ଟିକେଟ୍ ଖଣ୍ଡେ ପାଇଁ ରାତି ପାହୁଛି

ଭୁବନେଶ୍ୱର, ୨ଠା୧୧ (ବୁ୍ୟରୋ): ରୋଗର ଯନ୍ତ୍ରଣାରୁ ବଳି ଯାଉଛି ବ୍ୟବସ୍ଥାର ମାଡ଼ । ଶୀତ କାକରରେ ରାତି କାଟି ଚିକିତ୍ସା କରାଇବାର ଯେଉଁ କଷ୍ଟ ବୟାନ କରିବା ଅସମ୍ଭବ । ଭୁବନେଶ୍ୱର ଏମ୍ସ ସାମ୍ନାରେ ପ୍ରତିଦିନ ରାତି ଅଧରେ ଲାଗେ ଲମ୍ବା ଲାଇନ୍ । କିଏ ନିଜ ସମ୍ପର୍କୀୟଙ୍କୁ ଧରି ଆସନ୍ତି, ଆଉ କିଏ ନିଜେ ରୋଗୀ ରାତି ସାରା ଲାଇନ୍ ଲଗାଏ । ନିଜ ପାଳି ପାଇଁ ରାତି ସାରା ବାରଣ୍ଡାରେ ଜଗି ରୁହନ୍ତି । ଏପରି ପ୍ରତ୍ୟେକ ଦିନ ଦୃଶ୍ୟ ନଜରକୁ ଆସୁଛି । କିଛି ଦିନ ତଳେ ଭୁବନେଶ୍ୱର ଏମ୍ସ ପକ୍ଷରୁ ଦଲାଲ ହଟା ଅଭିଯାନ ଆରମ୍ଭ ହୋଇଥିଲା । ଫଳରେ ଏବେ ଟିକେଟ୍ କାଉଣ୍ଟରରେ ଦଲାଲଙ୍କ ପ୍ରାଦୁର୍ଭାବ କମିଛି । ହେଲେ ଟିକେଟ୍ ପାଇଁ ଜନସାଧାରଣଙ୍କୁ ହଟହଟା ହେଉଥିବା ନଜରକୁ ଆସୁଛି ।
ଖୋର୍ଦ୍ଧା ଗୋଳବାଇରୁ ଆସିଥିବା ଜଣେ ମହିଳା ଦୁଃସାଧ୍ୟ କର୍କଟ ରୋଗରେ ପୀଡ଼ିତ । ସକାଳୁ ଡାକ୍ତରଙ୍କୁ ଦେଖାଇବେ, ଔଷଧ ନେବେ । ତେଣୁ ରାତିରେ ଆସି ଟିକେଟ୍ ପାଇଁ ଲାଇନ୍ ଲଗାଇଛନ୍ତି । ଅଳ୍ପ ସଂଖ୍ୟକ ରୋଗୀଙ୍କୁ ଟିକେଟ୍ ମିଳୁଥିବାରୁ ଦିନକ ପୂର୍ବରୁ ଏମ୍ସରେ ପହଞ୍ଚିଛନ୍ତି । ଆଉ ରାତି ସାରା ଥଣ୍ଡା କାକରରେ ଧାଡ଼ି ଲଗାଇ ବସିଛନ୍ତି । ତାଙ୍କ ଭଳି ଅନେକ ଏମିତି ରାତିରେ ଏମ୍ସ ବାହାରେ ଅପେକ୍ଷା କରନ୍ତି । ଭାଗ୍ୟରେ ଥିଲେ ଟିକେଟ୍ ମିଳେ ନଚେତ ସେମିତି ଫେରି ଯିବାକୁ ପଡ଼େ ।
କେବଳ ଏହି ଜଣେ ନୁହଁନ୍ତି ରାଜ୍ୟ ଓ ରାଜ୍ୟ ବାହାରରୁ ଅନେକ ରୋଗୀ ପ୍ରତିଦିନ ଭୁବନେଶ୍ୱର ଏମ୍ସକୁ ଆସନ୍ତି । ଉନ୍ନତମାନର ଚିକିତ୍ସା ମିଳୁଥିବାରୁ ରୋଗୀଙ୍କ ସଂଖ୍ୟା ପ୍ରତିଦିନ ବଢ଼ୁଛି । ହେଲେ ଅଳ୍ପ ସଂଖ୍ୟକଙ୍କୁ ଟିକେଟ୍ ମିଳୁଥିବାରୁ ଲୋକେ ଏମିତି ରାତିରେ ଅପେକ୍ଷା କରିବାକୁ ପଡୁଛି । ଟିକେଟ୍ ପାଇଁ ଲୋକଙ୍କ ଏହି ଯନ୍ତ୍ରଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ଭୁବନେଶ୍ୱର ଏମ୍ସ ପରିସରରେ ରାତି କାଟିବା ପାଇଁ ବ୍ୟବସ୍ଥା ହୋଇଛି । ଯେଉଁ ରୋଗୀମାନେ ବହୂ ଦୂର ଦୂରାନ୍ତରରୁ ଆସନ୍ତି ସେମାନଙ୍କ ପାଇଁ ବିଶ୍ରାମସ୍ଥଳି ହୋଇଛି । ହେଲେ ତାହା ସମୁଦ୍ରକୁ ଶଙ୍ଖେ ଭଳି ମନେ ହେଉଛି । ଅନ୍ୟପଟେ ଏମ୍ସ କର୍ତ୍ତୃପକ୍ଷଙ୍କଠାରୁ ଏନେଇ କୌଣସି ପ୍ରତିକ୍ରିୟା ଦେଇନଥିଲେ ବି ରୋଗୀଙ୍କ ସୁବିଧା ପାଇଁ ସବୁ ବ୍ୟବସ୍ଥା ହେଉଥିବା କହିଛନ୍ତି । ଏମ୍ସରେ ବଢ଼ୁଥିବା ରୋଗୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଟିକେଟ୍ ସଂଖ୍ୟା ବଢ଼ାଇବାକୁ ଓଚ ଏ ବ୍ୟବସ୍ଥା ସୁଧାରିବାକୁ ଦାବି ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *