କ୍ଷତିପୂରଣ ଦେବେ ଧନୀ ରାଷ୍ଟ୍ର
ଗଠନ ହେବ ‘ଲସ୍ ଆଣ୍ଡ୍ ଡ୍ୟାମେଜ୍’ ଫଣ୍ଡ୍
ମିଶର (ଏଜେନ୍ସି): ଇଜିପ୍ଟର ମିଶର ସହରରେ ଚାଲିଥିବା ସିଓପି୨୭ ଜଳବାୟୁ ଶିଖର ସମ୍ମିଳନୀରେ ଏକ ବୃହତ୍ ତଥା ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜଳବାୟୁ ପରିବର୍ତ୍ତନ କାରଣରୁ କ୍ଷତି ସହୁଥିବା ଗରିବ ଦେଶଗୁଡ଼ିକ ପାଇଁ ଧନୀ ତଥା ବିକଶିତ ଦେଶଗୁଡ଼ିକ ମିଳିତ ଭାବେ ଏକ ୧ଠଠ ବିଲିଅନ୍ ଆମେରିକୀୟ ଡଲାରର ପାଣ୍ଠି ପ୍ରତିଷ୍ଠା କରିବେ । ଏନେଇ ଶିଖର ସମ୍ମିଳନୀରେ ସାମିଲ ହୋଇଥିବା ପ୍ରାୟ ୨ଠଠ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଛି । ୧୩୪ ଦେଶଙ୍କ ଚାପ ଆଗରେ ଆମେରିକା ଭଳି ବିକଶିତ ଦେଶ ମୁଣ୍ଡ ନଇଁବାକୁ ବାଧ୍ୟ ହୋଇଛନ୍ତି । ଏହି ପାଣ୍ଠିକୁ ‘ଲସ୍ ଆଣ୍ଡ୍ ଡ୍ୟାମେଜ୍’ ଫଣ୍ଡ୍ ଭାବେ ଅଭିହିତ କରାଯାଉଛି । ତେବେ ଏଥିପାଇଁ ୨୪ ଦେଶର ପ୍ରତିନିଧିଙ୍କୁ ନେଇ ଏକ କମିଟି ଗଠନ ହେବ । ଏହି କମିଟି ହିଁ ପାଣ୍ଠି ଗଠନ ଠାରୁ ଆରମ୍ଭ କରି କେଉଁ ଦେଶଗୁଡ଼ିକୁ ଏହି ପାଣ୍ଠି ପ୍ରଦାନ କରାଯିବ ସେନେଇ ନିଷ୍ପତ୍ତି ନେବ ବୋଲି ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି ।
ଗତ ୧୪ ଦିନ ଧରି ଚାଲିଥିବା ସିଓପି୨୭ ଜଳବାୟୁ ଶିଖର ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ, ଏହାର ପ୍ରଭାବ, ପ୍ରଭାବିତ ଦେଶଗୁଡ଼ିକଙ୍କ ପାଇଁ ଉପଜୁଥିବା ସମସ୍ୟା ଏବଂ ଏଦିଗରେ ବିହିତ ପଦକ୍ଷେପ ଭଳି ଅନେକ ପ୍ରସଙ୍ଗ ଉପରେ ବିଶ୍ୱର ୨ଠଠ ଦେଶ ବ୍ୟାପକ ଆଲୋଚନା କରିଥିଲେ । ଏହି ଅବକାଶରେ ଜଳବାୟୁ ପରିବର୍ତ୍ତନ ପାଇଁ ଧନୀ ତଥା ବିକଶିତ ଦେଶଗୁଡ଼ିକୁ ଦାୟୀ କରାଯାଇଥିଲା । ସୁତରାଂ ଜରିମାନା ସ୍ୱରୂପ ଏହି ଧନୀ ତଥା ବିକଶିତ ଦେଶଗୁଡ଼ିକ ଏକ ପାଣ୍ଠି ଗଠନ କରିବା ନେଇ ପ୍ରସ୍ତାବ ଉପସ୍ଥାପିତ କରାଯାଇଥିଲା, ଯାହାକି ସର୍ବସହମତିରେ ସ୍ୱୀକୃତି ଲାଭ କରିଛି । ଏହି ପାଣ୍ଠି ଜରିଆରେ ଜଳବାୟୁ ପରିବର୍ତ୍ତନ ପାଇଁ ପ୍ରଭାବିତ ହେଉଥିବା ଗରିବ ରାଷ୍ଟ୍ରଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇପାରିବ, ଯାହାଦ୍ୱାରା ଏସବୁ ରାଷ୍ଟ୍ର ନିଜ କ୍ଷତିର ଭରଣା କରିପାରିବେ ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା । ଅର୍ଥାତ୍ ଧନୀ ରାଷ୍ଟ୍ର ଏଣିକି ଗରିବ ରାଷ୍ଟ୍ରଙ୍କୁ କ୍ଷତି ଭରଣା ଦେବେ ।
ପ୍ରକାଶ, ଦୀର୍ଘ ୩ଠ ବର୍ଷ ଧରି ବିଶ୍ୱର ଗରିବ ଦେଶଗୁୂଡ଼ିକ ଅଭିଯୋଗ କରିଆସୁଥିଲେ ଯେ, ଧନୀ ତଥା ବିକଶିତ ଦେଶଗୁଡ଼ିକ ପାଇଁ ଜଳବାୟୁ ପରିବର୍ତ୍ତନ ଭଳି ଉକ୍ରଟ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ସେମାନେ ଅଯଥାରେ ଏହାର ପରିଣାମ ଭୋଗ କରୁଛନ୍ତି । ଏଥିପାଇଁ ଧନୀ ତଥା ବିକଶିତ ରାଷ୍ଟ୍ରଗୁଡ଼ିକ ସେମାନଙ୍କୁ କ୍ଷତିପୂରଣ ଦେବା ଉଚିତ୍ । ଯାହାଦ୍ୱାରା ସେମାନେ ନିଜ ଦେଶର କ୍ଷତିର ଭରଣା କରିପାରିବେ । ଏବେ ଯେତେବେଳେ ଶିଖର ସମ୍ମିଳନୀରେ ପାଣ୍ଠି ଗଠନ ପ୍ରସ୍ତାବକୁ ସ୍ୱୀକୃତି ମିଳିଛି ସେତେବେଳେ ଏହାକୁ ଧନୀ ତଥା ବିକଶିତ ଦେଶଙ୍କ ବିରୋଧରେ ଗରିବ ଦେଶଙ୍କ ବଡ଼ ବିଜୟ ବୋଲି ବିବେଚନା କରାଯାଉଛି । ସେହିପରି ଏହି ନିଷ୍ପତ୍ତି ବାୟୁମଣ୍ଡଳକୁ ଅଧିକ ପ୍ରଦୂଷିତ କରୁଥିବା ଦେଶଗୁଡ଼ିକଙ୍କ ପାଇଁ ଏକ ପ୍ରକାର ଚେତାବନୀ ଭାବେ ମଧ୍ୟ ଅଭିହିତ କରାଯାଇଛି ।
ଭାରତ ପକ୍ଷରୁ ସିଓପି୨୭ ଜଳବାୟୁ ଶିଖର ସମ୍ମିଳନୀରେ ନିଆଯାଇଥିବା ଏହି ନିଷ୍ପତ୍ତିକୁୂ (ପାଣ୍ଠି ଗଠନ) ସ୍ୱାଗତ କରାଯାଇଛି । ଭାରତ ଏହି ସମ୍ମିଳନୀରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ବେଳେ ତତ୍ସମ୍ବନ୍ଧୀତ ପ୍ରସଙ୍ଗ ଉପରେ ମତ ଉପସ୍ଥାପନ କରିଥିଲା । ଜଳବାୟୁ ପରିବର୍ତ୍ତନ ଜନିତ କ୍ଷତିର ଭରଣା ପାଇଁ ବିକାଶଶୀଳ ତଥା ଧନୀ ରାଷ୍ଟ୍ରଗୁଡ଼ିକଙ୍କ ପାଣ୍ଠି ଗଠନ କରିବା ନିଷ୍ପତ୍ତି ଦ୍ୱାରା ଭାରତ ଭଳି ଅନେକ ବିକାଶଶୀଳ ଦେଶ ତଥା ଗରିବ ଆଫ୍ରିକୀୟ ରାଷ୍ଟ୍ରଙ୍କ ପାଇଁ ଲାଭଦାୟୀ ସାବ୍ୟସ୍ତ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।