ରାସ୍ତା ମରାମତି ପାଇଁ ରାସ୍ତାରୋକ
ଅବହେଳିତ ସୀତାକୁଣ୍ଡ
ବାରିପଦା (ଆପ୍ର): ମୟୂରଭଞ୍ଜ ଜିଲ୍ଲାରେ ମାନ୍ୟତାପ୍ରାପ୍ତ ୧୯ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ସୀତାକୁଣ୍ଡ ଅନ୍ୟତମ । ଏହା ବାରିପଦାରୁ ୨୨କିମି ଏବଂ ଶିମିଳିପାଳ ପ୍ରବେଶ ପଥ ପିଠାବଟା (ଲୁଲୁଙ୍ଗ)ଠାରୁ ପ୍ରାୟ ୩ କିମି ଦୂରରେ ଅବସ୍ଥିତ । ଏହାର ରମଣୀୟ ଦୃଶ୍ୟରାଜି ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିଲେ ବି ପ୍ରଶାସନ ପକ୍ଷରୁ ଏହାର ବିକାଶପ୍ରତି ଧ୍ୟନ ଦିଆଯାଇନାହିଁ । ଫଳରେ ସୀତାକୁଣ୍ଡ ବର୍ଷବର୍ଷ ଧରି ଅବହେଳିତ ଅବସ୍ଥାରେ ରହିବା ସହିତ ସ୍ଥାନୀୟ ଲୋକଙ୍କ ଅସନ୍ତୋଷର କାରଣ ପାଲଟିଛି । ଅବହେଳା ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ । ପ୍ରଶାସନ ଓ ନେତୃବୃନ୍ଦଙ୍କ ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଥିଲା ।
ପର୍ବତରୁ ପାଦଦେଶ ପର୍ଯ୍ୟନ୍ତ ୭ ଝରଣାର ପାଣି ଗୋଟିକ ପରେ ଗୋଟିଏ ୭ କୁଣ୍ଡ ଅତିକ୍ରମ କରି ପାଦଦେଶରେ ଥିବା କୁଣ୍ଡରେ ପଡ଼ିଛି । ପର୍ବତ ତୀଖ ଭାବେ ଉପରୁ ତଳ ପର୍ଯ୍ୟନ୍ତ ଲମ୍ବିଥିବାରୁ ଏହାକୁ ଆରୋହଣ ଅତ୍ୟନ୍ତ ବିପଦପୂର୍ଣ୍ଣ । ପର୍ବତରେ ହନୁମାନ ଓ ମହାଦେବଙ୍କ ମୂର୍ତ୍ତି ରହିଛି । ବର୍ଷର ସବୁ ସମୟରେ ସୀତାକୁଣ୍ଡକୁ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି । କିନ୍ତୁ ଭଲ ରାସ୍ତା ନଥିବାରୁ ସେମାନେ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି । ଗ୍ରାମବାସୀ ରାସ୍ତା ନିର୍ମାଣ ପାଇଁ ଦାବି କରି ଆସୁଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ପିକ୍ନିକ୍ ଋତୁ ଆରମ୍ଭରୁ ଏଠାକୁ ପ୍ରକୃତିପ୍ରେମୀଙ୍କ ସୁଅ ଛୁଟୁଛି । ହେଲେ ରାସ୍ତା ସମସ୍ୟା ଯୋଗୁ ଯାନବାହନଗୁଡ଼ିକ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି । ପାନୀୟ ଜଳ ଯୋଗାଣ, ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ଅନେକ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି । ଏଥିସହିତ ମୟୂରଭଞ୍ଜ ଶିଳ୍ପବିହୀନ ଜିଲ୍ଲା ହୋଇଥିବାରୁ ସୀତାକୁଣ୍ଡ ସମେତ ଅନ୍ୟ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହୋଇ ପାରିଲେ ବେକାର ଯୁବକ ଯୁବତୀ କର୍ମ ସଂସ୍ଥାନ ପାଇପାରନ୍ତେ । ମାତ୍ର ପ୍ରଶାସନିକ ଅବହେଳା ଓ ଆନ୍ତରିକତାର ଅଭାବ ଯୋଗୁ ଏହା ସମ୍ଭବ ହୋଇପାରୁନି ।
ଭଲ ରାସ୍ତା ନିର୍ମାଣ ଦାବିରେ ଶନିବାର ଶତାଧିକ ଗ୍ରାମବାସୀ ଦୀର୍ଘ ସମୟ ରାସ୍ତା ରୋକ କରିଥିଲେ । ବାରିପଦା ସଦର ଥାନା ଅଧିକାରୀ ମଧୁସ୍ମିତା ମହାନ୍ତି, ବନ ଅଧିକାରୀ, ଜିଲ୍ଲା ପରିଷଦ ସଭ୍ୟ ମଧୁସୂଦନ ସିଂ, ବ୍ଲକ ଅଧକ୍ଷ ଚନ୍ଦ୍ର ମୋହନ ସିଂ, ସମାଜସେବୀ ଗୌରମୋହନ ସିଂ, ଦୁଃଖିଆ ହାଁସଦା, ଯୁବ ବିଜେଡି ସାଧାରଣ ସମ୍ପାଦକ ରଜନୀ ମହାନ୍ତ ପ୍ରମୁଖ ଧାରଣାସ୍ଥଳକୁ ଯାଇ ରାସ୍ତା କାମ ଅତିଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା ।