ଫିଫା ବିଶ୍ୱକପ୍ ୨୦୨୨ ଉଦ୍ଘାଟିତ

ଅଲ୍ ଖୋର୍ (କତର), ୨୦ା୧୧ (ଏଜେନ୍ସି): ରବିବାର ରାତିରେ କତରରେ ଫିଫା ବିଶ୍ୱକପ୍ ଆରମ୍ଭ ହୋଇଛି । ଅଲ୍ ଖୋର୍ସ୍ଥିତ ଅଲ୍ ବାୟତ ଷ୍ଟାଡିୟମ୍ରେ ଆୟୋଜିତ ରଙ୍ଗାରଙ୍ଗ ଉଦ୍ଘାଟନ ସମାରୋହ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି ।
ଉଦ୍ଘାଟନୀ ସମାରୋହରେ ସର୍ବପ୍ରଥମେ କତରର ମରୁଭୂମିକୁ ପ୍ରଦର୍ଶନ କରାଯାଇଥିଲା । ଏହାପରେ ହଲିଉଡ୍ ଅଭିନେତା ମୋର୍ଗନ ଫ୍ରୀମ୍ୟାନ୍ ଭିଡିଓ ଜରିଆରେ କତରର ଫୁଟ୍ବଲ୍ ସହ ସଂଶ୍ଳିଷ୍ଟ କାହାଣୀ ଶୁଣାଇଥିଲେ । ସମାରୋହରେ ବିଟିଏସ୍ର ମୁଖ୍ୟ ସିଙ୍ଗର ଜିଓନ୍ ଜଙ୍ଗ୍କୁକ୍ ସଙ୍ଗୀତ ପରିବେଷଣ କରିଥିଲେ । ଏହା ସହିତ ୯୦୦ରୁ ଅଧିକ କଳାକାର ଚିତ୍ତାକର୍ଷକ ପ୍ରଦର୍ଶନ କରିଥିଲେ । ଶେଷରେ ପତାକା ହଲାଇ ଟିମ୍ଗୁଡ଼ିକର ଜର୍ସି ପିନ୍ଧିଥିବା କଳାକାରମାନେ ନୃତ୍ୟ କରିଥିଲେ । ଆତସବାଜି ସହ ସମାରୋହର ସମାପନ ହୋଇଥିଲା ।
ଆୟୋଜକ କତର ଓ ଇକ୍ୱେଡର୍ ମଧ୍ୟରେ ଉଦ୍ଘାଟନୀ ମୁକାବିଲା ଖେଳାଯାଇଥିଲା । ମଧ୍ୟାନ୍ତର ସୁଦ୍ଧା ଇକ୍ୱେଡର୍ ଟିମ୍ ୨-୦ରେ ଆଗରେ ରହିଛି । ଇକ୍ୱେଡର୍ର ଅଧିନାୟକ ଭାଲେନ୍ସିଆ ଉଭୟ ଗୋଲ୍ ସ୍କୋର୍ କରିଥିଲେ । ସେ ୧୬ତମ ମିନିଟ୍ରେ ପ୍ରଥମ ଗୋଲ୍ ଦେଇଥିବା ବେଳେ ୩୧ତମ ମିନିଟ୍ରେ ହେଡର୍ ମାରି ସ୍କୋର୍ କରିଥିଲେ ।
୨୯ ଦିନ ଯାଏଁ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ଡିସେମ୍ବର ୧୮ରେ ଖେଳାଯିବ । ମୋଟ୍ ୩୨ ଟିମ୍ ପ୍ରତିଯୋଗିତାରେ ଭାଗ ନେଇଛନ୍ତି ଏବଂ ଆଠଟି ଷ୍ଟାଡିୟମ୍ରେ ମୁକାବିଲା ହେବ ।
୧୯୩୦ରୁ ଆରମ୍ଭ ହୋଇଥିବା ଫୁଟ୍ବଲ୍ ବିଶ୍ୱକପ୍ରେ ଏ ଯାବତ୍ ୨୧ ସଂସ୍କରଣ ଖେଳାଯାଇଛି । ଆଠଟି ରାଷ୍ଟ୍ର ମୁକୁଟ ଜିତିଛନ୍ତି । ଏ ସମସ୍ତ ରାଷ୍ଟ୍ର ଇଉରୋପ ଓ ଦକ୍ଷିଣ ଆମେରିକାର । ବ୍ରାଜିଲ୍ ସର୍ବାଧିକ ପାଞ୍ଚ ଥର ବିଜେତା ହୋଇଥିବା ବେଳେ ଇଟାଲୀ, ଜର୍ମାନୀ ଚାରି ଥର ଲେଖାଏଁ; ଉରୁଗୁଏ, ଆର୍ଜେଣ୍ଟିନା ଓ ଫ୍ରାନ୍ସ ଦୁଇ ଥର ଲେଖାଏଁ ଏବଂ ଇଂଲଣ୍ଡ ଓ ସ୍ପେନ୍ ଥରେ ଲେଖାଏଁ ମୁକୁଟ ଜିତିବାର ଗୌରବ ଅର୍ଜନ କରିଛନ୍ତି ।
ଏଥର ବ୍ରାଜିଲ୍, ଆର୍ଜେଣ୍ଟିନା, ଡିଫେଣ୍ଡିଂ ଚାମ୍ପିଅନ୍ ଫ୍ରାନ୍ସ, ଇଂଲଣ୍ଡ, ଜର୍ମାନୀ ପ୍ରମୁଖ ମୁକୁଟ ଦୌଡ଼ରେ ରହିଥିବା ବେଳେ ପର୍ତ୍ତୁଗାଲ୍ ମଧ୍ୟ ପ୍ରଥମ ମୁକୁଟ ଜିତିବା ଲକ୍ଷ୍ୟରେ ରହିଛି । ଲିଓନେଲ୍ ମେସିଙ୍କ ପାଇଁ ଏହା ଶେଷ ବିଶ୍ୱକପ୍ । ଆହୁରି ଅନେକ ଖେଳାଳି ମଧ୍ୟ ସେମାନଙ୍କ କ୍ୟାରିଅରର ଶେଷ ବିଶ୍ୱକପ୍ ଖେଳିପାରନ୍ତି । ବିଶ୍ୱର ନାମୀ ଫୁଟ୍ବଲର୍ ଆର୍ଜେଣ୍ଟିନାର ଲିଓନେଲ୍ ମେସୀ, ପର୍ତ୍ତୁଗାଲ୍ର କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ବ୍ରାଜିଲ୍ର ନେମାରଙ୍କ ସମେତ ଅନେକ ତାରକା ଖେଳାଳି ମଇଦାନରେ ନିଜ ଯାଦୁ ଦେଖାଇବା ପାଇଁ ବ୍ୟଗ୍ର ଅଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *