଦଳ ଅନ୍ୟ କୌଣସି ବିରୋଧୀ ଦଳର ନେତୃତ୍ୱକୁ ମାନିବାକୁ ପ୍ରସ୍ତୁତ ନୁହେଁ । ମମତା ତାଙ୍କର ଏହି ଆଭିମୁଖ୍ୟ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ପ୍ରଦର୍ଶନ କରିଥିଲେ ।
୨ମାସ ପୂର୍ବେ ରାହୁଳ ଗାନ୍ଧୀ ଭାରତ ଯୋଡ ଯାତ୍ରା ଆରମ୍ଭ କରିବାବେଳେ ବିରୋଧୀ ପକ୍ଷର କେତେକ ସାଥୀ ଅସହଜ ଅନୁଭବ କରିଥିଲା ଲକ୍ଷ୍ୟ କରାଯାଇଥିଲା । ରାହୁଳଙ୍କ ଯାତ୍ରା ଏବେ ମହାରାଷ୍ଟ୍ରରେ ଅଛି । ଏହି ଅବସରରେ ସେ ବୀର ସଭରକରଙ୍କ ସମ୍ପର୍କରେ ପ୍ରତିକୂଳ ମନ୍ତବ୍ୟ ଦେଇଥିବାରୁ ମହାବିକାଶ ଅଘାଡିରେ ମତଭେଦ ସୃଷ୍ଟି ହୋଇଛି । ଏହି ମେଣ୍ଟରେ କଂଗ୍ରେସ ଅଛି । ହିମାଚଳରେ ଯଦି କଂଗ୍ରେସର ଭାଗ୍ୟ ଖୋଲିଯାଏ, କଂଗ୍ରେସ ଆଞ୍ଚଳିକ ଦଳମାନଙ୍କ ଚାପ ଆଗରେ ହୁଏତ ମୁଣ୍ଡ ନୁଆଁଇବ ନାହିଁ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ମଧ୍ୟ କେନ୍ଦ୍ରୀୟ ସ୍ତରରେ ପରୋକ୍ଷ ଭାବରେ ନିଜକୁ ପ୍ରୋଜେକ୍ଟ କରୁଛନ୍ତି ।
ଏଥିରୁ ଜଣାପଡୁଛି ଯେ ବିରୋଧୀ ପକ୍ଷରୁ ସବୁ ଦଳ ନିଜକୁ ମଜଭୁତ କରିବା ଯୋଗାଡରେ ଅଛନ୍ତି । ଏଭଳି ସ୍ଥିତରେ ଶୀତ ଅଧିବେଶନରେ ସେମାନଙ୍କ ଏକଜୁଟତା କି ରୂପ ନେବ କହିହେଉ ନାହିଁ ।