ପୁରୀରେ ହେବ ରାଜ୍ୟର ପ୍ରଥମ ଟ୍ରାନ୍ସଜେଣ୍ଡର ସେଲ୍ଟର
ପୁରୀ (ବୁ୍ୟରୋ): ଟ୍ରାନ୍ସଜେଣ୍ଡର୍ମାନେ ବର୍ତ୍ତମାନ ବି ସମାଜରେ ଅବହେଳିତ, ଉପେକ୍ଷିତ ଓ ତାଡ଼ନାଗ୍ରସ୍ତ । ଫଳରେ ଅଧିକାଂଶ ଟ୍ରାନ୍ସଜେଣ୍ଡର ବାଧ୍ୟ ହୁଅନ୍ତି ସମାଜରୁ ନିଜକୁ ଦୂରେଇ ରଖିବା ପାଇଁ ଏବଂ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ କେତେବେଳେ ଭିକ୍ଷା ବୃତ୍ତି ବା କେତେବେଳେ ଅନୈତିକ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥାନ୍ତି । ଯାହା ସେମାନଙ୍କୁ ଏକ ସମ୍ମାନଜନକ ଜୀବନଶୈଳୀ ଦେଇପାରେ ନାହିଁ । ଅନେକ ସମାଜର ପ୍ରତ୍ୟାଖ୍ୟାନ ଓ ତାଡ଼ନା ସହି ନ ପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାନ୍ତି କିମ୍ବା ସାମାଜିକ କ୍ରୁରତାର ଶିକାର ହୋଇ ମୃତୁ୍ୟବରଣ କରିଥାନ୍ତି । ସେହିଭଳି ଦିବଂଗତ ଟ୍ରାନ୍ସଜେଣ୍ଡର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୨୦ ତାରିଖକୁ ବିଶ୍ୱ ଟ୍ରାନ୍ସଜେଣ୍ଡର ସ୍ମୃତି ଦିବସ ଭାବେ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ସ୍ୱେଚ୍ଛାସେବୀ ସଂଗଠନ ସାମୁଖ୍ୟ ଦି ବେଲ୍ ଓ ସାମାଜିକ ଅନୁଷ୍ଠାନ ‘ସାଥୀ’ ତରଫରୁ ପୁରୀ ନୀଳାଚଳ ଅର୍ବାନ ହାଟ ମୁକ୍ତାକାଶ ରଙ୍ଗମଞ୍ଚରେ ପାଳିତ ହୋଇଯାଇଛି ବିଶ୍ୱ ଟ୍ରାନ୍ସଜେଣ୍ଡର ସ୍ମୃତି ଦିବସ ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସମର୍ଥ ବର୍ମା ଯୋଗଦେଇ ଦିବଂଗତ ଆତ୍ମାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରାୟୋଜିତ ସ୍ୱୀକୃତି ଯୋଜନାର ଶୁଭାରମ୍ଭ କରିଥଲେ । ଜିଲ୍ଲାରେ କିନ୍ନରମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଏବଂ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ୍ କରିବା ପାଇଁ ଖୁବ୍ଶୀଘ୍ର ପୁରୀରେ ଟ୍ରାନ୍ସ୍ସଜେଣ୍ଡର ସେଲ୍ଟର ହୋମ୍ ଆରମ୍ଭ କରାଯିବ ବୋଲି ସୂଚନା ଦେଇଥିଲେ । ସେହିଭଳି ସ୍ୱୀକୃତି ଯୋଜନାରେ ପୁରୀ ଜିଲ୍ଲାରେ ବସବାସ କରୁଥିବା ଟ୍ରାନ୍ସଜେଣ୍ଡରଙ୍କୁ ସ୍ୱୀକୃତି ଯୋଜନା ମାଧ୍ୟମରେ ଜୀବନ ଜୀବିକା, ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା ଯୋଗାଇ ଦେଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରାଯିବା ପାଇଁ ପ୍ରୟାସ ଆରମ୍ଭ ହେବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା କହିଥିଲେ ।
କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ପୁରୀ କିନ୍ନର ସଂଘର ସଭାପତି ଦେବକୀ କିନ୍ନର, ସମ୍ପାଦିକା ପୂଜା କିନ୍ନର, ଟ୍ରାନ୍ସଜେଣ୍ଡର୍ମାନଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସାମାଜିକ କର୍ମୀ ସନ୍ତୋଷ ଜେନା ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରାରମ୍ଭରେ ଦିବଂଗତ ଟ୍ରାନ୍ସଜେଣ୍ଡରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମକୁ ଦି ବେଲ୍ର ଆବାହକ ସିଦ୍ଧାର୍ଥ ରାୟ ସଂଯୋଜନା କରିଥିବା ବେଳେ ସାଥୀ ଅନୁଷ୍ଠାନର ସହ ନିଦେ୍ର୍ଦଶକ ବିଶ୍ୱଭୂଷଣ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଶର୍ମିଷ୍ଠା ଦାସ, ବ୍ଲାକ୍ କ୍ୱିନ, ପିହୁ, ରଶ୍ମି, ସୁପ୍ରୀତି ନାୟକ, ଟିକିନା ପ୍ରଧାନ, ସତ୍ୟନାରାୟଣ ସାହୁ, ଓମ୍ ପ୍ରସାଦ ମହାନ୍ତି ଏବଂ ଅମର ବାରିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।